‘ଦେଶବାସୀଙ୍କ ହୃଦୟରେ ଭେଟେରାନ୍ ସୈନିକଙ୍କର ସ୍ଥାନ ରହିଛି’
ଭୁବନେଶ୍ୱର : ମଙ୍ଗଳବାର ଭୁବନେଶ୍ୱରସ୍ଥିତ ୧୨୦ ଇନ୍ଫାଣ୍ଟି୍ର ବାଟାଲିଅନ୍ ପରିସରରେ ନବମ ସଶସ୍ତ୍ର ସେନା ଭେଟେରାନ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ପାଟି ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ, ଭେଟେରାନ୍ ସୈନିକମାନଙ୍କର ଦେଶ ପ୍ରତି ଅସାଧାରଣ ସେବା, ତ୍ୟାଗ, ସମର୍ପଣ ଓ ଅଦମ୍ୟ ଉସôାହ ପାଇଁ ଦେଶବାସୀଙ୍କ ହୃଦୟରେ ସେମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ସମ୍ମାନ ରକ୍ଷା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ଭେଟେରାନ ସୈନିକମାନଙ୍କଠାରେ ଦେଶବାସୀ ଚରିକୃତଜ୍ଞ ରହିବେ ବୋଲି ସେ କହିଛନ୍ତି । ଭାରତର ପ୍ରଥମ କମାଣ୍ଡର-ଇନ୍-ଚିଫ୍ ଫିଲ୍ଡ ମାର୍ଶଲ କେଏମ୍ କାରିଆପାଙ୍କ ଦେଶ ପାଇଁ ଉଲ୍ଲେଖନୀୟ ସେବାକୁ ସମ୍ମାନ ଜଣାଇ ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନ କରାଯାଇଛି ବୋଲି ରାଜ୍ୟପାଳ କହିଥିଲେ । ଅବସରପ୍ରାପ୍ତ ସୈନିକମାନଙ୍କର ପେନ୍ସନ, ସ୍ୱାସ୍ଥ୍ୟସେବା, ପୁନଃଥଇଥାନ ଇତ୍ୟାଦି କ୍ଷେତ୍ରରେ ସରକାର ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟପାଳ ଡ଼ କମ୍ଭମ୍ପାଟି କହିଥିଲେ ।
ପ୍ରାରମ୍ଭରେ ଓଏସ୍ଇଏଲ୍ର ସଭାପତି ଅବସରପ୍ରାପ୍ତ ବି୍ରଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଜେକେ ମହାନ୍ତି, ଅବସରପ୍ରାପ୍ତ ଭାଇସ୍ ଆଡ଼ମିରାଲ ରମାକାନ୍ତ ପଟ୍ଟନାୟକ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜେଏନ୍ ବର୍ମା, ଓଡ଼ିଶା ସରକାରଙ୍କ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଆର୍କେ ଶର୍ମା, ରାଜ୍ୟ ସୈନିକ ବୋର୍ଡର ସଚିବ କମୋଡର ଘନଶ୍ୟାମ ଓଝା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନର ଆଭିମୁଖ୍ୟ ଏବଂ ଭେଟେରାନ ସୈନିକମାନଙ୍କର ଦେଶପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବୀର ନାରୀ, ବରିଷ୍ଠ ଓ ଅତି ବରିଷ୍ଠ ଭେଟେରାନ ସେନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦ୍ବ୍ୟତୀତ ଭେଟେରାନମାନଙ୍କ ପାଇଁ ଉଦ୍ଧିଷ୍ଟ ଅନଲାଇନ୍ ସେବାକୁ ରାଜ୍ୟପାଳ ଡ଼ କମ୍ଭମ୍ପାଟି ଶୁଭାରମ୍ଭ କରିଥିଲେ । ଶେଷରେ ସର୍ଜନ ଲେଫ୍ଟନାଣ୍ଟ କମାଣ୍ଡର ଅନନ୍ୟା ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।