ନଳକୂପ ଅଚଳ, ପାଣି ପାଇଁ ଲୋକେ ଡହଳ ବିକଳ 

 କାକଟପୁର : ଏବେ ଗ୍ରୀଷ୍ମପ୍ରବାହ ଧୀରେ ଧୀରେ ତାର କାୟା ବିସ୍ତାର କରିଚାଲିଛି  । ୧୦ ଟା ପରେ ଲୋକେ ଘର ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି  । ଆଗକୁ ଏହାର ପରିଣାମ ଆହୁରି ବିଷମ ହେବ ବୋଲି ପରିବେଶବିତ୍ ମାନେ ଏବେଠୁ ଚେତାବନୀ ଦେଲେଣି  । କିନ୍ତୁ ପୁରୀଜିଲ୍ଲା କାକଟପୁର ବ୍ଲକ୍ର ଶତାଧିକ ଗ୍ରାମରେ ଏବେ ପାନୀୟ ଜଳର ସଂକଟ ଉକôଟ ରୂପ ଧାରଣ କରିଥିବାବେଳେ ଏହାର ନିରାକରଣ ଦିଗରେ ସରକାରୀ ତତ୍ପରତା ପ୍ରକାଶ ପାଉନାହିଁ  । ଏଭଳି ଏକ ସମସ୍ୟାର ସମାଧାନ ପାଇଁ ଲୋକେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ନୟାନ୍ତ ହେଲାପରେ ମଧ୍ୟ ଅଧିକାରୀମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଭଳି ମନେ ହେଉଛି  । ଏହି ବ୍ଲକ୍ର ଜଳେଶ୍ୱପଡା, ନାସିକେଶ୍ୱର, ବାଙ୍ଗୁରୀଗାଁ, ଲତାହରଣ, ଓଲଙ୍ଗର, ପଥରପକା, କୁଣ୍ଢେଇ, ଚିତ୍ରେଶ୍ୱରୀ, କୁରୁଜଙ୍ଗ, ବବୁଆ, ଧନୀତ୍ରୀ, ଛେନୁଅ, ତଣ୍ଡାହର, କୁଅଁରପୁର, ନଡ଼ିଆମଠ, ଛୋଟିପଡ଼ା ଓ ନାଉବାଲି ଆଦି ଗ୍ରାମର ବହୁ ନଳକୂପ ଏବେ ଅଚଳ ହୋଇଛି  । ଫଳରେ ଶତାଧିକ ଗ୍ରାମରେ ଜଳକଷ୍ଟ ପରିଲକ୍ଷିତ ହୋଇଥିବାବେଳେ ପୂର୍ବରୁ ବସାଯାଇଥିବା ନଳକୂପଗୁଡିକ ଅଚଳ ହୋଇପଡିଛି  । କେବଳ ନଳକୂପ ନୁହେଁ ଏ ସମସ୍ତ ଅଂଚଳରେ ରହିଥିବା ବସୁଧା ଓ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଗୁଡିକର ଅବସ୍ଥା ମଧ୍ୟ ତଦୃପ  । ଫଳରେ ପିଇବା ପାଣି ପାଇଁ ପ୍ରଚଣ୍ଡ ଖରାରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ହନ୍ତସନ୍ତ ହେଉଛନ୍ତି  । ସରକାରଙ୍କ ମେଗା ଯୋଜନାରେ ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣର କାର୍ଯ୍ୟ କେବଳ ହୋଡିଂ ଓ କାଗଜ କଲମରେ ଚାଲିଥିବାରୁ ତାହା ବାସ୍ତବରେ ଲୋକ ହିତରେ ଆସୁନାହିଁ  । ଏହି ଯୋଜନାରେ ଉପରୋକ୍ତ ବିଭିନ୍ନ ଅଂଚଳରେ ଏବେ ପାନୀୟଜଳ ସମସ୍ୟା ଉକôଟ ରୂପ ନେଇଛି  । ଏହି ବ୍ଲକ୍ର ୧୫ ରୁ ଉର୍ଦ୍ଧ୍ୱ ପଞ୍ଚାୟତରେ ଏବେ ଜଳସଙ୍କଟ ଉଗ୍ରରୂପ ନେଲାଣି  । ପ୍ରତ୍ୟେକ ଗ୍ରୀଷ୍ମଋତୁ ସମୟରେ ଅବଶ୍ୟ ପରିସ୍ଥିତି ଜଟିଳ ହୋଇଥାଏ  । କିନ୍ତୁ ଜିଲା ପ୍ରଶାସନ ସେ ଦିଗରେ ଆଗୁଆ ପଦକ୍ଷେପ ନେଇଥାନ୍ତି  । କିନ୍ତୁ ଏଠାରେ ନଳକୂପ ଅଚଳ ଓ ପାନୀୟ ଜଳ ସମସ୍ୟା ନେଇ ଜିଲା ପ୍ରଶାସନ ପାଖରେ ତଥ୍ୟ ମହଜୁଦ ରହିଥିଲେ ମଧ୍ୟ ତାର ଆଧାରରେ କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ  । ଯାହା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି  । ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଅଚଳ ନଳକୂପ ଗୁଡିକୁ ମରାମତି କରାଯାଇଥାଏ  । କିନ୍ତୁ ଚଳିତବର୍ଷ ତାହା ଠପ୍ ହୋଇଯାଇଛି  । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତ ଆରମ୍ଭ ହୋଇଥିବାର କୁହାଯାଉଥିବା ବେଳେ କାକଟପୁର ବ୍ଲକର ଉପରୋକ୍ତ ଜଳକିଷ୍ଟ ଅଂଚଳରେ ତାର ବିପରୀତ ବ୍ୟବସ୍ଥା ବୁଦ୍ଧିଜୀବୀଙ୍କୁ ଚକିତ କରିଛି । ତେବେ ଏ ସମ୍ପର୍କରେ କାକଟପୁର ବିଡିଓ  ବିଷ୍ଣୁ ଗୋବିନ୍ଦଙ୍କ ସହ ଆମ ପ୍ରତିନିଧି ଯୋଗାଯୋଗ କରିବାରେ ପାନୀୟ ଜଳ ସମସ୍ୟାର ଅଭିଯୋଗ ଆସିନାହିଁ, ତଥାପି ଏ ଦିଗରେ ନଜର ଦିଆଯିବ ବୋଲି ସେ କହିବା ଆଶ୍ଚର୍ଯ୍ୟଜନକ ମନେହୁଏ  । ଏଣୁ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ପ୍ରଶାସନ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ କାକଟପୁର ବାସୀ ଦାବି କରିଛନ୍ତି  ।