ନାବାଳିକା ଅପହରଣକାରୀକୁ  ୩ ବର୍ଷ ଜେଲ

 ଯାଜପୁର ଟାଉନ : ଜନୈକା ୧୩ ବର୍ଷୀୟା ନାବାଳିକାକୁ ଅପହରଣ କରିଥିବା ଘଟଣାରେ ତାଙ୍କ ଘରେ କାର୍ଯ୍ୟ କରୁଥିବା ଟଗ ମୁଣ୍ଡା (୨୭)କୁ ୩ ବର୍ଷ କାରାଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା କରି ଏକ ରାୟ ପ୍ରକାଶ କରିଛନ୍ତି । ବିବରଣୀରୁ ପ୍ରକାଶ କୋରେଇ ଥାନା ଅଧିନସ୍ଥ ଆଲିଆ ଗ୍ରାମର ଟଗ ମୁଣ୍ଡା ନାବାଳିକା ଘରେ କାର୍ଯ୍ୟ କରୁଥିଲେ । ଗତ ୨୦୨୪ ମସିହା ଅଗଷ୍ଟ ୨୫ ତାରିଖ ରାତିରେ ନାବାଳିକା ଶୋଇଥିବା ସମୟରେ ତାକୁ ଅପହରଣ କରି ନେଇଯାଇଥିଲା ବୋଲି ନାବାଳିକାର ପରିବାର ପକ୍ଷରୁ ପାଣିକୋଇଲି ଥାନାରେ ଲିଖିତ ଏତଲା ଦାୟର କରାଯାଇଥିଲା । ଏହି ଲିଖିତ ଏତଲାକୁ ଆଧାର କରି ପାଣିକୋଇଲି ଥାନାଧିକାରୀ ଥାନା କେଶ ନଂ. ୩୭୨/୨୪ ମୁତାବକ ଏକ ଅପହରଣ ମାମଲା ଦାୟର କରି ତଦନ୍ତ ଜାରି ରଖିଥିଲା । ୧୦ ଦିନ ପରେ ଟଗ ମୁଣ୍ଡା ଘରୁ ନାବାଳିକାକୁ ପୁଲିସ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମଙ୍ଗଳବାର ଦିନ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଶରତ କୁମାର ଦେହୁରୀ ୧୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଟଗ ମୁଣ୍ଡାକୁ ୩ ବର୍ଷ କାରାଦଣ୍ଡ ସହ ୩ହଜାର ଟଙ୍କା ଜରିମାନା କରି ରାୟ ପ୍ରକାଶ କରିଛନ୍ତି । ଏହି ଜରିମାନା ପ୍ରଦାନ ନ କଲେ ଅଭିଯୁକ୍ତ ପୁନଶ୍ଚ ୬ମାସ ଅଧିକ ଜେଲ୍ ଦଣ୍ଡାଦେଶ ଭୋଗିବେ ବୋଲି ରାୟରେ ନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ପାର୍ଥ ରାୟ ପରିଚାଳନା କରୁଥିଲେ ।