ନାହିଁ ସୂଚନା ଫଳକ : ଶ୍ରମିକ ବଦଳରେ ମେସିନ କରୁଛି କାମ

 ଭବାନୀପାଟଣା : ମନରେଗା ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାମରେ ଶ୍ରମିକ ନିୟୋଜିତ ହେବାର ନିୟମ ଥିଲେ ହେଁ ମେସିନ ସାହାଯ୍ୟରେ ରାସ୍ତା କାମ ହେଉଥିବା ଦେଖିବାକୁ ମିଳୁଛି । ତାହା ପୁଣି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଲାଖବାହାଲୀ ପଞ୍ଚାୟତର ବୁଣ୍ଡେଲ ଗାଁ ରାସ୍ତା କାମରେ ।  ହେଲେ ଦୁର୍ଗମ ଅଞ୍ଚଳରେ ଏହି ଯୋଜନାରେ ଆସୁଥିବା ଲକ୍ଷ ଲକ୍ଷ ଅନୁଦାନ ରାଶିକୁ ହଡପ କରାଯାଉଥିବା ଅଭିଯୋଗ ହେଉଛି । ଆଦିବାସୀ ଅଧୁ୍ୟଷିତ ଏହି ବ୍ଲକରେ ୨୬ ଗୋଟି ପଞ୍ଚାୟତର ପ୍ରତ୍ୟେକ ଗାଁ ମାନଙ୍କରେ ମନରେଗା ଯୋଜନାରେ ବିଭିନ୍ନ ପ୍ରକାରର କାମ ଚାଲିଛି । 
ଏହି କାମରେ ପଞ୍ଚାୟତ ଓ ବ୍ଲକ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ସାଲାସୁତୁରାରେ  ଠିକାଦାର ମାନେ ନିୟୋଜିତ ରହିଥିବା ଜଣାପଡିଛି । କମ୍ କାମ କରାଇ ଠିକାଦାର ମାନେ ଅଫିସର ବାବୁ ମାନଙ୍କ ସହିତ ହାତ ମିଳେଇ ମିଥ୍ୟା ବିଲ୍ କରି ଲକ୍ଷାଧିକ ଟଙ୍କା ଉଠାଉ ଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଲାଖବାହିଲି ପଞ୍ଚାୟତରେ ୨୦୨୪-୨୫ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଘୋଡ଼ା ଘାଟିରୁ ବୁଣ୍ଡେଲ ଗାଁ ପର୍ଯ୍ୟନ୍ତ ୮୦୦ ମିଟର ରାସ୍ତା କାମରେ ୧୦ ଲକ୍ଷ ଟଙ୍କା ଅନୁଦାନ ରାଶି ରହିଥିବା ବେଳେ ମାଟି କାମ ପାଇଁ ୫ ଲକ୍ଷ ଓ ମୋରମ କାମ ପାଇଁ ୫ ଲକ୍ଷ ଟଙ୍କା ରହିଛି । ଏହି ରାସ୍ତା କାମରେ ପ୍ରଥମେ ମାଟି କାମରେ ଶ୍ରମିକ ବଦଳରେ ପ୍ରୋକଲିନ ମେସିନ ଓ ଟ୍ରାକ୍ଟର ଲଗାଇ ରାସ୍ତାରେ ମାଟି ପକେଇ ସାରି ଦେଇଥିବା ବେଳେ ବର୍ତ୍ତମାନ ମୋରମ କାମରେ ମଧ୍ୟ ୨୫ ପ୍ରତିଶତ ଶ୍ରମିକ କାମ କରିବାକୁ ରହିଥିବା ବେଳେ ପ୍ରୋକଲିନ ମେସିନ ସାହାଯ୍ୟରେ ରାସ୍ତା ସମତୁଲ କରାଯାଉଛି । ପଞ୍ଚାୟତ ମନରେଗା ଦାୟିତ୍ୱରେ ଥିବା ଏଡିଓ ଆଦିତ୍ୟ ସାହୁ ଓ ଗାଁ ସାଥି କୃଷ୍ଣ ନାଏକ ଏହି କାମରେ ଠିକାଦାର ସାଜିଥିବା ବେଳେ ଏହି କାମରେ ନିଜ ବୁଣ୍ଡେଲ ଗାଁରୁ ୪ ରୁ ୫ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇ ଆଖପାଖ ଗାଁର ନିଜ ହାତ ମୁଠାରେ ଥିବା ଶ୍ରମିକଙ୍କୁ ନେଇ ତାଲିକା ପ୍ରସ୍ତୁତ କରାଯାଇଛି । ଏହା ବ୍ୟତୀତ ମୋବାଇଲରୁ ମୋବାଇଲକୁ ସ୍କାନ କରି ଫୋଟ ଅପ ଲୋଡ଼ କରି ତାଲିକା ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି । କାମ ନ କରାଇ ଠିକାଦାର ମାନେ ନିଜ ସଂପର୍କୀୟ ଲୋକଙ୍କୁ କାମ ସ୍ଥାନରେ ଛିଡ଼ା କରାଇ ମଧ୍ୟ ଫଟୋ ଅପଲୋଡ଼ କରି ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ଟଙ୍କା ହଡପ କରୁଥିବା ଅଭିଯୋଗ ହେଉଛି । ସର୍ବସାଧାରଣଙ୍କ ଅବଗତ ପାଇଁ କାମ କରିବା ପୂର୍ବରୁ ସୂଚନା ଫଳକ ଲାଗିବା ନିୟମ ଥିଲେ ହେଁ ଏଠାରେ ବିନା ସୂଚନା ଫଳରେ ଚାଲିଛି ରାସ୍ତା କାମ । ପଞ୍ଚାୟତ ଅଧୀନରେ ଚାଲିଥିବା ମନରେଗା କାମରେ ଏଡ଼ିଓଙ୍କୁ ସାଲିସ କରାନଗଲେ କାମ ଦିଆଯାଉନାହିଁ ବୋଲି ଲୋକେ ପ୍ରକାଶ କରିଛନ୍ତି । ଏହି ରାସ୍ତା କାମରେ ଗାଁ ସାଥି ଓ ଏଡିଓ ଠିକାଦାର ସାଜିଥିବା ବେଳେ  ମେସିନ ମାଧ୍ୟମରେ କାମ ଚାଲିଥିବାରୁ ଶତାଧିକ ଶ୍ରମିକ କାମରୁ ବଞ୍ଚିତ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦାୟିତ୍ୱରେ ଥିବା ପଞ୍ଚାୟତ ଓ ବ୍ଳକ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଲୋକଙ୍କ ଅଭିଯୋଗ ପରେବି ଦୁର୍ନୀତି ବିରୁଦ୍ଧରେ କୌଣସି ତଦନ୍ତ ହେଉନଥିବା ଲୋକେ କହୁଛନ୍ତି । ଗାଁ ସାଥି ଓ ଏଡିଓ ମିଥ୍ୟା ବିଲ କରି ମାଲାମାଲ ହେଉଥିବା ବେଳେ ନିରିହ ଗରିବ ଶ୍ରମିକ ମାନେ ଏହାର ସୁବିଧା ପାଇଁ ବାରୁ ବଞ୍ଚିତ ରହୁଛନ୍ତି । ଏନେଇ ଲାଖବାହିଲି ସରପଞ୍ଚ ପଦ୍ମିନୀ ମାଝୀଙ୍କୁ ପଚାରିବାରୁ ବୁଣ୍ଡେଲ ଗାଁର ମନରେଗା ଯୋଜନାରେ ରାସ୍ତା କାମ ହେଉଛି ବୋଲି ମୁଁ ଆପଣଙ୍କ ଠାରୁ ଶୁଣୁଛି । ମୋତେ ଏହି କାମକୁ ନେଇ କେହି ଜଣାଇ ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ଏନେଇ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ଏମିତି ହେବା କଥା ନୁହଁ । ମୁଁ ବର୍ତ୍ତମାନ ଅଫିସ କାମରେ ବାହାରକୁ ଆସିଛି । ଗଲେ ନିଶ୍ଚୟ ତଦନ୍ତ କରିବାକୁ ଯିବି ବୋଲି ଉତ୍ତରରେ କହିଥିଲେ । ଗତ ଜାନୁଆରୀ ୨୧ ତାରିଖରେ ଲାଞ୍ଜିଗଡ ପଞ୍ଚାୟତ ସମିତି ମନରେଗା ଜନଶୁଣାଣି ସମୀକ୍ଷା ବୈଠକରେ ଲାଞ୍ଜିଗଡ ବ୍ଳକ ବିଭିନ୍ନ ପଞ୍ଚାୟତରେ ମନରେଗାରେ ଦୁର୍ନୀତି ହୋଇଥିବା ବ୍ଳକ ଅଡିଟ ଦାୟିତ୍ୱରେ ଥିବା ମହିଳା ମାନେ ଅଭିଯୋଗ ଆଣିଥିଲେ । କିନ୍ତୁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଆଦିବାସୀ ଅଧୁ୍ୟଷିତ ଲାଞ୍ଜିଗଡ ବ୍ଳକରେ ନିରୀହ ଆଦିବାସୀଙ୍କ ସରଳତା ଯୋଗୁଁ ଅଭିଯୋଗ କଲେ ମଧ୍ୟ କାମର ଉଚ୍ଚ ସ୍ତରୀୟ ତଦନ୍ତ ହେଉ ନଥିବା ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗ ଗୁରୁତ୍ୱ ଦେଇ ଏସବୁ କାମର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।