ନାବାଳିକା ସହ କୁକର୍ମ, ଦୋଷୀକୁ ଫାଶୀଦଣ୍ଡ କୋର୍ଟ କହିଲେ ବିରଳରୁ ବିରଳତମ ମାମଲା

କୋଲକାତା: ଜଣେ ୭ ବର୍ଷୀୟା ଶିଶୁକୁ ବିଭତ୍ସ ତଥା ଅମାନୁଷିକ ଭାବେ କୁକର୍ମ କରିଥିବା ଅଭିଯୋଗରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କଲିକତାର ସ୍ୱତନ୍ତ୍ର କୋର୍ଟ । ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ଝରଗ୍ରାମର ରାଜୀବ ଘୋଷ ହୋଇଥିବା ଏହା ସବୁଠାରୁ ବିରଳରୁ ବିରଳତମ ମାମଲା ବୋଲି କୋର୍ଟ କହିଛନ୍ତି । ସେହିପରି ପୀଡ଼ିତା ପରିବାରକୁ ୧୦ ଲକ୍ଷ ସହାୟତା ଦେବାକୁ ଘୋଷଣା କରିଛନ୍ତି ସ୍ୱତନ୍ତ୍ର କୋର୍ଟ ।
ଗତବର୍ଷ ନଭେମ୍ବର ୩୦ରେ କୋଲକାତାର ବୁର୍ତୋଳା ଅଞ୍ଚଳରେ ଏହି କୁକର୍ମ ଘଟିଥିବା ବେଳେ ପୁଲିସ୍ ଗତ ଡିସେମ୍ବର ୪ରେ ଏହି ଅମାନୁଷିକ କାଣ୍ଡ ଭିଆଇଥିବା ରାଜୀବ ଘୋଷକୁ ନିଜ ଅଞ୍ଚଳ ଝରଗ୍ରାମରୁ ଗିରଫ କରିଥିଲା । ତେବେ ଶିଶୁର ବାପାମା’ ବୁଲାବିକାଳୀ ହୋଇଥିବା ବେଳେ ଫୁଟପାଥରେ ଉଠାଦୋକାନୀ ଭାବେ ବ୍ୟବସାୟ କରନ୍ତି । ନଭେମ୍ବର ୩୦ ଦିନ ତାଙ୍କ ୭ ବର୍ଷିଆ ଝିଅ ନିଖୋଜ ହେବା ପରେ ତାଙ୍କ ବାପାମା’ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ଏହାର କିଛିଘଣ୍ଟା ପରେ ଶିଶୁଟି ପ୍ରବଳ ରକ୍ତାକ୍ତ ହୋଇ ଫୁଟ୍ପାଥରେ ବସି କାନ୍ଦୁଥିବା ତାଙ୍କ ବାପା ମା’ ଦେଖିବାକୁ ପାଇଥିଲେ । ପରେ ତାକୁ ମେଡିକାଲ୍ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଶିଶୁ ସହ ବିଭତ୍ସ ଭାବେ ଅସଦାଚରଣ କରାଯାଇଥିବା କହିଥିଲେ । ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫୁଟପାଥ୍ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରକୁ ଭିତ୍ତି କରି ତଦନ୍ତକୁ ତ୍ୱରାନ୍ୱିତ କରିଥିଲା । ମାମଲାରେ ପୁଲିସ୍ ରାଜୀବ ଘୋଷକୁ ଗିରଫ କରିବା ସହ ସିସିଟିଭି ଫୁଟେଜ୍ରୁ ଶିଶୁସହ ଅତି ଅମାନୁଷିକ ଭାବେ କୁକର୍ମ କରାଯାଇଥିବା କୋର୍ଟରେ ଉପସ୍ଥାପନା କରିଥିଲା । ଏହାସହ ଶିଶୁ ଶରୀରର ବିଭିନ୍ନ ସ୍ଥାନକୁ ଅଭିଯୁକ୍ତ କାମୁଡ଼ି ରକ୍ତାକ୍ତ ମଧ୍ୟ କରି ଦେଇଥିବା କୋର୍ଟରେ ଉପସ୍ଥାପନା ହୋଇଥିଲା । ମାମଲାର ତୁରନ୍ତ ବିଚାରଣା ପାଇଁ ଏହାକୁ ଫାର୍ଷ୍ଟଟ୍ରାକ୍ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଚଳିତ ଫେବ୍ରୁଆରୀ ୨୦୧୭ରେ ଏହି ମାମଲାର ବିଚାର କରି କୋର୍ଟ ଅଭିଯୁକ୍ତ ରାଜୀବ ଘୋଷକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାସହ ଉପଯୁକ୍ତ ସାକ୍ଷ ଓ ପ୍ରମାଣ ଏବଂ ପୋକ୍ସୋ ଆକ୍ଟର ଧାରା ୬କୁ ଭିତ୍ତି କରି କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ଏହା ସହିତ ଏହା ସବୁଠାରୁ ବିରଳତମ ମାମଲା ବୋଲି ଉକ୍ତି ରଖିଥିଲେ । ଅପରପକ୍ଷେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ଥିବା ବେଳେ ସେ କୋଲକାତାର ଆର୍ଜି କର ମେଡିକାଲ୍ରେ ଚିକିତ୍ସାଧୀନ ଅଛନ୍ତି ।