ଦ୍ରୁତ ହେବ ବିମାନ ଉଡ଼ାଣ ପିଟିଟି ଓ ଆରଇଟିକୁ ଡିଜିସିଏ ଅନୁମତି

 ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଉଡ଼ାଣ ଓ ଅବତରଣ ପ୍ରକ୍ରିୟାକୁ ଦ୍ରୁତ କରିବା ପାଇଁ ନିଆଯାଇଛି ପଦକ୍ଷେପ । ବିମାନ ବନ୍ଦରରେ ଶେଷ ହୋଇଛି ପିଟିଟି (ପାରେଲାଲ୍ ଟ୍ୟାକ୍ସି ଟ୍ରାକ୍) ଏବଂ ଆର୍ଇଟି (ରାପିଡ୍ ଏକ୍ଜିଟ୍ ଟ୍ୟାକ୍ସି ୱେ) କାର୍ଯ୍ୟ । ଆଜି ଡିଜିସିଏ କର୍ତ୍ତୃପକ୍ଷ ଶେଷ ହୋଇଥିବା ଏହି ଟ୍ରାକ୍ଗୁଡ଼ିକୁ ବୁଲି ଦେଖିବା ସହ ବିମାନ ଉଡ଼ାଣ ପ୍ରକ୍ରିୟାକୁ ଆହୁରି ସହଜ କରିବା ପାଇଁ ଏହି କାର୍ଯ୍ୟପ୍ରଣାଳୀ ବିଶେଷ ସହାୟକ ହେବ ବୋଲି କହିଛନ୍ତି । ତୁରନ୍ତ ପିଟିଟି ଓ ଆର୍ଇଟିକୁ ଅନୁମତି ଦିଆଯିବ ବୋଲି ଡିଜିସିଏ ପକ୍ଷରୁ କୁଯାଇଛି । ତେବେ ପିଟିଟି ଦ୍ୱାରା ଯେକୌଣସି ବିମାନ ତୁରନ୍ତ ଟ୍ୟାକ୍ସି ୱେ ଟ୍ରାକ୍ରୁ ରନ୍ୱେକୁ ଯିବାକୁ ସକ୍ଷମ ହେବା ସହ ସଙ୍ଗେ ସଙ୍ଗେ ଉଡ଼ାଣ ଭରିବାରେ ସହାୟକ ହେବ । ସେହିପରି ଆରଇଟି ଦ୍ୱାରା ଯେକୌଣସି ବିମାନ ଅବତରଣ କରିବା ପରେ ଅନ୍ୟ ବିମାନକୁ ରାସ୍ତା ଦେବା ପାଇଁ କିଛି ସମୟର ବ୍ୟବଧାନରେ ତାକୁ ରନ୍ ୱେରୁ ଟ୍ୟାକ୍ସି ୱେକୁ ସ୍ଥାନାନ୍ତର କରାଯାଇପାରିବ । ତେବେ ଭୁବନେଶ୍ୱରରେ ରନ୍ୱେର ମୋଟ ଲମ୍ବ ବର୍ତ୍ତମାନ ୨୭୪୪ ଥିବା ବେଳେ ଏହି ଦୁଇଟି ଟ୍ୟାକ୍ସି ୱେ କାର୍ଯ୍ୟକ୍ଷମ ହେଲେ ଏକ ଘଣ୍ଟାରେ ପାଖାପାଖି ୨୦ଟି ବିମାନର ଉଡ଼ାଣ ପ୍ରକ୍ରିୟା ଆହୁରି ଦ୍ରୁତ ହେବ ବୋଲି ଜଣାପଡ଼ିଛି ।