ନଦୀବନ୍ଧ ଦୁର୍ବଳ, ଯାତାୟାତ ବାଧାପ୍ରାପ୍ତ
ମରାମତି କରିବାକୁ ମନ ବଳାଉନି ଜଳ ସଂପଦ ବିଭାଗ । ଫଳରେ ନଦୀବନ୍ଧ ରାସ୍ତାଟି ଦୁର୍ବଳ ହୋଇପଡ଼ିଛି । ରାସ୍ତା ମରାମତି ହେଉନଥିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି । ଯାଜପୁର ବ୍ଳକ ସିମିଳିଆ ପଞ୍ଚାୟତର ରାଜଘାଟ ଠାରୁ ଷଠିଆଟିକିରି ରାସ୍ତାଟି ଯାହାକି ଖରସ୍ରୋତା ସେତୁ ନିକଟରୁ ଦରାଜପୁରକୁ ସଂଯୋଗ କରୁଛି । ଷଠିଆଟିକିରିରେ ବସବାସ କରୁଥିବା ପରିବାର ପାଇଁ ରାଜଘାଟ ବାଟେ ମୁଖ୍ୟତଃ ହରିପୁର ହାଟ, ବରୁଆଁ ଛକ, ସୁଜନପୁର, ସଦର ଥାନାକୁ ଯିବା ଆସିବା କରିବାକୁ ପସନ୍ଦ କରିଥାନ୍ତି । କାରଣ ଏହି ରାସ୍ତାଟି ଉପରୋକ୍ତ ଅଞ୍ଚଳର ଦୂରତା ମାତ୍ର ତିନି କିଲୋମିଟର ହେଉଛି । କିନ୍ତୁ ରାସ୍ତା ଅବସ୍ଥାକୁ ନେଇ ଲୋକେ ବାଧ୍ୟହୋଇ ସିମିଳିଆ, ବୁଢାଘାଟ ହୋଇ ବରୁଆଁକୁ ୧୦କିଲୋମିଟର ବୁଲି ଯିବାକୁ ପଡୁଛି । ପୂର୍ବ ସରକାର ଏହି ଅଞ୍ଚଳର ଗମନାଗମନ ପାଇଁ ଏକ ମାଷ୍ଟର୍ ପ୍ଲାନ୍ ମାଧ୍ୟମରେ ବ୍ରିଜ୍ ନିର୍ମାଣ ପାଇଁ ଅର୍ଥ ବ୍ୟୟ ବରାଦ କରିଥିଲେ । ଯାହାକି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ନଦୀବନ୍ଧରେ ଗତ ଦୁଇ ବର୍ଷ ମଧ୍ୟରେ ଜଳସେଚନ ବିଭାଗ ପକ୍ଷରୁ ମୁଠାଏ ମାଟି ପକାଇ ମରାମତି କରାଯାଇନାହିଁ । ନଦୀ ବନ୍ଧରେ ଲୋକମାନେ ଚଳ ପ୍ରଚଳ କରିବାଦ୍ୱାରା ବନ୍ଧ ପାର୍ଶ୍ୱରେ ବିରାଟ ବିରାଟ ଗର୍ତ୍ତମାନ ସୃଷ୍ଟି ହୋଇଛି । କିଛି କିଛି ସ୍ଥାନରେ କୋକି ଶିଆଳ ମାନେ ଗାତ କରି ରହିବା ଦ୍ୱାରା ଗର୍ତ୍ତ ସୃଷ୍ଠି ହୋଇ ବନ୍ୟା ସମୟରେ ବିପଦର କାରଣ ହୋଇଛି । ଏଥିପ୍ରତି ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀ ମାନଙ୍କର ନଜର ପଡୁନାହିଁ । ଏଭଳି ପରିସ୍ଥିତିରେ ଏହି ଅଞ୍ଚଳରେ ଥିବା ଲୋକମାନେ ଯାତାୟତ ପାଇଁ ବିଭିନ୍ନ ଅସୁବିଧାର ସମ୍ନୁଖୀନ ହେଉଥିବାର ଦେଖାଯାଇଛି । ଜିଲା ପ୍ରଶାସନ ନଦୀ ବନ୍ଧକୁ ଯାଞ୍ଚ କରିବା ସହ ଯୁଦ୍ଧକାଳୀନ ଭିତିରେ ବନ୍ଧ ମରାମତି କରି ସିମିଳିଆ ଅଂଚଳର ଲୋକମାନଙ୍କର ଗମନାଗମନର ଅସୁବିଧାକୁ ଦୂର କରିବାକୁ ନଦୀକୂଳରେ ବସବାସ କରୁଥିବା ଲୋକେ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।