ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ, ଲୁହରେ ଭିଜିଲା ଗାଁ ମାଟି
କାକଟପୁର : ପବିତ୍ର ରକ୍ଷା ବନ୍ଧନ ଅବସରରେ ଅସ୍ତରଙ୍ଗ ମାଟିରେ ଶୁଭୁଛି କାନ୍ଦ ବୋବାଳି । ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ସୁନ୍ଦର ଗ୍ରାମରୁ ଭାସି ଆସୁଛି ଏହି ଶବ୍ଦ । ଏହି ଶବ୍ଦରେ ଲୁଚିଛି ଜଣେ ବୀର ଯୋଦ୍ଧାର ଅନ୍ତିମ କାହାଣୀ । ସୁନ୍ଦର ଗ୍ରାମର ହିନ୍ଦୀ ଶିକ୍ଷକ ଅଚୁ୍ୟତାନନ୍ଦ ସାହୁଙ୍କ ବୀର ପୁତ୍ର ସ୍ୱରାଜ୍ୟ ସାହୁ ୭ ତାରିଖ ଗୁରୁବାର ସହିଦ ହୋଇଛନ୍ତି । ଭାରତ ମାତାର ବୀର ପୁଅ ସ୍ୱରାଜ୍ୟ ଥିଲେ ଭାରତୀୟ ବାୟୁ ସେନାର ଜଣେ ସର୍ଯାଣ୍ଟ । ଡୁ୍ୟଟିରେ ଥିବା ବେଳେ ଆଗ୍ରା କ୍ୟାମ୍ପରେ ଜୁନ ୪ ତାରିଖରେ ଅକସ୍ମାତ ଏକ ଅଗ୍ନିକାଣ୍ଡ ଘଟିଥିଲା । ସେହି କ୍ୟାମ୍ପରେ ବାୟୁସେନାର ପାଖାପାଖି ୨୦୦ ସେନା କର୍ମୀ ଥିଲେ । ତେଣୁ ସେମାନଙ୍କୁ ରକ୍ଷା କରିବା ପାଇଁ ସ୍ୱରାଜ୍ୟ ଅଗ୍ନୀକୁ ଆୟତ୍ତ କରିବା ପାଇଁ ଅଗ୍ନିନିର୍ବିପାକ ସିଲିଣ୍ଡରର ବ୍ୟବହାର କରିଥିଲେ । ସମସ୍ତ ସେନା ରକ୍ଷା ପାଇଗଲେ କିନ୍ତୁ ସ୍ୱରାଜ୍ୟ ସେଇ ଧୂଆଁରେ ଗୁରୁତର ହୋଇଗଲେ । ସେଠୁ ତାଙ୍କୁ ସଙ୍ଗେ ସଙ୍ଗେ ଚିକିସôାଳୟରେ ଭର୍ତ୍ତୀ କରାଯାଇଥିଲା । ମାତ୍ର ଦୀର୍ଘ ୨ ମାସ ଜୀବନ ସହିତ ଲଢେଇ କରି ଶେଷ ରେ ଅଗଷ୍ଟ ୭ ତାରିଖ ଗୁରୁବାର ଦିନ ସହିଦ ହୋଇଥିଲେ ଦେଶ ମାତୃକା ପାଇଁ ଦେଲେ ବଳିଦାନ । ଶନିବାର ତାଙ୍କ ମର ଶରୀରକୁ ବାୟୁ ସେନାର ସ୍ୱତନ୍ତ୍ର ଟିମ୍ ଆଣି ଅସ୍ତରଙ୍ଗ ଉକୁଳେଇ ସ୍ଥିତ ପୂର୍ବତନ ସେନା ସଙ୍ଘ କାର୍ଯ୍ୟାଳୟ ସାମ୍ନାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ବିରାଟ ଶୋଭାଯାତ୍ରରେ ତାଙ୍କୁ ଅସ୍ତରଙ୍ଗ ବଜାର,ସୁନ୍ଦର ସ୍ଥିତ ତାଙ୍କ ସ୍କୁଲରେ ଶ୍ରଦ୍ଧାଞ୍ଜଳି ଦେବା ପରେ ବାସଭବନକୁ ଅଣାଯାଇଥିଲା । ସେନା ପକ୍ଷରୁ ତାଙ୍କ ମରଶରୀର ଉପରେ ଜାତୀୟ ପତାକା ପକାଯାଇ ତାଙ୍କ ବାସ ଭବନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ତାଙ୍କ ଗ୍ରାମ ଶ୍ମଶାନକୁ ନିଆଯାଇ ଭାରତୀୟ ବାୟୁ ସେନା ତରଫରୁ ରାଷ୍ଟ୍ରୀୟ ତୋପ ସଲାମୀ ଦିଆଯାଇ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।