ପ୍ରସ୍ତୁତି ପଥେ ଯାଜପୁର ରୋଡ଼ ରେଳ ଓଭରବ୍ରିିଜ ଓ ଗଳି ପୋଲ


 ବ୍ୟାସନଗର,: ପୂର୍ବତଟ ରେଳପଥର ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଦ୍ୱିତୀୟ ଓଭରବ୍ରିଜ୍ ଏବଂ ଡ଼ାକବଙ୍ଗଳା ଛକ ନିକଟରେ ଗଳି ପୋଲ ନିର୍ମାଣ ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବହୁ ପ୍ରତିକ୍ଷିତ ଓଭରବ୍ରିଜ ଏବଂ ଗଳି ପୋଲ ନିର୍ମାଣ ହେଲେ ବ୍ୟାସନଗର ପୌରାଞ୍ଚଳରେ ବସବାସ କରୁଥିବା ଲକ୍ଷାଧିକ ଲୋକଙ୍କ ସମସ୍ୟା ଦୂର ହୋଇପାରିବ । ଓଭରବ୍ରିଜ ଓ ଗଳି ପୋଲ ନିର୍ମାଣ ପାଇଁ ଏଠାକାର ବିଭିନ୍ନ ସଂଗଠନ ବର୍ଷବର୍ଷ ଧରି ଦାବି କରି ଆସୁଥିବା ବେଳେ ରେଳବାଇ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ, ସାଂସଦଙ୍କ ନିକଟରେ ଦାବି କରି ଆସୁଥିଲେ । ନିର୍ବାଚନ ଠିକ୍ ପୂର୍ବରୁ ଅର୍ଥାତ ଚଳିତବର୍ଷ ଫେବ୍ରୁଆରି ମାସରେ ଆଭାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସ ଉସôବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ଅଶୋକ ବଳ, ପୂର୍ବତଟ ରେଳବାଇର ଡେପୁଟି ଚିଫ୍ ଇଂଜିନିୟର(ନିର୍ମାଣ) ଏସ୍.କେ. ଆଚାର୍ଯ୍ୟ ଯୋଗ ଦେଇଥିଲେ । ଶିଳାନ୍ୟାସ ପରେ ଓଭରବ୍ରିଜ ଏବଂ ଗଳି ପୋଲ ନିର୍ମାଣ ନିମନ୍ତେ ବିଭିନ୍ନ ପ୍ରକାରର ଷ୍ଟ୍ରକଚର କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଶେଷ ହେବା ପରେ ହିଁ ଓଭରବ୍ରିଜ ଏବଂ ଗଳି ପୋଲ କାର୍ଯ୍ୟ ଆରମ୍ଭ ହେବ । ଏହା କିଛିମାସ ମଧ୍ୟରେ ଆରମ୍ଭ ହେବ ବୋଲି ଠିକାସଂସ୍ଥା ପକ୍ଷରୁ କୁହାଯାଇଛି । ସୂଚନା ଥାଉକି ବ୍ୟାସନଗର ସହରର ସାଇ ମନ୍ଦିର ଲେବୁଲ କ୍ରସିଂ ନଂ ୧୪୨ନିକଟରେ ଓଭରବ୍ରିଜ ନିର୍ମାଣ ହେବାକୁ ଥିବା ବେଳେ ଏଥିନିମନ୍ତେ ୧୦୧କୋଟି ୪୯ ଲକ୍ଷ ୮୮ହଜାର ୯୦୯ଟଙ୍କା ବରାଦ କରାଯାଇଛି । ସେହିପରି  ଲେବୁଲ କ୍ରସିଂ ନଂ ୧୪୦ ଡାକବଙ୍ଗଳା ଛକ ନିକଟରେ ଗଳିପୋଲ ନିର୍ମାଣ ପାଇଁ ୪ କୋଟି ୮୪ ଲକ୍ଷ ୨୦ହଜାର ୯୦୯ ଟଙ୍କା ବରାଦ କରାଯାଇଛି । ଗଳିପୋଲ କାର୍ଯ୍ୟ ୨୫ ନଭେମ୍ବର ୨୦୨୪ ସୁଦ୍ଧା ଶେଷ ହେବାର ସମୟଧାର୍ଯ୍ୟ ରହରିଥିବାରୁ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଠିକାସଂସ୍ଥା ଆପୋଲୋ ଏଣ୍ଟରପ୍ରାଇଜ ପକ୍ଷରୁ କୁହାଯାଇଛି । କାର୍ଯ୍ୟ ନିମନ୍ତେ ୧୫ଟି ଫର୍ମାଟ ଲକ୍ଷ୍ମୀ ମନ୍ଦିର ନିକଟରେ ନିର୍ମାଣ ଚାଲିଛି । ଓଭରବ୍ରିଜ ନିମନ୍ତେ ୧୦୧କୋଟି୪୯ ଲକ୍ଷ ୮୮ହଜାର୯୦୯ଟଙ୍କା ବରାଦ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଅଂଶ ୫୭କୋଟି ୧୦ଲକ୍ଷ ୬୭ ହଜାର ୨୫୦ ଟଙ୍କା ଏବଂ ରେଳବାଇର ଅଂଶଧନ ୪୪କୋଟି ୩୯ଲକ୍ଷ ୨୧ହଜାର ୬୫୯ଟଙ୍କା ରହିଛି । ଏହି କାର୍ଯ୍ୟର ସମୟସୀମା ୧୮ମାସ ରହିଥିିଲା । ନିର୍ମାଣ କାର୍ଯ୍ୟ ନିମନ୍ତେ ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଛି ।