ନନ୍ଦାହାଣ୍ଡି ବ୍ଲକ ଦୁର୍ନୀତି ଘଟଣା: ଅଫିସରଙ୍କ ସୁରକ୍ଷାରେ ବାହାରିଲେ ବ୍ଲକ ଅଧ୍ୟକ୍ଷା
ନବରଙ୍ଗପୁର : ନନ୍ଦାହାଣ୍ଡି ବ୍ଲକରେ ୧୨୭ ସଂଖ୍ୟକ ପ୍ରକଳ୍ପରେ ପ୍ରାୟ ୧୨ କୋଟି ୬୨ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ସମ୍ପର୍କରେ ବିଜେଡି ଆଣିଥିବା ଅଭିଯୋଗ ବିରୋଧରେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଅଫିସରମାନଙ୍କୁ ସୁରକ୍ଷା ଦେଉଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଖବର ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । ବିଜେଡିର ଶୀର୍ଷ ନେତୃତ୍ୱ ବିରୋଧରେ ବିଜେଡି ବାହାରିବା ପରେ ଜିଲ୍ଲା ସଭାପତି ମନହୋର ରନ୍ଧାରୀଙ୍କ ସମେତ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ନନ୍ଦାହାଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ଅରୁଣ ମିଶ୍ରଙ୍କ ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ ହୋଇଛି ।
ପ୍ରକାଶ ଯେ, ନିକଟରେ ସ୍ଥାନୀୟ ଏକ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନନ୍ଦାହାଣ୍ଡି ବ୍ଲକରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ । ବ୍ଲକରେ ୧୨୭ ସଂଖ୍ୟକ ପ୍ରକଳ୍ପରେ ପ୍ରାୟ ୧୨ କୋଟି ୬୨ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଖୁଲାସା କରାଯାଇଥିଲା । ଏଥିରେ ନନ୍ଦାହାଣ୍ଡି ବ୍ଲକ ସମେତ ଫରେଷ୍ଟ, ହର୍ଟିକଲଚର ଏବଂ ମୃତ୍ତିକା ସଙ୍ଘରକ୍ଷଣ ବିଭାଗ ମିଥ୍ୟା ବିଲ୍ କରି ସରକାରୀ ଟଙ୍କା ଆତ୍ମସାତ୍ କରିଥିବା କୁହାଯାଇଥିଲା । ଏଭଳି ଦୁର୍ନୀତି ପାଇଁ ନେତୃମଣ୍ଡଳୀମାନେ ଜିଲ୍ଲାପାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଦାୟୀ କରିବା ସହ ନନ୍ଦାହାଣ୍ଡି ବିଡିଓଙ୍କୁ ତୁରନ୍ତ ସସ୍ପପେଣ୍ଡ କରାଯାଉ ବୋଲି ଦାବି କରିଥିଲେ । ଏହାବ୍ୟତୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦଳ ପକ୍ଷରୁ ଭିଜିଲାନ୍ସ ଓ ସିବିଆଇର ଦ୍ୱାରସ୍ଥ ହେବା ସହ ଏକ ବିରାଟ ଜନଆାନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଜିଲ୍ଲା ସଭାପତି ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠେଇବେ କହିଥିଲେ । ଇତି ମଧ୍ୟରେ ଘଟଣାର ମୋଡ ପରିବର୍ତ୍ତନ ହୋଇଛି । ଦୁର୍ନୀତିଗ୍ରସ୍ତ କୁହାଯାଉଥିବା ଅଧିକାରୀ ମାନଙ୍କ ସପକ୍ଷରେ ଅଧ୍ୟକ୍ଷାଙ୍କ ସମେତ କିଛି ସମିତି ସଭ୍ୟ ଓ ସରପଞ୍ଚମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହି ସାକ୍ଷାତ ପରେ ବିଜେଡି ଶୀର୍ଷ ନେତୃତ୍ୱମାନେ ପରବର୍ତ୍ତୀ ରଣନୀତି ପାଇଁ ସଜବାଜ ହେଉଥିବା ଜଣାପଡିଛି ।