ବେଆଇନ ରାସ୍ତା ନିର୍ମାଣ ଯୋଗୁଁ ନାଳ ଅବରୋଧ ପ୍ରସଙ୍ଗ: ଜବରଦଖଲ ଉଚ୍ଛେଦ ପାଇଁ ତହସିଲକୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ
କେନ୍ଦୁଝର : କେନ୍ଦୁଝର ସଦର ତହସିଲ ଧୃପଦା ନିକଟ ମୋଚିଗାଁରେ ବିକ୍ରୀ ପାଇଁ ମସୁଧା କରୁଥିବା ଚାଷ ଜମିକୁ ରାସ୍ତା ନିର୍ମାଣ ପାଇଁ ବର୍ଜ୍ୟବସ୍ତୁ ପକାଇ ନାଳ ଅବରୋଧ କରିବା ନେଇ ଜିଲ୍ଲାପାଳ ଏବଂ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା ।
ଅଭିଯୋଗ ପରେ ପୂର୍ତ୍ତ ବିଭାଗର ଏକ ଟେକନିକାଲ ଟିମ ଘଟଣା ସ୍ଥଳକୁ ଯାଇ ଯାଂଚ କରି ଏହାର ସତ୍ୟାସତ୍ୟ ଉପଲବ୍ଧି କରିଥିଲେ । ଏହି ରାସ୍ତା ପାଶ୍ୱର୍ରେ ନାଳରୁ ଅବରୋଧ ମୁକ୍ତ କରି ପୂର୍ବଭଳି ନାଳର ସ୍ଥିତି ବଜାୟ ରଖିବା ପାଇଁ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ସମ୍ବିତ ମହାନ୍ତି ଚିଠି ସଂଖ୍ୟା ୨୫୨୪ ତା ୧୦/୦୩/୨୦୨୫ରେ ସଦର ତହସିଲଦାର ଶୁଭେନ୍ଦୁ କୁମାର ସାହୁଙ୍କୁ ଚିଠି କରିଛନ୍ତି । ଏହି ଚିଠି ପରେ ତଦହସିଲଦାର ଖୁବ୍ ଶୀଘ୍ର ଜବରଦଖଲ ମୁକ୍ତ କରିବା ପାଇଁ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୪୯ କଡ ମୋଚିଗାଁରେ ପୂର୍ତ୍ତ ବିଭାଗର ଆରଓଡବ୍ଲୁ୍ୟକୁ ଜବରଦଖଲ କରି ରାସ୍ତା ପାଶ୍ୱର୍ ନାଳକୁ ଅବରୋଧ କରି ଏକ ରାସ୍ତା ନିର୍ମାଣ ଚାଲିଛି । ରାସ୍ତା ନିର୍ମାଣରେ କାରଖାନାର ବର୍ଜ୍ୟବସ୍ତୁ କଳାଗୁଣ୍ଡ ବ୍ୟବହାର କରାଯାଉଥିବାରୁ ଉକ୍ତ ଅଂଚଳରେ ଜଳ,ମୃତ୍ତିକା ଓ ବାୟୁ ପ୍ରଦୂଷଣ ହେଉଛି । ଏ ନେଇ ପୂର୍ବରୁ ଅଭିଯୋଗ ହେବା ପରେ ତହସିଲ ପକ୍ଷରୁ ସଦର ରାଜସ୍ୱ ନୀରିକ୍ଷକ ଏବଂ ଅନ୍ୟ କର୍ମଚାରୀ ତଦନ୍ତ କରି ରାସ୍ତା ବନ୍ଦ କରିଥିଲେ । ଏବେ ପୁଣି ଜମି ମାଫିଆମାନେ ନାଳ ଉପରେ କଳାଗୁଣ୍ଡ ପକାଇ ରାସ୍ତା ନିର୍ମାଣ କରୁଛନ୍ତି । ରାଜପଥ ପାଶ୍ୱର୍ ନୟନଯୋରିକୁ ପୋତିି ରାସ୍ତା ନିର୍ମାଣ ହେଉଥିବାରୁ ଜଳ ପ୍ରବାହ ବନ୍ଦ ହେବା ସହ ମୃତ୍ତିକା ପ୍ରଦୂଷିତ ହୋଇଛି । ସେହିପରି ରାଜପଥ ପାଶ୍ୱର୍ରେ କୋଟି କୋଟି ଟଙ୍କା ବ୍ୟୟରେ ଓଡିଶା ବନ ଉନ୍ନୟନ ନିଗମ ଦ୍ୱାରା କରାଯାଇଥିବା ବନୀକରଣ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଜମି ମାଫିଆମାନେ ଓଡିଶା ବନ ଉନ୍ନୟନ ନିଗମ ତରଫରୁ କରାଯାଇଥିବା ବନୀକରଣ ନିକଟରେ କଳାଗୁଣ୍ଡ ପକାଇ ରାସ୍ତା କରୁଛନ୍ତି । ନାଳ ପୋତି ହୋଇ ଯାଇଥିବାରୁ ବର୍ଷା ଦିନରେ ସହରର ପାଣି ନିଷ୍କାସନରେ ସମସ୍ୟା ହେବାର ଆଶଙ୍କା ରହିଛି । ଜମି ମାଫିଆମାନେ କେବଳ ଏହି ଗୋଟିଏ ସ୍ଥାନ ନୁହେଁ ସହର ଏବଂ ଆଖପାଖ ଅଂଚଳରେ କାରଖାନା ବର୍ଜ୍ୟବସ୍ତୁ ପକାଇ ବିଭିନ୍ନ ସ୍ଥାନରେ ରାସ୍ତା କରୁଛନ୍ତି । ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ହେଲେ କିଏ ଏବଂ କେଉଁ କାରଖାନାରୁ ବର୍ଜ୍ୟବସ୍ତୁ ଆଣି ପକାଉଛନ୍ତି ତାହା ଜଣାପଡିବ । ପାର୍ଟ ପ୍ଲଟ ବିକ୍ରୀ ସଂପୂର୍ଣ୍ଣ ନିଷେଧ ଥିଲେ ମଧ୍ୟ କେତେକ ଜମି ମାଫିଆ ବେଆଇନ ଭାବେ ଲୋକଙ୍କୁ ଠକି ଚାଷ ଜମିକୁ ପାର୍ଟ ପ୍ଲଟ କରି ବିକ୍ରୀ କରୁଛନ୍ତି । ଲୋକମାନେ ଜମି କିଣି ସାରି ଘର ବାଡି କରିବା ପାଇଁ ଆବେଦନ କଲେ ଘର ବାଡି ହୋଇ ପାରୁନଥିବାରୁ ଲୋକମାନେ ନାନାଦି ସମସ୍ୟାରେ ପଡୁଛନ୍ତି ।