ନାବାଳିକାକୁ ବାହା ହୋଇ ଧରାପଡିଲା ରଙ୍ଗିଲା ସ୍ୱାମୀ
ନୀଳଗିରି : ଔପଦା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୋଳିଗଡି ଗ୍ରାମର ଜ୍ୟୋତିରଞ୍ଜନ ବାରିକ ଓରଫ ପିଙ୍କୁ (୩୨) ମାଣତ୍ରୀ ଅଞ୍ଚଳର ଜନୈକ ନାବାଳିକା ରଶ୍ମୀ (ଛଦ୍ମନାମ)ଙ୍କୁ ବିବାହକରି ସୋର କଲେଜଛକ ନିକଟରେ ଏକ ଭଡାଘରେ ଗତ କିଛିଦିନ ଧରି ରହୁଥିବା ବେଳେ ଶନିବାର ଖବରପାଇ ସୋର ପୁଲିସ ଚଢ଼ାଉକରି ଉଭୟକୁ ଗିରଫ କରିଥିଲେ । ସୂଚନା ଅନୁଯାୟୀ କୋଳିଗଡି ଗ୍ରାମର କରୁଣାକର ବାରିକଙ୍କ ପୁଅ ଜ୍ୟୋତିରଞ୍ଜନ ବାରିକ ୨୦୧୫ ମସିହାରେ କଣ୍ଠିଆଟିକର ଗ୍ରାମର ଶମ୍ଭୁନାଥ ନାୟକଙ୍କ ଝିଅ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଭଲପାଇ ଜଗନ୍ନାଥ ମନ୍ଦିରରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିବା ବେଳେ ଶ୍ୱଶୁର ଘର ତରଫରୁ ଜାନିଯୌତୁକ ସହିତ ନଗଦ ୧ ଲକ୍ଷ ଟଙ୍କା ଯୌତୁକ ଆକାରରେ ଜ୍ୱାଇଁକୁ ଦେଇଥିଲେ । ବିବାହର କିଛିଦିନ ପରେ ଶଶୁରଘର ପରିବାର ଏବଂ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଇଚାଲିଥିଲେ । ଇତିମଧ୍ୟରେ ଉଭୟଙ୍କର ଔରସରୁ ଏକ ଝିଅଟିଏ ମଧ୍ୟ ହୋଇଥିଲା । ୩ବର୍ଷ ପୂର୍ବ? ସ୍ୱାମୀ ଘରଛାଡି ଫେରାର ହୋଇଯାଇଥିଲା ବେଳେ ଶ୍ୱଶୁର ଘର ଲୋକଙ୍କ ନିର୍ଯ୍ୟାତନା ସହିନପାରି ଲକ୍ଷ୍ମୀପ୍ରିୟା ବାପଘରକୁ ପଳାଇ ଯାଇଥିଲେ । ଇତିମଧ୍ୟରେ ଜ୍ୟୋତିରଂଜନ ସୋର ମାଣତ୍ରୀ ଅଞ୍ଚଳର ଜୈନିକ ନାବାଳିକା ଝିଅକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିବାହକରି ସୋର ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିବା ଖବରପାଇ ସୋର ପୋଲିସ ଉଭୟଙ୍କୁ ଗିରଫ କରିଛି । ପୂର୍ବ ସ୍ତ୍ରୀ ମଧ୍ୟ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀଙ୍କର ପୂର୍ବରୁ ଏଭଳି ୨ରୁ ୩ଜଣ ଝିଅଙ୍କୁ ବିବାହକରି ଫାଙ୍କି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ତେଣୁ ଏଭଳି ରସିକିଆ ପ୍ରେମୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ପୂର୍ବ ସ୍ତ୍ରୀ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି ।