ନବବର୍ଷ ଅନୁଚିନ୍ତାରେ ବିଶ୍ୱାସର ପୃଥିବୀ 

ଡ.ଲକ୍ଷ୍ମଣ ସାହୁ : ନୂତନ ବର୍ଷର ଆଗମନ ଅଳ୍ପ ଦିନ ବାକି ଅଛି । ଗୋଟିଏ ପରେ ଗୋଟିଏ କ୍ୟାଲେଣ୍ଡର ଏମିତି ବଦଳିଯାଇ ନୂତନ ସୂର୍ଯ୍ୟୋଦୟ ସୁନେଲି ସ୍ୱପ୍ନାଦେଶ ବିଶ୍ୱାସ ଚନ୍ଦ୍ରାଲୋକରୁ ସୂର୍ଯ୍ୟାଲୋକ ଆଡକୁ ଗତି କରୁଛି। ନୂତନ ବର୍ଷର ସ୍ୱାଗତ ନିମନ୍ତେ ଗୀର୍ଜା, ମସଜିଦ, ମନ୍ଦିରର ଦ୍ୱାର ଉନ୍ମୁକ୍ତ ରହିଛି । ଯେଉଁ ମନ୍ଦିରରେ ହାତ ଯୋଡି ଦେବା/ଦେବୀଙ୍କ ନିକଟରେ ନିଜର ମଙ୍ଗଳ କାମନା କରୁଛେ, ସେହି ସଭ୍ୟତାର ଗଭୀର ବିଶ୍ୱାସ ଧ୍ୱଂସାଭିମୁଖୀ ହେବାକୁ ଯାଉଥିବା ସଂପର୍କରେ ଥରେ କେହି କେବେ ଭାବିନାହେଁ । ଭାରତୀୟ ସଭ୍ୟତାରେ ସମୟର ଛାୟାଚିତ୍ର ପ୍ରଥମେ ଧର୍ମ ଉପରେ ଆଧାରିତ, ଯାହାର କେବେ ତୁଳନା ନାହିଁ।ଈଶ୍ୱର ଅଛନ୍ତି କି ନାହିଁ ! ଏହି ପ୍ରଶ୍ନ ଶତାବ୍ଦୀ ଶତାବ୍ଦୀ ଧରି ମାନବଜାତିକୁ କଷ୍ଟ ଦେଇ ଆସୁଛି । କିନ୍ତୁ ସତ କହିବାକୁ ଗଲେ ଏହା ଯେତେ ପୁରୁଣା, ତାହା ସେତେ କ୍ଳାନ୍ତ ଅବସନ୍ନ । ଏହି ବିତର୍କ କ୍ଷୁଧା ମେଣ୍ଟାଇ ନାହିଁ, ରୋଗ ଦୂର କରେ ନାହିଁ, କିମ୍ବା ଅନ୍ୟାୟକୁ ବନ୍ଦ କରେ ନାହିଁ । ତେଣୁ ଏ ପରିପ୍ରେକ୍ଷୀରେ ଆଜିର ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଈଶ୍ୱର ଅଛନ୍ତି କି ନାହିଁ । ବରଂ କିଛି ଲୋକ ନିଜକୁ ଈଶ୍ୱରଙ୍କ ପ୍ରତିନିଧି ବୋଲି କାହିଁକି ଘୋଷଣା କରନ୍ତି ଓ ସମାଜ କାହିଁକି ନିଃସନ୍ଦେହରେ ସେମାନଙ୍କ ଦାବିକୁ ସହଜରେ ଗ୍ରହଣ କରିନିଏ ଆଶ୍ଚର୍ଯ୍ୟ ଲାଗେ। ବାସ୍ତବରେ କୌତୁହଳ ଲାଗିବା ସ୍ୱାଭାବିକ । ସେମାନେ ଆକାଶକୁ ଚାହିଁ ରହନ୍ତି, ମୃତ୍ୟୁକୁ ଭୟ କରନ୍ତି ଓ ଦୁଃଖକଷ୍ଟର ଅର୍ଥ ଖୋଜନ୍ତି । ବିଶ୍ୱାସ ଏହି ସବୁରୁ ଜନ୍ମ ନିଏ । ବିଶ୍ୱାସ ନିଜେ ଏକ ସମସ୍ୟା ନୁହେଁ କିମ୍ବା ସମାଧାନ ନୁହେଁ । ସମସ୍ୟା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ବିଶ୍ୱାସ ଏକ ଅନୁଷ୍ଠାନ, ଗୋଷ୍ଠୀ କିମ୍ବା ବ୍ୟକ୍ତି ଦ୍ୱାରା ନିୟନ୍ତ୍ରିତ ହୁଏ। ଯେତେବେଳେ କେହି ଦାବି କରନ୍ତି ଯେ କେବଳ ସେମାନଙ୍କର ଈଶ୍ୱରଙ୍କ ପାଖରେ ପହଞ୍ଚିବାର ସୁବିଧା ଅଛି, ସେତେବେଳେ ବିଶ୍ୱାସ ବ୍ୟକ୍ତିଗତ ଅଭିଜ୍ଞତାରୁ ଶକ୍ତିର ଏକ ଉପକରଣକୁ ସ୍ଥାନାନ୍ତରିତ ହୁଏ। ତେଣୁ ବିଶ୍ୱାସ ବିହୁନେ ଆଜି ନିରୁଦ୍ଧିଷ୍ଟ ଭଗବାନ। ଅସହାୟ ଈଶ୍ୱର ଓ ମଣିଷ ଦ୍ୱାରା ଗଢି ଉଠିଥିବା ସମ୍ପର୍କ ହିଁ ତ “ବିଶ୍ୱାସ” । ହେଲେ ଆଜି ନିରୁଦ୍ଧିଷ୍ଟ ମଣିଷ ମଣିଷ ମଧ୍ୟରେ ବିଶ୍ୱାସ ନାହିଁ । ସବୁ କିଛି ଅଚିହ୍ନା, ପରିବେଶର କେଉଁ ପରିବର୍ତ୍ତନ ଅନୁଧ୍ୟାନ କରିବା ସତରେ ମୁସ୍କିଲ୍‌ ହୋଇପଡୁଛି । ବିଶ୍ୱାସ କାହା ସହିତ ସମ୍ପର୍କ ଗଢ଼ି ଦିଏ’ତ ବେଳେବେଳେ କାହା ସହିତ ସମ୍ପର୍କ ବିଛିନ୍ନ କରି କେତେବେଳେ ନିଜେ ନିଜର ଜୀବନ ନେଇଯାଏ  କହିହେବ ନାହିଁ । ପ୍ରତ୍ୟେକଙ୍କ ଜୀବନରେ ବିଶ୍ୱାସ ଜନ୍ମାଇବା ଲାଗି ଶ୍ରୀମଦ୍‌ ଭାଗବତ ଗୀତାରେ କୁହାଯାଇଛି “ବିଶ୍ୱାସ ମୂଳେ ଏ ଜଗତ, ପ୍ରାଣୀ ହୁଅନ୍ତି ଆତ ଜାତ”। ହେଲେ ଏହାକୁ ମାନିନେବା ପାଇଁ ଏ ନର ସମାଜ ନାରାଜ ଏହାର ପ୍ରମାଣ ଦେବା ପାଇଁ ତର୍କ ବିତର୍କ ଆରମ୍ଭ ହୋଇଯାଏ । 


   “ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର” ଅର୍ଥାତ୍‌ ବିଶ୍ୱାସରେ ଈଶ୍ୱର ମାନିଲେ ଦେବତା ନ ମାନିଲେ ପଥର । ଈଶ୍ୱରଙ୍କ ସୃଷ୍ଟିରେ ବିଶ୍ୱାସ ସମ୍ପର୍କର ମୂଳଦୁଆ ନଚେତ୍‌ ଏ ଜୀବ ଜଗତରେ ଚଳିବା ଅସମ୍ଭବ। ବିଶ୍ୱାସର ବିଲୁପ୍ତିରେ ଏ ସମାଜ ଅଧଃପତନ ଆଡ଼କୁ ଗତି କରେ । ବିଶ୍ୱାସରେ ସର୍ତ୍ତ ସୃଷ୍ଟି ହିଁ ବିଶ୍ୱାସ ସଙ୍କଟର କାରକ, ଏଥିପାଇଁ ଯଦି ପ୍ରଶ୍ନ ଉଠେ ତେବେ କୁହାଯିବ ଏହାପାଇଁ ପ୍ରମାଣର ଆବଶ୍ୟକତା ନାହିଁ କେବେଳ ଆସ୍ଥା ହିଁ ଯଥେଷ୍ଟ “ମନ୍ଦିରରେ ଦେଖୁଥିବା ପଥର ଈଶ୍ୱର ନୁହେଁ, ବରଂ ପଥର ମଧ୍ୟରେ ଈଶ୍ୱର ବିଦ୍ୟମାନ” ଛଦ୍ମ ଛଳନାର ଖୋଳପା ମଧ୍ୟରେ ମଣିଷ ଆଜି ସ୍ୱାର୍ଥ ହାସଲ ଲକ୍ଷ୍ୟରେ ହଜିଯାଇଛି ସମସ୍ତ କଥା ବସ୍ତୁକୁ ସର୍ବୋପରି ଅନୁଧ୍ୟାନ କରି କୁହାଯିବ ବିଶ୍ୱକୁ ନେଇ ବିଶ୍ୱାସ ସୃଷ୍ଟି । ଇତିହାସ ସାକ୍ଷୀ ଅଛି ଯେ ସମାଜରେ ଶ୍ରମ ବିଭାଜନ ବୃଦ୍ଧି ପାଇବା ସହିତ ଚିନ୍ତାଧାରାର ବିଭାଜନ ମଧ୍ୟ ବୃଦ୍ଧି ପାଇଲା । କିଛି ଲୋକ ଉତ୍ପାଦନରେ ନିୟୋଜିତ ହେଲେ, କିଛି ବ୍ୟବସ୍ଥା ପରିଚାଳନାରେ ଓ ଅନ୍ୟ କିଛି ଲୋକ ଅର୍ଥ ସୃଷ୍ଟି କରିବାରେ । ଏପରିକି ଶେଷରେ ଏଭଳି ଶ୍ରେଣୀର ଲୋକ ଉଭା ହେଲେ ଯେଉଁମାନେ ଅଦୃଶ୍ୟ ଶକ୍ତିଗୁଡ଼ିକୁ ବ୍ୟାଖ୍ୟା କରିବାକୁ ଲାଗିଲେ । ସେମାନେ ଭୟ, ଆଶା ଓ ଦୋଷକୁ ଗୋଟିଏ ସୂତ୍ରରେ ବାନ୍ଧିଦେଲେ । ସେଥିପାଇଁ ନୂତନ ନିୟମ ସୃଷ୍ଟି କଲେ , ଯାହା ସାଧାରଣ ଲୋକଙ୍କ ଜୀବନକୁ ନିୟନ୍ତ୍ରଣ କରିବାକୁ ଲାଗିଲା । ଏହି ନିୟନ୍ତ୍ରଣ ଧୀରେ ଧୀରେ ଏତେ ସ୍ୱାଭାବିକ ହୋଇଗଲା ଯେ ଏହାକୁ ପ୍ରଶ୍ନ କରିବା ଏକ ପାପ ବୋଲି ବିବେଚନା କରାଗଲା । ବୈଜ୍ଞାନିକ ଦୃଷ୍ଟିକୋଣ ଆମକୁ କହେ ଯେ ମାନବ ମନ ଏକ ନମୁନା ଖୋଜୁଥିବା ଯନ୍ତ୍ର । ଏହା ଅନିଶ୍ଚିତତାକୁ ଭୟ କରେ ଓ ବିଶେଷ କରି କାରଣ ଖୋଜେ । ଯେତେବେଳେ କାରଣ ବୁଝାପଡେ ନାହିଁ, ସେତେବେଳେ କଳ୍ପନା ସୃଷ୍ଟି ହୁଏ। ଏହା ଏକ ଦୁର୍ବଳତା ନୁହେଁ, ବରଂ ଏକ ଜୈବିକ ସତ୍ୟ। ସମସ୍ୟା ସେତେବେଳେ ଉପୁଜେ ଯେତେବେଳେ ଏହି କଳ୍ପନାଗୁଡ଼ିକୁ ସ୍ଥାୟୀ ସତ୍ୟ ବୋଲି ଘୋଷଣା କରାଯାଏ ଓ ସେଥିରୁ ସାମାଜିକ ନିୟମ ସୃଷ୍ଟି ହୁଏ। ବିଜ୍ଞାନ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରୁଥିବା ବେଳେ, ବିଶ୍ୱାସ-ଆଧାରିତ ଶକ୍ତି ପ୍ରଶ୍ନ ପଚାରିବାକୁ ଅପରାଧୀ କରିଥାଏ ।


  ପ୍ରତ୍ୟେକ ଧାରଣା ଏହାର ସମୟ ଓ ପରିସ୍ଥିତିର ଉତ୍ପାଦ ଅଟେ । ଯେଉଁ ସମାଜରେ ସମ୍ବଳର ଅଭାବ ଥିଲା, ସେଠାରେ ପରଲୋକର ଧାରଣା ଦୃଢ଼ ହୋଇଉଠିଲା । ଯେଉଁ ସମାଜରେ ଶୋଷଣ ଗଭୀର ଥିଲା, ସେଠାରେ ସହନଶୀଳତା ଏକ ସଦଗୁଣରେ ଉନ୍ନୀତ ହୋଇଥିଲା । ଏହା କୌଣସି ସଂଯୋଗ ନୁହେଁ । ଚିନ୍ତାଧାରା ସର୍ବଦା ଭୌତିକ ପରିସ୍ଥିତିରୁ ଉତ୍ପନ୍ନ ହୁଏ । ତେଣୁ ଯେତେବେଳେ ଏକ ଗୋଷ୍ଠୀ ଅନନ୍ତ ସତ୍ୟର ଅଧିକାରୀ ବୋଲି ଦାବି କରେ, ପ୍ରଥମ ପ୍ରଶ୍ନ ହେଉଛି ସେହି ସତ୍ୟରୁ କିଏ କେତେ ଲାଭ ପାଏ। ଏଠାରେ ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ପ୍ରଶ୍ନଟି ଜଣେ ବ୍ୟକ୍ତିଙ୍କ ବିଶ୍ୱାସ ବିଷୟରେ ନୁହେଁ, ବରଂ ସେହି ବିଶ୍ୱାସର ରାଜନୀତି ବିଷୟରେ । ଯଦି ଜଣେ ବ୍ୟକ୍ତି କୌଣସି ଅଦୃଶ୍ୟ ଶକ୍ତିରେ ବିଶ୍ୱାସ କରନ୍ତି । ଜଣେ କ’ଣ ବିଶ୍ୱାସ କରେ ତାହା ଏକ ବ୍ୟକ୍ତିଗତ ବିଷୟ । କିନ୍ତୁ ଯେତେବେଳେ ସେହି ସମାନ ବିଶ୍ୱାସ ଅନ୍ୟମାନଙ୍କ ଉପରେ ଲଦି ଦିଆଯାଏ, ଆଇନ, ନୈତିକତା ଓ ସାମାଜିକ ସ୍ଥିତିର ଆଧାର ହୋଇଯାଏ, ଏହା ଏକ ସାର୍ବଜନୀନ ପ୍ରସଙ୍ଗ ହୋଇଯାଏ । ତା’ପରେ ଏହି ବ୍ୟବସ୍ଥାର ବୈଧତା ଉପରେ ପ୍ରଶ୍ନ ଉଠାଇବା ଜରୁରି ହୋଇଯାଏ । ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନରେ ଏପରି ଅନେକ କ୍ଷେତ୍ର ଅଛି, ଯେଉଁଠାରେ ପ୍ରଶ୍ନ ଉଠାଇବାକୁ ଅସଭ୍ୟ ବୋଲି ବିବେଚନା କରାଯାଏ । କାରଣ ସଭ୍ୟତା କିଛି ସୀମା ସ୍ଥିର କରିଛି । ଏହି ସୀମା ବ୍ୟକ୍ତିଗତ ମର୍ଯ୍ୟାଦା ବଜାୟ ରଖିବା ପାଇଁ ରହିଛି । ବିଶ୍ୱାସକୁ ଯଦି ବ୍ୟକ୍ତିଗତ କ୍ଷେତ୍ର ମଧ୍ୟରେ ରଖାଯାଏ, ତେବେ ମଧ୍ୟ ଏହି ମର୍ଯ୍ୟାଦାର ଏକ ଅଂଶ  । କିନ୍ତୁ ଯେତେବେଳେ ବିଶ୍ୱାସ ନାମରେ କେହି ଅନ୍ୟମାନଙ୍କର କୌତୁହଳ, ଜୀବନଶୈଳୀ କିମ୍ବା ଚିନ୍ତାଧାରା ପରୀକ୍ଷା କରିବାକୁ ଆରମ୍ଭ କରନ୍ତି ସେହି ବିଶ୍ୱାସ ତାହାର ନୈତିକ ମୂଳଦୁଆ ହରାଇଥାଏ।


  ନିୟନ୍ତ୍ରଣ ପାଇଁ ଇଚ୍ଛା ପ୍ରାୟତଃ ଅସୁରକ୍ଷାରୁ ଉତ୍ପନ୍ନ ହୁଏ । ଯେଉଁମାନେ ଅସ୍ଥିର ଅନୁଭବ କରନ୍ତି ସେମାନେ ଅନ୍ୟମାନଙ୍କ ଜୀବନରେ ନିୟମ ଲଦି ସ୍ଥିରତା ଖୋଜନ୍ତି । ଧାର୍ମିକ ଚୁକ୍ତିନାମା ଏହି ମାନସିକତାର ଏକ ସାମୂହିକ ପ୍ରକାଶ । ଏଥିରେ ବ୍ୟକ୍ତି ନୁହେଁ, ଗୋଷ୍ଠୀ ହିଁ କଥା କହୁଛି । ପ୍ରଶ୍ନ କରିବା ପାଇଁ , ଯିଏ ଆଜ୍ଞା ପାଳନ କରେ ସେ ଅଲଗା ହୋଇଯାଏ। ଏପରିକି ଆଜ୍ଞାପାଳକକୁ ପୁରସ୍କୃତ କରାଯାଏ । ଧୀରେ ଧୀରେ ସମାଜ ଚିନ୍ତା କରିବା ଅପେକ୍ଷା ଆଜ୍ଞାପାଳନର ଅଭ୍ୟାସ ବିକଶିତ କରେ । ସତ୍ୟ ଏପରି କିଛି ପ୍ରସ୍ତୁତ ଜିନିଷ ନୁହେଁ ଯାହାକୁ କେହି ଆବିଷ୍କାର କରି ଏକ ସୁରକ୍ଷିତ ସ୍ଥାନରେ ବନ୍ଦ କରିଦିଏ । ସତ୍ୟ ଏକ ପ୍ରକ୍ରିୟା, ଅଭିଜ୍ଞତା, ଆଲୋଚନା ଓ ସମାଲୋଚନା ମାଧ୍ୟମରେ ବିକଶିତ ହୁଏ। ଯେତେବେଳେ ଏକ ଧାରଣା ସମାଲୋଚନାରୁ ଊର୍ଦ୍ଧ୍ୱକୁ ଯାଏ, ଏହା ସତ୍ୟ ହୋଇ ରହେ ନାହିଁ, ଏହା କେବଳ ଶକ୍ତିର ଏକ ଉପକରଣ ହୋଇଯାଏ । ତେଣୁ ପ୍ରକୃତ ନୈତିକତା ଆମେ ଯାହା ବିଶ୍ୱାସ କରୁ ତାହା ନୁହେଁ, ବରଂ ଆମେ ଅନ୍ୟମାନଙ୍କୁ କେତେ ସ୍ୱାଧୀନତା ଦେବାକୁ ଅନୁମତି ଦେଉଛୁ ତାହା । ବ୍ରହ୍ମାଣ୍ଡ ଏକ ନୈତିକ ଫର୍ଦ୍ଦ ଦଲିଲ୍‌ ବା ଏଜେଣ୍ଡା ସହିତ କାର୍ଯ୍ୟ କରେ ନାହିଁ । ପ୍ରକୃତି କାହାକୁ ଦଣ୍ଡ ଦିଏ ନାହିଁ କିମ୍ବା ପୁରସ୍କୃତ କରେ ନାହିଁ।

 
  କାରଣ ଓ ପ୍ରଭାବର ଏକ ନିରନ୍ତର ଭାବ କ୍ରମ ଅଛି । ଯେତେବେଳେ ସମାଜ ଏହି ସତ୍ୟକୁ ବୁଝିବା ଆରମ୍ଭ କରେ, ସେତେବେଳେ ଗୁରୁ ଦାୟିତ୍ୱ ନିଜ ଭିତରେ ରହିବା ଆରମ୍ଭ କରେ, ଉପରେ ନୁହେଁ । ତା'ପରେ ଅନ୍ୟାୟକୁ ଆଉ କିଛି ଦିବ୍ୟ ଯୋଜନା ଉପରେ ଦୋଷ ଦିଆଯାଏ ନାହିଁ, ବରଂ ମାନବ ବ୍ୟବସ୍ଥା ପରିବର୍ତ୍ତନ ହୁଏ । ଏହି ବିନ୍ଦୁ ବିଶ୍ୱାସ ମାଧ୍ୟମରେ ଶକ୍ତି ପ୍ରୟୋଗ କରୁଥିବା ଲୋକଙ୍କ ପାଇଁ ସବୁଠାରୁ ଅସ୍ୱସ୍ତିକର। କାରଣ ଯେତେବେଳେ ଦାୟିତ୍ୱ ମଣିଷ ହାତରେ ପଡ଼ିଯାଏ, ସେତେବେଳେ ପ୍ରଶ୍ନ ମଧ୍ୟ ଆସିଥାଏ । ପ୍ରଶ୍ନଗୁଡ଼ିକ ସମ୍ବଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସମ୍ମାନର ବଣ୍ଟନ ଚାରିପାଖରେ ଘୂରି ବୁଲନ୍ତି। ତା'ପରେ ଏହା କହିବା ଆଉ ସହଜ ନୁହେଁ ଯେ ସବୁକିଛି କିଛି ଅଦୃଶ୍ୟ ଇଚ୍ଛାର ଫଳାଫଳ। ତା'ପରେ ଏହା ସ୍ପଷ୍ଟ ହୋଇଯାଏ । ଏହା ଦେଖାଯାଉଛି ଯେ ଅନେକ ଜିନିଷ ମଣିଷ ଦ୍ୱାରା ସୃଷ୍ଟି ହୋଇଛି, ଓ ଆବଶ୍ୟକ ସ୍ଥଳେ କେବଳ ମଣିଷ ହିଁ ସେଗୁଡ଼ିକୁ ପରିବର୍ତ୍ତନ କରିପାରିବ । ତେଣୁ ଆଜିର ବିତର୍କର କେନ୍ଦ୍ରବିନ୍ଦୁ ହେବା ଉଚିତ୍‌ ଯେ କାହାକୁ ଧାରଣାର ଅନୁମତି ପତ୍ର ବା ଲାଇସେନ୍ସ ଦିଆଯାଇଛି ଓ କାହିଁକି । କିଏ ନିର୍ଣ୍ଣୟ କରେ କେଉଁଟି ଠିକ୍‌ ଓ ଭୁଲ ଆଚରଣ ? ଏହାକୁ ନିର୍ଣ୍ଣୟ କରିବାର ଅଧିକାର କ'ଣ ଜନ୍ମରୁ, ପୁସ୍ତକରୁ, ନା କ୍ଷମତାରୁ ଆସିଛି ? ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌଣସି ଧାରଣାକୁ ଏଭଳି ପ୍ରତିଷ୍ଠିତ କରାଯାଇପାରିବ ଯେ ତାହାକୁ ପ୍ରଶ୍ନ କରିବା ଏକ ଅପରାଧ ହୋଇଯାଏ । ଏକ ପରିପକ୍ୱ ସମାଜ ଏପରି ନୁହେଁ ଯେଉଁଠାରେ ସମସ୍ତେ ସମାନ ଭାବରେ ଚିନ୍ତା କରନ୍ତି, ବରଂ ଏପରି ଏକ ସମାଜ ଯେଉଁଠାରେ ଭିନ୍ନ ଚିନ୍ତାଧାରା ପାଇଁ ସ୍ଥାନ ରହିଥାଏ। ଯେଉଁଠାରେ ବିଶ୍ୱାସ ଥାଇପାରେ, କିନ୍ତୁ ଏହାକୁ ଭୟଭୀତ କରିବା କିମ୍ବା ଦମନ କରିବା ପାଇଁ ବ୍ୟବହାର କରାଯାଏ ନାହିଁ । ଯେଉଁଠାରେ ପ୍ରଶ୍ନ ପଚାରିବା ଅସମ୍ମାନଜନକ ନୁହେଁ, ବରଂ ବୌଦ୍ଧିକ ସଚ୍ଚୋଟତା ବୋଲି ବିବେଚନା କରାଯାଏ।


   ଏକଦା ଯୋଗଜନ୍ମା ଦାର୍ଶନିକ କନ୍‌ଫ୍ୟୁସିୟସ କହିଥିଲେ, ‘ଯଦି ଈଶ୍ୱର ନ ଥାନ୍ତି, ଚାଲ ଆମେ ତାଙ୍କୁ ଉଦ୍‌ଭାବନ କରିବା ।’  ସ୍ପଷ୍ଟ ମନେହୁଏ ସେ ଈଶ୍ୱରଙ୍କ ସ୍ଥିତିକୁ ନେଇ ନିଶ୍ଚିତ ନ ଥିଲେ, କିନ୍ତୁ ମାନବ ସମାଜର ହିତ ପାଇଁ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ରଖିବା ଅପରିହାର୍ଯ୍ୟ ବୋଲି ମନେକରୁଥିଲେ । ବିଶ୍ୱାସ ହେଉଛି ବ୍ୟକ୍ତିଗତ ଢାଞ୍ଚା କିମ୍ବା ଏକ ଦୃଢ଼ ଧାରଣା । ଦୈନିକ ଆମେ କଥାବାର୍ତ୍ତାରେ କହୁ, “ମୋର ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । " ଏହାର ଅର୍ଥ ଆମେ ତାଙ୍କ ଉପରେ ଆସ୍ଥା ରଖୁ । ଈଶ୍ୱର ବିଶ୍ୱାସ ଆମ ଦେହ ଓ ମନ ଉପରେ  ସକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଆମେରିକାର ମନସ୍ତତ୍ତ୍ୱବିତ୍‌ ସି.ଏସ୍‌.ଏଲିସନ୍‌ ଓ ଜେ.ଏସ୍‌. ଲେଭିନ୍‌ ମତ ଦେଇଛନ୍ତିି। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ-ଧ୍ରୁବଙ୍କର ତପସ୍ୟା କରିବାର ବୟସ ହୋଇନଥିଲା , ଗଜେନ୍ଦ୍ର ପାଖରେ କୌଣସି ବିଶେଷ ବିଦ୍ୟା ନଥିଲା , ଯଦୁପତି ଉଗ୍ରସେନଙ୍କର କିଛି ପରାକ୍ରମ ନଥିଲା , କୁବ୍‌ଜା ସୁନ୍ଦରୀ ନଥିଲା , ମୋତେ କିଛି ଦେବା ପାଇଁ ସୁଦାମା ପାଖରେ ଧନ ନଥିଲା , ସେମାନଙ୍କର ମୋ ପ୍ରତି ଗଭୀର ବିଶ୍ୱାସ ଥିଲା । କେବଳ ଏତିକି ନୁହେଁ, ନିଷାଦରାଜ, ସୁଗ୍ରୀବ, ବିଭୀଷଣ, ହନୁମାନ ଏପରିକି ବୃତ୍ତାସୁର ଓ ପୁତନା ଇତ୍ୟାଦି ସେମାନଙ୍କର ମୋ ଉପରେ ଥିବା ବିଶ୍ୱାସ ଯୋଗୁ ମୋ ଆଶୀର୍ବାଦ ପାଇପାରିଲେ । ‘ମୁଁ ତୁମର’ ବୋଲି ବିଶ୍ୱାସ ଆସିଲେ ‘ତୁମେ ବି ମୋର’ ହୋଇଯିବ । ଶେଷରେ ସବୁକିଛି ଏହି କଥାରେ ଶେଷ ହୁଏ। ନୂତନ ବର୍ଷର ଆଗମନ  ଈଶ୍ୱରଙ୍କଠାରେ ବିଶ୍ୱାସ କିମ୍ବା ଅବିଶ୍ୱାସ ଅପେକ୍ଷା ମାନବତାର ବିଶ୍ୱାସ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ବୁଝାମଣା, କରୁଣା ଓ ପରିବର୍ତ୍ତନ କରିବାର କ୍ଷମତାରେ ନିର୍ଭର କରେ । ଆମେ ଯେପର୍ଯ୍ୟନ୍ତ ଅନ୍ୟମାନଙ୍କୁ କ’ଣ ଭାବିବା ଉଚିତ୍‌ ତାହା ନିର୍ଦ୍ଦେଶ ଦେବାକୁ ଦେଉଛୁ, ସେପର୍ଯ୍ୟନ୍ତ ଆମେ ଆମ ନିଜସ୍ୱ ତିଆରି ଶୃଙ୍ଖଳକୁ ପୂଜା କରି ଚାଲିଥିବା। ପ୍ରକୃତ ମୁକ୍ତି ସ୍ୱର୍ଗରୁ ନୁହେଁ, ବରଂ ପ୍ରଶ୍ନ ପଚାରିବା ପାଇଁ ନିଜକୁ ଅନୁମତି ଦେଉଥିବା ସାହସରୁ ଆସିଥାଏ । ଏହାହିଁ ହେଉ ନୂତନ ବର୍ଷର ଅନୁଚିନ୍ତା...!!!


 ଅଧ୍ୟକ୍ଷ, ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ -୪
 ମୋ: ୯୦୪୦ ୧୫୧୪୭୫