ମନରେଗା ଅର୍ଥ ହଡ଼ପ ଘଟଣା : ଅଭିଯୋଗ ପରେ ବି ମାମଲା ରୁଜୁ କରୁନି ପୁଲିସ
ସିଂହପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତର ଆବାସ ଅର୍ଥ ହଡ଼ପ ଘଟଣାରେ ଅଭିଯୋଗ ଆଣି ହିତାଧିକାରୀ ପର୍ଦ୍ଦା ଉଠାଇଥିଲେ ହେଁ ପୁଲିସ କିନ୍ତୁ ଏଯାବତ ମାମଲା ରୁଜୁ କରୁନି । ଅଭିଯୋଗ ମିଳିଛି, ତଦନ୍ତ କରାଯାଇ ମାମଲା ରୁଜୁ କରାଯିବ ବୋଲି ଥାନା ଅଧିକାରୀ ବାମଦେବ ନନ୍ଦ କହୁଥିଲେ ହେଁ ପୁଲିସ କିନ୍ତୁ ଦିନ ଗଡ଼ାଇ ଚାଲିଛି । ଯାହାକୁ ନେଇ ହିତାଧିକାରୀ ମାମଲାକୁ ରଫାଦଫା ଉଦ୍ୟମ କରାଯାଉଥିବାର ଆଶଙ୍କା କରୁଛନ୍ତି । ଖବର ଥାଉକି ଗତ ୨୦୨୩/୨୪ ଆର୍ଥିକ ବର୍ଷରେ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ମିଳିବାକୁ ଥିବା ମନରେଗା ଯୋଜନାରେ ମଜୁରୀ ଅର୍ଥ ୨୨୫୦୦ ଟଙ୍କାକୁ ପଞ୍ଚାୟତର ତକôାଳିନ ଜିଆରଏସ ପରେଶ ସାହୁ ହଡପ କରିଥିବା ଅଭିଯୋଗ ହୋଇଛି । ଏଥିନେଇ ହିତାଧିକାରୀ ବ୍ଲକ ପ୍ରଶାସନର ଦ୍ୱାରସ୍ତ ହେବା ସହିତ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ରରେ ହିତାଧିକାରୀ ଦର୍ଶାଇଛନ୍ତି ଯେ ପଞ୍ଚାୟତର ବୈଷ୍ଣବ ସାମଲ ଓ ଚନ୍ଦନ ସାମଲଙ୍କ ଜରିଆରେ ଏହି ଅର୍ଥ ପାଇବା ପାଇଁ ହିତାଧିକାରୀ ତକôାଳିନ ଜିଆରଏସ ପରେଶଙ୍କୁ ଜବକାର୍ଡ ଓ ୫୦୦ ଲେଖାଏଁ ଟଙ୍କା ପ୍ରଦାନ କରିଥିଲେ । ତେବେ ସେମାନଙ୍କୁ ୨୨୫୦୦ଟଙ୍କା ମିଳିବାରେ ବହୁ ବିଳମ୍ବ ହେବାରୁ ସେ ବାରମ୍ବାର ଜିଆରଏସ ଓ ଅନ୍ୟ ମାନଙ୍କୁ ପଚରା ଉଚରା କରି ସନ୍ତୋଷ ଜନକ ଉତ୍ତର ପାଇଲେନି । ବ୍ଲକ ପ୍ରଶାସନ ନିକଟରୁ ଜାଣିବାକୁ ପାଇଥିଲେ ସେମାନେ ପାଇଥିବା ଥିବା ଅର୍ଥକୁ ଜିଆରଏସ ଚଞ୍ଚକତା କରି ଅନ୍ୟ ବ୍ୟାଙ୍କ ଖାତାକୁ ପଠାଇଛି । ଏହି ଅର୍ଥକୁ ଜିଆରଏସ ସମେତ ବୈଷ୍ଣବ ଓ ଚନ୍ଦନ ହଡପ କରିଛନ୍ତି । ଏହା ଜଣାପଡିବା ପରେ ହିତାଧିକାରୀ ସେମାନଙ୍କୁ ଅର୍ଥ ମାଗିଥିଲେ । ମାତ୍ର ସେମାନେ ଅର୍ଥ ନଫେରାଇ ତାଙ୍କୁ ନାଲି ଆଖି ଦେଖାଇଥିଲେ । ଘଟଣାର ସମାଧାନ କରି ହିତାଧିକାରୀମାନଙ୍କୁ ସରପଞ୍ଚଙ୍କ ଜରିଆରେ ସପ୍ତାହ ମଧ୍ୟରେ ଅର୍ଥ ପ୍ରଦାନ ପାଇଁ ମୌଖିକ ଆଲୋଚନା ହୋଇଥିଲା । ମାତ୍ର ଏହା ବିଫଳ ହେବା ପରେ ହିତାଧିକାରୀ ବ୍ଲକ ସମେତ ଥାନାରେ ଅଭିଯୋଗ କରିଥିଲେ । ଏଭଳି ସଙ୍ଗିନ ଅଭିଯୋଗ ଉପରେ ବ୍ଲକ ପ୍ରଶାସନ ଓ ପୁଲିସ ତଦନ୍ତ କରିବା ପରିବର୍ତ୍ତେ ଦିନ ଗଡ଼ାଇ ଚାଲିବା ପଛର ଉଦ୍ୟେଶକୁ ନେଇ ସନେ୍ଦହ ସୃଷ୍ଟି କରିଛନ୍ତି ହିତାଧିକାରୀ ।