ଦ୍ୱିତୀୟ ବିବାହ ପାଇଁ ପୁଅକୁ ହତ୍ୟା; ପଥର ଖାଦାନରୁ ମିଳିଲା ନାବାଳକର ଶବ

ଦ୍ୱିତୀୟ ବିବାହ ପାଇଁ ପୁଅକୁ ହତ୍ୟା; ପଥର ଖାଦାନରୁ ମିଳିଲା ନାବାଳକର ଶବ

ଜେନାପୁର/ଧର୍ମଶାଳା : ଯାଜପୁର ଜିଲ୍ଲା ଜେନାପୁର ଥାନା ସାହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମରୁ ନିଖୋଜ ହୋଇଥିବା ୬ ବର୍ଷର ନାବାଳକ ଶିବୁ ରାଉତଙ୍କ ମୃତଦେହ ମିଳିଛି  । ଗୁରୁବାର ଏକ ପଥର ଖାଦାନରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି  । ଏନେଇ ଥାନାରେ ଏକ ହତ୍ୟା ଅଭିଯୋଗ କରାଯାଇଛି  । ନାବାଳକଙ୍କୁ ତାଙ୍କ ବାପା ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ପୋଲିସ ଏହି ଘଟଣାରେ ନାବାଳକଙ୍କ ବାପା ବାହୁଡ଼ା ରାଉତ, ତାଙ୍କ ବାପା ମଦନ ରାଉତ, ମା’ ଗୁଣ୍ଠି ରାଉତ, ଭାଇ ବିରଞ୍ଚତ୍‌ ରାଉତ ଓ ଭାଉଜ ବର୍ଷା ରାଉତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି  । 

ନାବାଳକଙ୍କ ଅଜା କଳାକାର ରାଉତଙ୍କ ଅଭିଯୋଗ ମୁତାବକ, ବାହୁଡ଼ା ସେହି ଗାଁର ମମତା ରାଉତଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଶିବୁ ଜନ୍ମ ହୋଇଥିଲା  । ପାରିବାରିକ ଅଶାନ୍ତି କାରଣରୁ ମମତା ପୁଅ ଶିବୁଙ୍କୁ ନେଇ ପ୍ରାୟ ୫ ବର୍ଷ ହେବ ବାପ ଘରେ ରହୁଥିଲେ  । ଏହାରି ଭିତରେ ବାହୁଡା ଦ୍ୱିତୀୟ ବିବାହ ପାଇଁ ଯୋଜନା କରିଥିଲେ । ତେଣୁ ପୁଅ ଶିବୁ ଭବିଷ୍ୟତରେ ବାଧକ ହେବା ଆଶଙ୍କା କରି ତାଙ୍କୁ ମାରି ଦେବାକୁ ଯୋଜନା କରିଥିଲେ ବୋଲି ସେ କହିଥିଲେ  । 


ସୂଚନା ଅନୁସାରେ, ବୁଧବାର ଶିବୁ ଟ୍ୟୁଶନ ଯାଇ ମାମୁ ଘରକୁ ଫେରିଥିଲେ । ଏହାର କିଛି ସମୟ ପରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା । ଏହାପରେ ମାମୁଘର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ । ଶେଷରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ନିରୂପମା ଜେନାଙ୍କ ସମେତ ଅଗ୍ନିଶମ ବାହିନୀ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରି ରାତି ପ୍ରାୟ ୧୧ଟାରେ ଗାଁ ସଂଲଗ୍ନ ପାହାଡ଼ ଖାଦାନ ନିକଟରେ ଶିବୁଙ୍କ ପ୍ୟାଣ୍ଟ ପାଇଥିଲେ । ଏହାପରେ ରାତି ଖୋଜାଖୋଜି ଜାରି ରହିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନଥିଲା  । ଗୁରୁବାର ସକାଳେ ସ୍ଥାନୀୟ ଲୋକେ ପ୍ୟାଣ୍ଟ ମିଳିଥିବା ଖାଦାନର ପାଣି ଖାଲରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ଥାନା ଅଧିକାରୀ ଏବଂ ଚଢେଇଧରା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା  । ଉତ୍ୟକ୍ତ ଲୋକେ ବାହୁଡ଼ାଙ୍କ ବାଇକରେ ନିଆଁ ଲଗାଇ ଦେଇଥିଲେ  । ଖବର ପାଇ ଯାଜପୁର ରୋଡ୍‌ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ, ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ ମାଝୀ, ଜେନାପୁର ଥାନା ଏସ୍‌ଆଇ ଶଶୀ ଭୂଷଣ ପରି, ଏଏସ୍‌ଆଇ ବିରଞ୍ଚି ନାରାୟଣ ପଣ୍ଡା, ଚଢେଇଧରା ଫାଣ୍ଡି ଅଧିକାରୀ ମନୋରଞ୍ଜନ ସେଠୀ ପ୍ରମୁଖ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନି କୁକୁର ସାହାଯ୍ୟରେ ପୋଲିସ ବିଭିନ୍ନ ନମୁନା ସଂଗ୍ରହ କରିଥିଲା । ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।