ପ୍ରସନ୍ନଙ୍କ ବଳିଦାନକୁ ଝୁରୁଛି ପାରିଶିଖର

 ନାଉଗାଁ : ଅମର ସହିଦ ପ୍ରସନ୍ନଙ୍କ ପାଇଁ ଆଜି ଗର୍ବିତ ପାରିଶିଖର । ଆଜି ବି ମନେ ପଡେ ସେଦିନର ୪୦ ଯବାନଙ୍କ ବଳିଦାନ ର ଗାଥା । ୨୦୧୯ ଫେବୃଆରୀ ୧୪ ଯେଉଁ ଦିନକୁ ଭୁଲିନି ସମଗ୍ର ଭାରତ । ଯେଉଁ କଥା ମନେ ପଡିଲେ ଦେହରେ ଖେଳି ଯାଏ ଶିହରଣ, ଆଖିରୁ ଝରିଆସେ ଉଷ୍ମଲୁହ ଏବଂ ଥରି ଉଠେ ଛାତି  । ଏହି ଦିନ ହୋଇଥିଲା ଜାମ୍ମୁକାଶ୍ମୀରର ଫୁଲୁୱମା ରେ ସେନାବାହିନୀର ଗାଡି ଉପରକୁ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଯେଉଁ ଆତଙ୍କବାଦୀଙ୍କ ବିସ୍ଫୋରଣ ରେ ସହିଦ ହୋଇଯାଇଥିଲେ ୪୦ବୀର ଯବାନ । ଯାହାଙ୍କ ମଧ୍ୟରେ ଥିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ପାରିଶିଖର ଗ୍ରାମର ସହିଦ ପ୍ରସନ୍ନ ସାହୁ । ଯାହାଙ୍କ ବଳିଦାନ ରେ ଗର୍ବିତ ହୋଇଥିଲା ନାଉଗାଁ ମାଟି ଓ ଦେଶ । ତାଙ୍କର ଏହି ବଳିଦାନକୁ ଆଜି ୬ବର୍ଷ ବିତିଯାଇଛି । କିନ୍ତୁ ତାଙ୍କର ଏହି ବଳିଦାନକୁ ଭୁଲିନି ନିଜ ଜନ୍ମମାଟି ଆଉ ସାରା ଦେଶ । ଦେଶ ପାଇଁ ତାଙ୍କ ର ଏହି ବଳିଦାନ କୁ ନେଇ ଗର୍ବ କରୁଛନ୍ତି ପରିବାର ଲୋକେ  । ଆଜି ତାଙ୍କର ଏହି ସ୍ମୃତି କୁ ମନେ ରଖିବା ପାଇଁ ଗ୍ରାମବାସୀ ଓ ଉକôଳ ସେବା ନିବୃତ୍ତ ସେନାନୀ ସଙ୍ଘ ପକ୍ଷରୁଏକ ସ୍ମୃତି ସଭା ତାଙ୍କ ପୈତୃକ ଗ୍ରାମରେ ଅନୁଷ୍ଠିତ ହୋଇଛି । ସଙ୍ଘ ସଭାପତି ସୋମନାଥ ମହାରଣା, ସମ୍ପାଦକ ସୁଧାଂଶୁ ନାୟକ ଓ ଅନ୍ୟ ସଦସ୍ୟଙ୍କ ପକ୍ଷରୁ ମିଳିତ ଉଦ୍ୟମରେ ତାଙ୍କ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଅନ୍ୟପଟେ ଯାହାଙ୍କ ବଳିଦାନ ପାଇଁ ସାରାଦେଶ ଗର୍ବିତ ହେଲେ ତାଙ୍କରି ବଳିଦାନକୁ ଅଣଦେଖା କରୁଛନ୍ତି ଜିଲ୍ଲା ପ୍ରଶାସନ, କଥାଦେଇ କଥା ରଖିପାରି ନାହାନ୍ତି । ରାଜ୍ୟସରକାର ନିଦେ୍ର୍ଦଶ କ୍ରମେ ଜିଲ୍ଲା ପ୍ରଶାସନ ତାଙ୍କର ଏହି ବଳିଦାନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ଆଦର୍ଶ ସ୍କୁଲ, ଆଦର୍ଶ ଗ୍ରାମ କରିବା ସହିତ ଗ୍ରାମୀଣ ପାର୍କ ଓ ଶିଖରଘାଟ ସେତୁକୁ ତାଙ୍କ ନାମରେ ନାମିତ କରାଯିବାର ଯେଉଁ ପ୍ରତିଶ୍ରୁତି ରହିଥିଲା ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଏହାକୁ ଯଥା ଶୀଘ୍ର କରାଯିବା ପାଇଁ ସରକାର ଓ ପ୍ରଶାସନ ନିକଟରେ ଦାବି ରଖିଛନ୍ତି । କାର୍ଯ୍ୟକ୍ରମ ମୁଖ୍ୟଅତିଥି ସିଆରପିଏଫ୍ ଡିଆଇଜି ଭରତଭୂଷଣ ସେଠୀ ସହ ସିଆରପିଏଫ କମାଡେଣ୍ଟ ଅମୟ ସାହୁ ନାଉଗାଁ ବିଡିଓ ପତନ ମହାପାତ୍ର ଉପସ୍ଥିତ ରହି ପ୍ରସନ୍ନଙ୍କ ବଳିଦାନ ଅବିସ୍ମରଣୀୟ ହୋଇ ରହିବା ବୋଲି ପ୍ରକାଶ କରିଛନ୍ତି ।