ନଦୀବନ୍ଧ ପଥର ପ୍ୟାକିଂ କାର୍ଯ୍ୟରେ ଅନିୟମିତତା
ନିଶ୍ଚିନ୍ତକୋଇଲି : ଚିତ୍ରୋତ୍ପଳ ନଦୀରେ ବନ୍ୟା ଆସିଲେ ଦୁର୍ବଳ ନଦୀବନ୍ଧକୁ ସବଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ପଥର ପ୍ୟାକିଂ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲେ ମଧ୍ୟ ଠିକାଦାରଙ୍କ ବୈମାତୃକ ମନୋଭାବ ପାଇଁ ନଦୀ ତଟରେ ହୋଇଥିବା ପଥର ପ୍ୟାକିଂର ସ୍ଥାୟିତ୍ୱ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପଟ ପାଳଦା ପଞ୍ଚାୟତର ଦୁଦୁରା ଓ ମଣିଜଙ୍ଗ ପଞ୍ଚାୟତର ମଣିଜଙ୍ଗ ତଟ ଏବଂ ଦାଉଦପୁର ପଞ୍ଚାୟତର କଳସୀବଟ ପାଖରେ ଦୁର୍ବଳ ନଦୀବନ୍ଧ ଥିବାରୁ ବନ୍ଧକୁ ସୁରକ୍ଷା ଦେବା ପାଇଁ ପଥର ପ୍ୟାକିଂ ହୋଇଛି । ସରକାରୀ ନିୟମାନୁଯାୟୀ ଅତଡାର ନିମ୍ନଭାଗରୁ ପଥର ଖଞ୍ଜା ନ ଯାଇ କିଛି ପଥର ଖଣ୍ଡ ପକାଇ ଦିଆଯାଇ ଉପରସ୍ତରରୁ ବାଲି ମାଟିରେ ପ୍ୟାକିଂ କରି ଦିଆଯାଇଛି । ଯାହାଫଳରେ ଅସରାଏ ବର୍ଷା ହେଲେ ପଥର ଗୁଡିକ ଖସିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନାହିଁ । ପାଳଦା ପଞ୍ଚାୟତର ଦୁଦୁରା ଗ୍ରାମରେ ନଦୀବଢ଼ି ସମୟରେ ଲୋକମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେବା ସହିତ ବନ୍ଧର ସୁରକ୍ଷା ପାଇଁ ସ୍ଥାନୀୟ ଲୋକମାନେ ବହୁବାର ଆପତ୍ତି ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକମାନଙ୍କ ଦାବିକୁ ସମର୍ଥନ କରି ପୂର୍ବତନ ସରକାର ଦୁଦୁରା ତଟର ସୁରକ୍ଷା ପାଇଁ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା, ମଣୀଜଙ୍ଗରେ ବନ୍ଧର ସୁରକ୍ଷା ପାଇଁ ୧ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଓ କଳସୀ ବଟର ସୁରକ୍ଷା ପାଇଁ ୩୨ଲକ୍ଷ ପ୍ରଦାନ କରାଯାଇଥିଲା । ଦାୟିତ୍ୱରେ ଥିବା ଠିକାଦାରମାନେ ବିଭାଗୀୟ କର୍ମଚାରୀଙ୍କ କଥାକୁ ଗୁରୁତ୍ୱ ନ ଦେଇ ନିଜ ଇଚ୍ଛା ମୁତାବକ ପଥର ଖଞ୍ଜିଦେଇଥିବା ଅଭିଯୋଗ ହୋଇଛି । ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାର ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କଲେ ଦ୍ୱୀପାଞ୍ଚଳ ଲୋକମାନେ ସୁରକ୍ଷିତ ରହିପାରିବା ସହିତ ଦୁର୍ନୀତି କରୁଥିବା ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି ।