ଟ୍ରାକ୍ଟର ଚକା ତଳେ ଡ୍ରାଇଭରଙ୍କ ଗଲା ଜୀବନ

 ନୀଳଗିରି: ମାଟି ଉଠାଉଥିବା ବେଳେ ଟ୍ରାକ୍ଟର ଉପରେ ବସିଥିବା ଜଣେ ଡ୍ରାଇଭର ଉପରୁ ତଳକୁ ଖସିପଡିବା ଫଳରେ ଡ୍ରାଇଭର ମୁଣ୍ଡ ଉପରେ ଚକା ଚଢି ଯିବାରୁ ଘଟଣାସ୍ଥଳରେ ସଂପୃକ୍ତ ଡ଼୍ରାଇଭରଙ୍କ ମୃତୁ୍ୟ ହୋଇଛି  । ସୂଚନା ମୁତାବକ ନୀଳଗିରି ବ୍ଲକ ବରହମପୁର ଥାନା ଭଉଁରୀଆବାଡ ପଞ୍ଚାୟତ ବାଲିଆଝର ଗ୍ରାମର ଫୁମ୍ପୁଲୁ ସିଂ (୪୮) ଟ୍ରାକ୍ଟର ଡ୍ରାଇଭର ଭାବେ ସୋର ଥାନା ଖଞ୍ଜାମାହଲ ପାହାଡ ଅଞ୍ଚଳର ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ଟ୍ରାକ୍ଟର ଯୋଗେ ମାଟି ଉଠାଇବାକୁ ଯାଇଥିଲେ । ତେବେ ଡ୍ରାଇଭର ଗାଡ଼ି ଉପରେ ବସିଥିବାବେଳେ ପାଖରେଥିବା ଅନ୍ୟଜଣେ ଲୋକ ହଠାତ୍ ଟ୍ରାକ୍ଟର ଷ୍ଟାର୍ଟ କରିଦେବାରୁ ତଳକୁ ଖସିପଡ଼ିବା ଫଳରେ ଗାଡିଚକା ତାଙ୍କ ମୁଣ୍ଡ ଉପରେ ଚାଲିଯିବାରୁ ଘଟଣାସ୍ଥଳରେ ଡ୍ରାଇଭର ଫୁମ୍ପଲୁର ଜୀବନ ଚାଲିଯାଇଥିଲା । ତେବେ ସ୍ଥାନୀୟଲୋକ ସଙ୍ଗେସଙ୍ଗେ ତାଙ୍କୁ ସୋର ହସ୍ପିଟାଲ୍ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏଭଳି ଦୁଃଖଦ ମୃତୁ୍ୟରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇବାକୁ ଦାବି ହୋଇଛି ।