ସ୍ୱାସ୍ଥ୍ୟକେନ୍ଦ୍ର ପୂର୍ଣାଙ୍ଗ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି ଅଧିକ୍ଷକ : ସନ୍ଦେହରେ ସିଡିଏମଓ ଓ ଷ୍ଟେନୋବାବୁଙ୍କ ଭୂମିକା

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା. କମଳାକାନ୍ତ ସ୍ୱାଇଁଙ୍କୁ ଡେପୁଟେସନ ସହ ଡା. ସରୋଜ କୁମାର ରାଉଳଙ୍କୁ ପୂର୍ଣାଙ୍ଗ ଦାଇତ୍ୱ ହସ୍ତାନ୍ତର ପାଇଁ ହୋଇଥିବା ଆଦେଶ ପାଳନ ହେଉନଥିବା ଜଣାଯାଇଛି । ସି.ଡି.ଏମ.ଓ. ଗତ ସେପେପ୍ଟମ୍ବର ୨୫ ତାରିଖରେ ପ୍ରକାଶିତ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୩୬୭୫ ଅନୁଯାୟୀ ଗତ ୬ ତାରିଖ ସୁଦ୍ଧା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ପୂର୍ଣ୍ଣାଙ୍ଗ ଦାଇତ୍ୱ ଡା. ରାଉଳଙ୍କୁ ହସ୍ତାନ୍ତର କରି ଅଧିକ୍ଷକ ଡା. ସ୍ୱାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକଙ୍କୁ ରିପୋର୍ଟ କରିବେ । ହେଲେ ଗତ ୬ ତାରିଖ ଅପରାହ୍ନ ୧.୩୦ମି. ସମୟରେ ଅଧିକ୍ଷକ ଡା. ସ୍ୱାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅଣଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ କରିବାକୁ ଡା. ରାଉଳଙ୍କୁ ଅନୁରୋଧ କରିବା ସହ ୮ ତାରିଖ ବୁଧବାର ସୁଦ୍ଧା ପୂର୍ଣାଙ୍ଗ ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏ ସମ୍ପର୍କରେ ଡା. ରାଉଳ ସି.ଡି.ଏମ.ଓ.ଙ୍କୁ ଫୋନ ଯୋଗେ ଜଣାଇବାକୁ ଯୋଗାଯୋଗ କରିଥିଲେ । ସି.ଡି.ଏମ.ଓ.ଙ୍କ ଫୋନ ଷ୍ଟେନୋବାବୁ ଗ୍ରହଣ କରି ଡା ସ୍ୱାଇଁଙ୍କୁ ସୁଯୋଗ ଦେବାକୁ କହିବା ସହ ୮ ତାରିଖ ଦାଇତ୍ୱ ହସ୍ତାନ୍ତର ପାଇଁ ସେ ନିଶ୍ଚିତ କରିବେ ବୋଲି ବ୍ୟକ୍ତିଗତ ଭାବେ ଆଶ୍ୱାସନା ଦେଇଥିଲେ । ବିଦାୟ ସମୟରେ ଡା. ସ୍ୱାଇଁଙ୍କ ଅନୁରୋଧ ଓ ଷ୍ଟେନୋବାବୁଙ୍କ ପ୍ରତିଶ୍ରୁତିକୁ ଡା. ରାଉଳ ଦୟାପରବଶ ହୋଇ ଗ୍ରହଣ କରି ଫସିଯାଇଥିଲେ । ପୂର୍ଣାଙ୍ଗ ଦାଇତ୍ୱ ହସ୍ତାନ୍ତର ହୋଇନଥିବାରୁ ଡା. ସ୍ୱାଇଁଙ୍କୁ ରିଲିଭ କରାଯାଇ ପାରିନଥିଲା । ସେହି ଅବସ୍ଥାରେ ତାଙ୍କ ରିପୋର୍ଟକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଗ୍ରହଣ କରିନେଇଥିଲେ । ସାମୟିକ ଛୁଟି ଦାଇତ୍ୱ ହସ୍ତାନ୍ତର ଗତ ୬ତାରିଖରେ ହେବା ପରେ ୮ ତାରିଖ ପୂର୍ଣାଙ୍ଗ ଦାଇତ୍ୱ ପାଇଁ ଡା. ସ୍ୱାଇଁ ଆଉ ଧରାଛୁଆଁ ଦେଉନଥିବା ଜଣାଯାଇଛି । ଅନ୍ୟପକ୍ଷରେ ଡା. ସ୍ୱାଇଁଙ୍କୁ ସି.ଡି.ଏମ.ଓ. କୁଆଡେ ଛୁଟି ମଞ୍ଜୁର କରିଦେଇଥିବା ଜଣାଯାଇଛି । ସରକାରୀ ଚାକିରି ନିୟମ ଅନୁଯାୟୀ ସାମୟିକ ଦାଇତ୍ୱ ହସ୍ତାନ୍ତର ଅବଧି ସର୍ବାଧିକ ୩ ଦିନ ଅଟେ । ପୂର୍ଣାଙ୍ଗ ଦାଇତ୍ୱ ମିଳିନାହିଁ, ଅନ୍ୟପକ୍ଷରେ ସାମୟିକ ଦାଇତ୍ୱ ଅବଧି ସମାପ୍ତ ହୋଇଛି । ଏଭଳି ପରିସ୍ଥିତିରେ ଡା. ରାଉଳ କିଂକର୍ତ୍ତବ୍ୟବିମୁଢ଼ ଅବସ୍ଥାରେ ରହିଥିବା ଜଣାଯାଇଛି । ସ୍ୱାଭାବିକ ଭାବେ ଏହାଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚଳାଇବା ସମ୍ଭବପର ନୁହେଁ । ଏହି ସୁଯୋଗକୁ ସମ୍ଭବତଃ ଅପେକ୍ଷା କରିଛନ୍ତି ଜିଲ୍ଲା ଚିକିତ୍ସାଳୟ କର୍ତ୍ତୃପକ୍ଷ । ଡା. ରାଉଳ ଚଳାଇ ପାରୁନାହାନ୍ତି ସେଥିପାଇଁ ଡା. ସ୍ୱାଇଁଙ୍କୁ ପୁନର୍ବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫେରାଇବା ଚକ୍ରାନ୍ତ ହୁଏତ ସଫଳ ହୋଇପାରିବ ବୋଲି ଆଶା ବାନ୍ଧିଛନ୍ତି ଜିଲ୍ଲା ମେଡିକାଲ କର୍ତ୍ତୃପକ୍ଷ । ଡା.ସ୍ୱାଇଁ ଦାଇତ୍ୱ ହସ୍ତାନ୍ତର ନକରି ଆଦେଶକୁ ଅମାନ୍ୟ କରିଥିବା ନେଇ ସି.ଡି.ଏମ.ଓ. ନୀରବ ରହିବା ଦ୍ୱାରା ଚକ୍ରାନ୍ତ ଆଶଙ୍କା ଦୃଢୀଭୂତ ହୋଇଛି । ଏହାକୁ ନେଇ ଚେତାବନୀ ଦେଇଛନ୍ତି ଅଭିଯୋଗକାରୀ ରମେଶ ଭାରତୀ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ ପ୍ରମୁଖ । ଜନସାଧାରଣଙ୍କ ଧୈର୍ଯ୍ୟର ପରୀକ୍ଷା ନକରିବାକୁ ଅଭିଯୋଗକାରୀମାନେ ସତର୍କ କରାଇ ଦେଇଛନ୍ତି । ଭାରପ୍ରାପ୍ତ ସି.ଡି.ଏମ.ଓ. ଭଣ୍ଡାରିପୋଖରୀ ଅଞ୍ଚଳର ବାସିନ୍ଦା ହୋଇ ଚକ୍ରାନ୍ତରେ ସାମିଲ ହେବାକୁ ନାପସନ୍ଦ କରିଛନ୍ତି ଅଭିଯୋଗକାରୀମାନେ । ଏ ସମ୍ପର୍କରେ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଭାରପ୍ରାପ୍ତ ସି.ଡି.ଏମ.ଓ. ସୁଧିରଞ୍ଜନ ନାୟକ ପ୍ରକାଶ କରିଛନ୍ତି ।