ଦୃଷ୍ଟିହୀନଙ୍କୁ ଆଧୁନିକ ସହାୟକ ସାମଗ୍ରୀ ପ୍ରଦାନ
ନୂଆପଡା : ନୂଆପଡା ଜିଲ୍ଲାର ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କ ପାଇଁ ନୂଆ ଆଶା ନେଇ ଆସିଲା ଟର୍ଚ୍ଚ-ଇଟ୍ ଫାଉଣ୍ଡେସନ ଅହମଦାବାଦ । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ବିଦ୍ୟାଳୟ, ଟାନୱଟ୍ରେ ଏକ ସ୍ୱତନ୍ତ୍ର ଶିବିରର ଆୟୋଜନ ହୋଇଥିଲା ।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସାମାଜିକ ସୁରକ୍ଷା ଡେପୁଟୀ ସେକ୍ରେଟାରୀ ସନ୍ନ୍ୟାସୀ କୁମାର ବେହେରା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଟର୍ଚ୍ଚ-ଇଟ୍ ଫାଉଣ୍ଡେସନ ପକ୍ଷରୁ ଏହାର ସଂସ୍ଥାପକ ହନି ବାଗ୍ ଚନ୍ଦାନି ଓ ପରିଚାଳକ ନିର୍ମଲ୍ ପିଲାଇ ଯୋଗ ଦେଇଥିଲେ । ସରକାରୀ ସଂସ୍ଥା ଓ ଏନ୍ଜିସି ସହାୟତାରେ ୩୦୦ଟି ସାରଥୀ ସ୍ମାର୍ଟ କେନ୍ ବାଡି ଓ ୯୦ ଟି ଜ୍ୟୋତି ସ୍ମାର୍ଟ ଗ୍ଲାସ୍ ଦୃଷ୍ଟିହୀନ ମାନଙ୍କୁ ବଣ୍ଟନ କରିଥିଲେ । ଏହି ଫୋଲ୍ଡିଂ କେନ୍ର ବିଶେଷତ୍ୱ ହେଲା ଏହା ଆଗରେ ଯିଏ ବି ଆସିବ ସେନ୍ସର୍ ମାଧ୍ୟମରେ ଏହା ଦୃଷ୍ଟିହୀନ ବ୍ୟବହାରକାରୀକୁ ସୂଚନା ଦେଇଦେବ । ସେହିପରି ଜ୍ୟୋତି ସ୍ମାର୍ଟ ଗ୍ଲାସ୍ ସହାୟତାରେ ଦୃଷ୍ଟିହୀନ ବ୍ୟକ୍ତି ଏହାକୁ ନିଜ ସ୍ମାର୍ଟ ଫୋନରେ ସଂଯୋଗ କଲେ ଏହା ସାମ୍ନାର ସମସ୍ତ ଦୃଶ୍ୟ ଦୃଷ୍ଟିହୀନ ବ୍ୟବହାରକାରୀକୁ ଭଏସ୍ ମାଧ୍ୟମରେ ଜଣାଇଦେବ । ଟର୍ଚ୍ଚ-ଇଟ୍ ଫାଉଣ୍ଡେସନର ଅଧିକାରୀମାନେ ଉଭୟ ସ୍ମାର୍ଟ କେନ୍ ବାଡି ଓ ଜ୍ୟୋତି ସ୍ମାର୍ଟ ଗ୍ଲାସ୍ର ବ୍ୟବହାର ଦୃଷ୍ଟି ବାଧିତ ହିତାଧୀକାରୀମାନଙ୍କୁ ପ୍ରଦର୍ଶନ ପୂର୍ବକ ଜଣାଇ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ୍, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ବିଦ୍ୟାଳୟର ଅଧ୍ୟକ୍ଷା ରାଜେଶ୍ୱରୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।