ଧାନର ମାନ ନିରୂପଣ ମେସିନରେ ତ୍ରୁଟି : କଟନିଛଟନି ପାଇଁ ଚାପ ପକାଉଛନ୍ତି ମିଲର
ନୂଆପଡ଼ା: ନୂଆପଡ଼ା ବ୍ଳକ ସାରାବଙ୍ଗ ମଣ୍ଡିରେ ଧାନର ମାନ ନିରୂପଣ ମେସିନରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ଏହି ମେସିନରେ ଧାନରେ ଅଧିକ ଆର୍ଦ୍ରତା ଦେଖାଦେଉଥିବାରୁ ମିଲର୍ସ ଧାନ ଉଠାଉନଥିଲା । ପରେ ମେସିନ ବଦଳାଇବାରୁ ଧାନ ସଂଗ୍ରହ ସ୍ୱାଭାବିକ ହୋଇଛି । ତେବେ ଧାନର ମାନ ଖରାପ ଦର୍ଶାଇ କଟନୀଛଟନୀ ପାଇଁ ମିଲର ଚାପ ପକାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ପରିଲକ୍ଷିତ ହୋଇଛି । ଗତ ଡ଼ିସେମ୍ବର ୧୧ରେ ସାରାବଙ୍ଗ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ମଣ୍ଡିରୁ ପ୍ରାୟ ୨୮ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି । ଏବେ ପ୍ରାୟ ୫ ହଜାର ବସ୍ତା ଧାନ ବିକ୍ରି ପାଇଁ ମଣ୍ଡିରେ ପଡିଛି । ଏହି ମଣ୍ଡିରୁ ଧାନ ସଂଗ୍ରହ ପାଇଁ ଡୁମେରପାଣିର କେଜିଏନ ରାଇସ ମିଲ, ଆନନ୍ଦ, ଭିଏସ, ଗୁରୁ ଅମରଦାସ, ଗୁରୁନାନକ, ଶ୍ରୀକ୍ରିଷ୍ଣା, ଜୟ ନାନେଶ ରାଇସ ମିଲ, ବୀର ବଜରଙ୍ଗ ଫୁଡ ପ୍ରଡକ୍ସନ ଦାୟିତ୍ୱ ନେଇଛନ୍ତି । ସାଧାରଣତଃ ୧୭ ପ୍ରତିଶତରୁ କମ୍ ଆର୍ଦ୍ରତା ଥିଲେ ତାକୁ ଭଲ ଧାନ ବୋଲି ଗଣନା କରାଯାଏ । କିନ୍ତୁ ଗତ କିଛିଦିନ ହେବ ଚାଷୀଙ୍କ ଧାନରେ ୧୮ରୁ ୧୯ପ୍ରତିଶତ ଆର୍ଦ୍ରତା ବାହାରିଥିଲା । ଏହି ଧାନକୁ ମିଲର୍ସ ବାହାନା କରି ଉଠାଇବାକୁ ବାରଣ କରିଥିଲା । ଶେଷରେ ମିଲର୍ସଙ୍କ ଚାପରେ ଚାଷୀମାନେ ୩ରୁ ୫କେଜି କଟନୀଛଟନୀ ଦେବାକୁ ବାଧ୍ୟ ହୋଇଥିଲେ । ହେଲେ ଏନେଇ ଚାଷୀଙ୍କ ମନରେ ସନେ୍ଦହ ହୋଇଥିଲା । ସାରାବଙ୍ଗ ମଣ୍ଡିର ଜଣେ ଚାଷୀ ନିଜ ଧାନକୁ ନେଇ ପଞ୍ଚମପୁର ମଣ୍ଡିରେ ଧାନ ମାନ ନିରୂପଣ କରିଥିଲେ । ସେହି ଧାନ ପଞ୍ଚମପୁର ମଣ୍ଡିର ମେସିନରେ ୧୬ରୁ ୧୭ ପ୍ରତିଶତ ଆର୍ଦ୍ରତା ବାହାରିଥିଲା । ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ଜାହିର କରି ଜିଲ୍ଲା ଯୋଗାଣ ବିଭାଗକୁ ଜଣାଇଥିଲେ । ଜିଲ୍ଲାର ଅନେକ ମଣ୍ଡିରେ ଏଭଳି ଧାନ ଆର୍ଦ୍ରତା ବାହାନା କରି ମିଲର୍ସ ମନମୁଖି କଟନୀଛଟନୀ କରୁଥିବା ଅଭିଯୋଗ ହେଉଛି । ପରେ ଅତିରିକ୍ତ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ନେତୃତ୍ୱରେ ଏକ ଟିମ ସାରାବଙ୍ଗ ମଣ୍ଡିରେ ପହଞ୍ଚିଥିଲେ । ସେଠି ଜିଲ୍ଲା କାର୍ଯ୍ୟାଳୟରୁ ନେଇଥିବା ଅନ୍ୟ ୩/୪ଟି ମେସିନରେ ଧାନର ଆର୍ଦ୍ରତା ଯାଞ୍ଚ କରିଥିଲେ । ଏଥିରେ ସଠିକ ଆର୍ଦ୍ରତା ବାହାରିବା ସହ ନୂତନ ମେସିନରେ ଧାନଦେବାକୁ ଚାଷୀ ରାଜି ହୋଇଥିଲେ । ତେବେ ମେସନିରେ ତ୍ରୁଟି ରହିଥିଲା ନା ଜାଣିଶୁଣି ବିଭାଗୀୟ ଅଧିକାରୀ ଏଭଳି ମେସିନ ଦେଇଥିଲେ । ଯାହାକୁ ନେଇ ବର୍ତ୍ତମାନ ଚାଷୀଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଛି ।ବିଭାଗୀୟ ଅଧିକାରୀ ଓ ରାଇସ ମିଲର୍ସ ସଲାସୁତୁରା ହୋଇ ମଣ୍ଡିରେ ତ୍ରୁଟିପୂର୍ଣ୍ଣ ମାନ ନିରୂପଣ ମେସିନ ଦେଇ ଧାନ କଟନୀଛଟନୀ କରି ଚାଷୀଙ୍କୁ ଶୋଷଣ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସହ ରାଇସ ମିଲର୍ସଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପରିଷଦ ସଭ୍ୟ ଭରତଲାଲ ରାଉତ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କମଲେଶ ଦିକ୍ଷିତ, ବିକାଶ ଦିକ୍ଷିତ, ରାମଚରଣ ସାହୁ, ଯମୁନାଲାଲ ଯାଦବ, ଲାଲସିଂ ମାଝୀ ପ୍ରମୁଖ ଦାବି କରିଛନ୍ତି । ଜିଲ୍ଲାପାଳ ଏଦିଗରେ ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେବା ସହ ଚାଷୀଙ୍କୁ ଶୋଷଣରୁ ମୁକ୍ତି କରିବାକୁ ଦାବି ହେଉଛି ।