ଧନ୍ୟବାଦ ପରେ ଧାରଣା; ଆଉ ଏକ ନାଟକର ଆୟାରମ୍ଭ ନୁହେଁ ତ?


ବ୍ୟାସନଗର ପୌରପରିଷଦରେ ଚାଲିଛି ଅଜବ ରାଜନୀତି । ସାଧାରଣ ଲୋକେ ସମସ୍ୟାରେ ଉବୁଟୁବୁ ହେଉଥିବା ବେଳେ ରାଜନେତା ହୁଅନ୍ତୁ କିମ୍ବା ପ୍ରାଶାସନିକ ଅଧିକାରୀ ଏହି ମଉକାରେ ରୁଟି ସେକିବାକୁ ପଛାଉ ନାହାନ୍ତି । ଟେଣ୍ଡର ହେଉନି ବୋଲି ୧୯ ପାରିଷଦ ଗଲାମାସ ୨୮ତାରିଖରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ୬ ୱାର୍ଡର ପାରିଷଦଙ୍କୁ ମଧ୍ୟ ସମାନ କ୍ରମରେ ଟେଣ୍ଡର ସାମିଲ କରାଯିବାକୁ ଜିଲା ପ୍ରଶାସନର ଦାବିକୁ ସମ୍ମାନ ଜଣାଇ ଧାରଣାରୁ ଉଠିଥିଲେ । ପ୍ରକଳ୍ପ ନିଦେ୍ର୍ଦଶକ, ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ନୂଆ ରେଜୋଲୁସନ କରାଗଲା ଓ ସ୍ୱତନ୍ତ୍ର ବୈଠକ ୬ ତାରିଖ ଡକାଯାଇ ତାହା ଦୃଢୀକରଣ କରାଯିବ ସହ ୧୨ ତାରିଖ ମଧ୍ୟରେ ଟେଣ୍ଡର ଆହ୍ୱାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେଲେ । ସେହି ଅନୁସାରେ ସମସ୍ତ ପାରିଷଦଙ୍କୁ ରିଜୋଲେସନ କପି ଦିଆଗଲା । ଅସନ୍ତୁଷ୍ଟ ଥିବା ୬ ପାରିଷଦ ରିଜୋଲେସନ କପି ପାଇବା ପରେ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ବିଧାୟକ, ଜିଲାପାଳ ଓ ଏଡିଏମ କଳିଙ୍ଗନଗରଙ୍କୁ ଧନ୍ୟବାଦ ଜଣାଇଲେ । ଆମକୁ ପାତରଅନ୍ତର କରି ଧାରଣା ବସିଥିବା ପାରିଷଦ ନାଟକାର ଅନ୍ତହେବା ସହ ତାଙ୍କର ଏକ ପ୍ରକାର ବିଜୟ ହେଲା ବୋଲି ଏକ ପ୍ରକାର ମନ୍ତବ୍ୟ ରଖିଥିଲୋ ସହରବାସୀ ଆଶ୍ୱସ୍ତି ହେଲେ ଏଥର କାମ ସୁରଖୁରରେ ହେବ ଆଉ ପୌରପରିଷଦ ତାହାର କାର୍ଯ୍ୟ ନିର୍ବାହ କରିବା କିନ୍ତୁ ଆଜି ପୌର କାର୍ଯ୍ୟାଳୟରେ କାଉନସିଲ ବୈଠକରେ ପୂର୍ବ ରିଜୋଲେସନ ପାରିତ ପ୍ରସ୍ତାବକୁ ବଦଳାଯାଇ ଥିବା ନୂଆ ରିଜୋଲେସନ ଦୃଢିକରଣ ସମୟରେ କିଛିଦିନ ତଳେ ବିଧାୟକଙ୍କୁ ଧନ୍ୟବାଦ୍ ଦେଇଥିବା ୬ ପାରିଷଦ ଅଶୋକ ରାଉତ୍, ଭରତ ଓଝା, ଟିନିଆ ନାୟକ, ରଶ୍ମିତା ରାଉତ୍, ମଣିନ୍ଦ୍ର ସାହୁ, ସରୋଜୀନୀ ସେଠୀ ଆମକୁ ସମାନ କାମ ମିଳୁ ବୋଲି କହି କାଉନସିଲ ହଲରେ ଧାରଣା ଦେଇଥିଲେ । ଯାହା ସମସ୍ତଙ୍କୁ ଚକିତ କରିଥିଲା । କାରଣ ରିଜୋଲେସନ କପି ପାଇଲା ପରେ ହିଁ ସେମାନେ ସନ୍ତୁଷ୍ଟି ପ୍ରକାଶ କରିଥିଲେ । ତେବେ ଅସୁବିଧା କୋଉଠି ରହିଲା ଯେ ସେମାନେ ପୁଣି ଧାରଣାରେ ବସିଲେ । ଅଧକ୍ଷ ଶ୍ରୀ ବଳ କହିବାନୁଯାୟୀ ତାଙ୍କ ଦାବି ଅନୁସାରେ ତାଙ୍କୁ ତାଙ୍କ ୱାର୍ଡରେ କାର୍ଯ୍ୟର ପରିମାଣ ବଢ଼ାଗଲା । ରିଜୋଲେସନ କପି ପାଇବା ସମୟରେ ନିର୍ବାହୀ ଅଧିକାରୀଙ୍କୁ ଜଣାଇ ପାରିଥିଲେ ଆମେ ଉପଲବ୍ଧି କରିଥାନ୍ତୁ । ଏଣୁ ଏମାନେ କଣ ଚାହୁଁଛନ୍ତି ବୋଲି ଅଧ୍ୟକ୍ଷ ପ୍ରଶ୍ନ କରି କହିଛନ୍ତି । ତିନି ଦିନ ପୂର୍ବରୁ ଧନ୍ୟବାଦ ଆଜି ଧାରଣା ତେବେ ସହରବାସି ନିଷ୍ପତ୍ତି ନିଅନ୍ତୁ କିଏ ବିକାଶର ବାଧକ ବୋଲି ଅଧ୍ୟକ୍ଷ ପ୍ରତିକ୍ରିୟା ରଖିଥିଲେ । ଏବିଷୟରେ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କୁ ପଚାରିବାରୁ ସେ କହିଲେ ସେମାନେ ଧାରଣାରୁ ଉଠିଯାଇଛନ୍ତି । ତାଙ୍କ ଦାବି ବିଷୟରେ ଜିଲାପାଳଙ୍କୁ ଅବଗତ କରାଇବି ବୋଲି କହିବାରୁ ସେମାନେ ଏଥରୁ ନିବୃତ୍ତ ରହିଲେ । ତେବେ ସହରବାସୀ ନାଟକର ନାମ "ପୌର ବିକାଶରେ ରାଜନୀତି’ ଆରମ୍ଭ ଦେଖିଲେ ଯବନିକା କେବେ ଦେଖିବାକୁ ବାକି ରହିଲା । ଧନ୍ୟବାଦ ପରେ ଧାରଣା ଆଉ ଏକ ନାଟକର ଆୟାରମ୍ଭ ନୁହେଁ ତ ବୋଲି ଏକ ଆଶଙ୍କା ଉଦ୍ଜୀବୀତ ହୋଇଛି । ଶେଷରେ ଗୋଟିଏ କଥା ବ୍ୟାସନଗର ପୌରପରିଷଦକୁ ଭଗବାନ ସାହା ।