ନାବାଳିକାଙ୍କୁ କୁକର୍ମ, ଅଭିଯୁକ୍ତ ଫେରାର୍
କନ୍ଧମାଳ / କୋଟୋଗଡ : ନାବାଳିକାଙ୍କୁ କୁକର୍ମ କରାଯାଇଥିବା ନେଇ କୋଟଗଡ଼ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୁଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଜିତେନ୍ଦ୍ର ବେହେରା କହିଛନ୍ତି । ରାଜ୍ୟରେ ନାରୀ ନିର୍ଯାତନା ଘଟଣା ଗୋଟିଏ ପରେ ଗୋଟିଏ ଘଟିବାରେ ଲାଗିଛି । ଏ ନେଇ ବିକ୍ଷୋଭ ଠାରୁ ଆରମ୍ଭ କରି ନ୍ୟାୟ ପାଇଁ ଧାରଣା ମଧ୍ୟ ଦିଆଯାଉଛି । ତଥାପି କମିବା ବଦଳରେ ନିର୍ଯାତନା ବଢ଼ିବାରେ ଲାଗିଥିବା ଅଭିଯୋଗ ହେଉଛି । ଗତ ୭ ତାରିଖରେ ଜଣେ ନାବାଳିକା (୧୪)ଙ୍କୁ ଘରକୁ ଡାକି ନେଇ ଜନୈକ ଯୁବକ (୨୨) କୁକର୍ମ କରିଥିବା ଅଭିଯୋଗ ହୋଇଛି । ଗତ ରବିବାର ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା । ଏତଲାକୁ ଭିତ୍ତି କରି ସବ୍ଇନ୍ସପେକ୍ଟର ଜିତେନ୍ଦ୍ର ବେହେରା ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି । ଅଭିଯୁକ୍ତକୁ ଖୁବ୍ଶୀଘ୍ର ଧରିବାକୁ ପୁଲିସର ଛାନଭିନ୍ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ।