ପୌର ସାଧାରଣ ବୈଠକରେ ଦୃଢୀକରଣ ହେଲା ପ୍ରସ୍ତାବ; ତଥାପି...
ବ୍ୟାସନଗର : ପୂର୍ବ ଘୋଷିତ ମତେ ବୁଧବାର ପୌର ସାଧାରଣ ବୈଠକରେ ବ୍ୟାସନଗର ବିକାଶ ନିମନ୍ତେ ପ୍ରସ୍ତାବିତ ଟେଣ୍ଡର ପ୍ରକ୍ରୀୟା ଉପରେ ଆଲୋଚନା ହୋଇ ସଂଖ୍ୟାଧିକ ପାରିଷଦଙ୍କ ସମର୍ଥରେ ଦୃଢିକରଣ ହୋଇଛି । ଦୃଢୀକରଣ ପରେ ଆସନ୍ତା ୧୨ତାରିଖ ପୈାରାଞ୍ଚଳ ବିଭିନ୍ନ ୱାର୍ଡ଼ ପାଇଁ ହେବାକୁ ଥିବା କାର୍ଯ୍ୟର ଟେଣ୍ଡର କରାଯିବ । ଏକଥା ଖୋଦ୍ ପୈାର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀ ଚଳିତମାସ ପହିଲା ତାରିଖରେ ସୂଚନା ରଖିଥିଲେ । ସେହି ପରେ ଆଜି ପୈାରପାଳ ସୁବାସ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଉନସିଲର ସାଧାରଣ ବୈଠକରେ ପ୍ରସ୍ତାବ ଉପରେ ଆଲୋଚନା ହୋଇ ଦୃଢିକରଣ ସଂପର୍ଣ୍ଣ ହୋଇଛି । ବୈଠକରେ ୨୩ଜଣ ପାରିଷଦ ଉପସ୍ଥିତ ରହିଥିଲେ ହେଁ ୧୭ଜଣ ବିଜୟ କୁମାର ଜେନା, ଶିବାନନ୍ଦ ନାୟକ, କୁନି ହାସଁଦା, ବୁଦୁନୀ ଦରାଇ, ମୋନାଲିସା ସାହୁ, ସିଦ୍ଧାର୍ଥ ଶଙ୍କର ସାମଲ, ଅନ୍ନପୂର୍ଣ୍ଣା ତରାଇ, ସରୋଜୀନୀ ନାୟକ, ସରିତା ଜେନା, ରଶ୍ମିତା ଖୁଂଟିଆ, ଉର୍ମିଳା ପରିଡ଼ା, ସୁଜାତା ପ୍ରୀୟଦର୍ଶନୀ ପରିଡ଼ା, ରବିନ୍ଦ୍ର ରାଉତ୍, ସରୋଜୀନୀ ନାୟକ, ଦିଲୀପ ସେଠୀ, ଅଶୋକ ଦାସ, ସନ୍ତୋଷ ବରାଳ, ପାର୍ଥସାରଥି ନାୟକ ଦୃଢିକରଣ ସପକ୍ଷରେ ମତ ରଖିଥିଲେ । ଫଳରେ ପ୍ରସ୍ତାବ ଦୃଢିକରଣ ହେବା ସହ ୨୦୨୫/୨୬ଆର୍ଥିକ ବର୍ଷର ୮୫ କୋଟି ଟଙ୍କାର ବଜେଟ ଉପରେ ଆଲୋଚନା ହୋଇଥିଲା । ଦୃଢିକରଣ ପରେ ହଠାତ ୬ଜଣ ପାରିଷଦ ନିଜ ଚେୟାରରୁ ଉଠି ଆମ ୱାର୍ଡ଼କୁ ସମାନ କାମ ଦେବା ଦାବି କରି ବୈଠକ ହଲରେ ବସି ରହିଥିଲେ । ଏଣୁ୧୨ତାରିଖରେ ହେବାକୁ ଥିବା ଟେଣ୍ଡରକୁ ନେଇ ସନେ୍ଦହ ଉପୁଜିଛି । ଟେଣ୍ଡର ହେବା ନହେବା ଏବେ ପୈାର ଏବଂ ଜିଲା ପ୍ରଶାସନ ଉପରେ ନିର୍ଭର କରୁଛି । ବୈଠକରେ ନିର୍ବାହୀ ଅଧିକାରୀ ଶ୍ରୀ ପାଢୀଙ୍କ ସହ ଏମଇ ବିଚିତ୍ର କୁମାର ପୁହାଣ, ଯନ୍ତ୍ରୀ ଜାହିଦା ପରବିନ୍, ନୀଳମାଧବ ନନ୍ଦ, ମାନସ ରଂଜନ ସାହୁ ଉପସ୍ଥିତ ରହିଥିଲେ ।