ଧାନମଣ୍ଡି ସ୍ଥାନରେ ପ୍ରହର ମଣ୍ଡପ ନିର୍ମାଣ, ଅଞ୍ଚଳବାସୀଙ୍କ ବିରୋଧ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଧାନ ମଣ୍ଡି ସ୍ଥାନରେ ପ୍ରହର ମଣ୍ଡପ ନିର୍ମାଣ ନେଇ ବିରୋଧ ହେଉଛି । ଏହି ସ୍ଥାନରେ ଦୀର୍ଘ ଦିନଧରି ଧାନ ମଣ୍ଡି ଚାଲୁଥିବା ବେଳେ, କେଗାଁ, ସିନାପାଲି ଓ ନୂଆଗାଁ ପଞ୍ଚାୟତର ଚାଷୀମାନେ ଉକ୍ତ ମଣ୍ଡି ଉପରେ ନିର୍ଭର କରୁଥିଲେ । ହେଲେ କେତେକ ଅସାମାଜିକ ବ୍ୟକ୍ତି ସ୍ଥାନରେ ପ୍ରହର ମଣ୍ଡପ ନିର୍ମାଣ କରିବାକୁ ଗାତ ଖୋଲିଥିବା ଦେଖିବାକୁ ମିଳିଛି । ରାଜସ୍ୱ ବିଭାଗରୁ ଜମି ଚିହ୍ନଟ କରି ମଣ୍ଡିକୁ ଦେଇଥିବା ବେଳେ, ଜଣେ ଦୁଇ ଜଣ ଅସାମାଜିକ ବ୍ୟକ୍ତି ଜବରଦଖଲ କରି ପ୍ରହର ମଣ୍ଡପ ନିର୍ମାଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦୃଢ଼ ବିରୋଧ କରିବା ସଙ୍ଗେ କେଗାଁ ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ମଣ୍ଡି ପାଖରେ ଥିବା କମ୍ପୁ୍ୟଟର ଗୃହକୁ ଉଛେଦ ପାଇଁ ପୂର୍ବରୁ ଅନେକ ଖବର କାଗଜରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ଯାହାଫଳରେ ଜବରଦଖଲକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ମଣ୍ଡିପାଖରେ ଥିବା ସରକାରୀ କୋଠରୀକୁ ଯେଉଁ ବ୍ୟକ୍ତିମାନେ ଜବରଦଖଲ କରି କମ୍ପୁ୍ୟଟର ସେଣ୍ଟର କରିଥିଲେ । ସେମାନେ ହିଁ ପ୍ରହର ମଣ୍ଡପ କରିବାରେ ପ୍ରୟାସ କରୁଛନ୍ତି ବୋଲି ଚାଷୀମାନେ କହିଛନ୍ତି । ଏ ନେଇ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାଏକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ଏ ଉପରେ ଉପ ଜିଲ୍ଲାପାଳଙ୍କୁ ଜଣାଇଛି ବୋଲି କହିଛନ୍ତି । ଉପ ଜିଲ୍ଲାପାଳ ଉକ୍ତ କାମ ଉପରେ ଦୃଷ୍ଟି ଦେଇ ଜବରଦଖଲକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ କେଗାଁ ସରପଞ୍ଚ ଅମୃତ ବଛା ସମେତ ଦୟାନିଧି ମହରା, ଅନନ୍ତ ସାହୁ,ରାଧେଶ୍ୟାମ ନାଗ, ବିଜୟ ସାହୁ, ଗୌରଚନ୍ଦ୍ର ପୁଟେଲ, ଟିଟୁ ସାହୁ, ସୋମେଶ୍ୱର ମୁନି, ମୀନକେତନ ପୁଟେଲ, ତୋଫାନ ପୁଟେଲ, ରୋହିତ ପୁଟେଲ, ଭକ୍ତରାମ ପୁଟେଲ, ଭକ୍ତମାଝୀ, ଭୁବନେଶ୍ୱର ପୁଟେଲ ପ୍ରମୁଖ ଦାବି କରିଛନ୍ତି ।