ବର୍ଦ୍ଧନା ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଛ କଟା!

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ବନିକା ବିଟ୍ ଅନ୍ତର୍ଗତ ନିଶାଗଡିଆ ନିକଟ ବର୍ଦ୍ଧନା ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ୧୦୦୦ରୁ ଉଦ୍ଧ୍ୱର୍ ୟୁକାଲିପଟାସ ଗଛ କଟାଯାଇଛି । ନିଶାଗଡିଆ ବନ ସୁରକ୍ଷା ସମିତିକୁ ଗଛ କାଟିବାକୁ ଅନୁମତି ମିଳିନଥିବାବେଳେ କିପରି ଏତେ ସଂଖ୍ୟାରେ ଗଛ କଟିଲା ତାହା ଏବେ ତଦନ୍ତ ସାପେକ୍ଷ । ବର୍ଦ୍ଧନା ସଂରକ୍ଷିତ ଜଙ୍ଗଲରେ ପୂର୍ବରୁ ବହୁ ଗଛ କଟାଯାଇ ବାହାର ରାଜ୍ୟକୁ ଚାଲାଣ ହୋଇଥିବାବେଳେ ଏବେ ମଧ୍ୟ ବହୁ ସଂଖ୍ୟାରେ କଟା ଗଛ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପଡି ରହିଛି । ଜଙ୍ଗଲ ବିଭାଗ ଜଙ୍ଗଲର ସୁରକ୍ଷା କରିବା ପରିବର୍ତ୍ତେ ବେଆଇନ ଗଛ କାଟୁଥିବା ଲୋକଙ୍କୁ ସୁରକ୍ଷା ଦେଉଛି । ଜଙ୍ଗଲ ବିଭାଗ ଗଛ କଟାକୁ ପ୍ରାଧାନ୍ୟ ଦେଉଥିବାରୁ କେନ୍ଦୁଝର ଜିଲ୍ଲା ଜଙ୍ଗଲ ଶୂନ୍ୟ ହେବାକୁ ଲାଗିଛି । ଯାହାକି ବିଭାଗର କାର୍ଯ୍ୟଶୈଳୀକୁ ନେଇ ସନେ୍ଦହ ସୃଷ୍ଟି କରୁଛି । ବର୍ଦ୍ଧନା ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଛ କଟାରେ ଝୁମ୍ପୁରା ଅଞ୍ଚଳର ସଂଖ୍ୟାଲଘୁ କାଠ ମାଫିଆଙ୍କ ହାତ ରହିଥିବା ଆଲୋଚନା ହେଉଛି । ଚମ୍ପୁଆ ରେଞ୍ଜରେ ଖୋଦ ବନ ବିଭାଗ ଯଦି ରକ୍ଷକ ହୋଇ ଭକ୍ଷକ ହେବ ତେବେ ଖୁବ କମ ଦିନରେ ବିଭିନ୍ନ ଜଙ୍ଗଲରେ ଥିବା ୟୁକାଲିପଟାସ ଏବଂ ଆକାଶିଆ ଗଛ ଲୋପ ପାଇବ । ବନବିଭାଗ ସଂରକ୍ଷିତ ଜଙ୍ଗଲ,ଗ୍ରାମ୍ୟ ଜଙ୍ଗଲରେ ୟୁକାଲିପଟାସ ଓ ଆକାଶିଆ ଗଛ କାଟିବାକୁ ଅନୁମତି ପ୍ରଦାନ କରୁଥିବାରୁ ବନ ବିଭାଗ,ସଂଖ୍ୟାଲଘୁ କାଠ ମାଫିଆ,ବନ ସୁରକ୍ଷା ସମିତି ସଦସ୍ୟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ସନେ୍ଦହ କରାଯାଉଛି । ସଂରକ୍ଷିତ ଜଙ୍ଗଲରେ ୟୁକାଲିପଟାସ ଗଛ ବେଧଡକ କଟାଯାଉଥିବାରୁ ଜଙ୍ଗଲର ଘନତ୍ୱ କମିବାରେ ଲାଗିଛି । ଫଳରେ ଜଙ୍ଗଲରେ ବସବାସ କରୁଥିବା ବନ୍ୟପ୍ରାଣୀ ଗାଁ ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।