ନୀତୀଶ କୁମାର ଓ ୱାଶିଂଟନଙ୍କ ରେକର୍ଡ : ଭାରତ ୯ ୱିକେଟ୍ ହରାଇ ୩୫୮ 

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣରେ ଖେଳାଯାଉଛି । ଏହି ମ୍ୟାଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ମଜଭୁତ ସ୍ଥିତିରେ ରହିଥିବାବେଳେ ଭାରତ ମଧ୍ୟ ଲଢୁଆ ପ୍ରଦର୍ଶନ କରିଛି । ଶନିବାର ମ୍ୟାଚର ତୃତୀୟ ଦିନରେ ଭାରତର ନୀତିଶ କୁମାର ରେଡ୍ଡୀ ଓ ୱାଶିଂଟନ ସୁନ୍ଦର ଭଲ ପାର୍ଟନରସିପ୍ କରି ଦଳ ପାଇଁ ଭଲ ରନ ସଂଗ୍ରହ କରିଛନ୍ତି । ନୀତୀଶ କୁମାର ରେଡ୍ଡୀ ୮ନଂରେ ବ୍ୟାଟିଂ କରି ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ନୀତୀଶ କୁମାର ତୃତୀୟ ଦିନରେ ଅପରାଜିତ ୧୦୫ ରନ କରିଛନ୍ତି । ସେହିପରି ୱାଶିଂଟନ ସୁନ୍ଦର ବି ୫୦ ରନ୍ର ଇନିଂସ ଖେଳିଛନ୍ତି । ନୀତୀଶ କୁମାର ଓ ସୁନ୍ଦରଙ୍କ ଶତକୀୟ ଭାଗିଦାରୀ ଯୋଗୁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସ ସ୍କର ୪୭୪ର ଦୃଢ଼ ଜବାବ ଦେଇଛି । ଭାରତ ୯ ୱିକେଟ ହରାଇ ୩୫୮ ରନ କରିନେଇଛି । ଏବେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କର ଠାରୁ ଦଳ ୧୧୬ ରନ ପଛରେ ରହିଛି ।
ଆଜି ନୀତୀଶ କୁମାର ୮ନଂରେ ଓ ସୁନ୍ଦର ୯ନଂରେ ବ୍ୟାଟିଂ କରିବାକୁ ଆସିଥିଲେ । ଏହି ସମୟରେ ଦଳୀୟ ସ୍କର ୨୨୧/୭ ରହିଥିଲା । ଉଭୟ ୮ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରି ଦଳୀୟ ସ୍କରକୁ ସିଧା ୩୪୮ ରନରେ ପହଞ୍ଚାଇ ଥିଲେ ।
ଏହି ଇନିଂସ ପରେ ନୀତୀଶ କୁମାର ଓ ସୁନ୍ଦରଙ୍କ ନାଁରେ ଯୋଡି ହୋଇଯାଇଛି ଐତିହାସିକ ରେକର୍ଡ । ୧୪୭ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ୮ନଂ ଓ ୯ନଂରେ ବ୍ୟାଟିଂ କରିଥିବା ପ୍ରତିଟି ଖେଳାଳି ୧୫୦ରୁ ଅଧିକ ବଲ ସାମ୍ନା କରିଛନ୍ତି । ପୂର୍ବରୁ ଉଭୟ ୮ନଂ ଓ ୯ନଂରେ ବ୍ୟାଟିଂ କରିଥିବା ଖେଳାଳି କେବେ ହେଲେ ୧୫୦ରୁ ଅଧିକ ବଲ ଖେଳି ନଥିଲେ । ଅନ୍ୟପକ୍ଷରେ ନିଜର ମେଡେନ ଶତକ ପରେ ନୀତୀଶ କୁମାର ଭାରତର ତୃତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଅଷ୍ଟ୍ରେଲିଆ ମାଟିରେ ମେଡେନ ଟେଷ୍ଟ ସେଞ୍ଚୁରୀ ହାସଲ କରିଛନ୍ତି । ଏହି ତାଲିକାରେ ସଚିନ ତେନ୍ଦୁଲକର ଓ ଋଷଭ ପନ୍ତଙ୍କ ନାଁ ରହିଛି ।