ନିମ୍ନମାନର ଛତୁଆ ଯୋଗାଣ, କାର୍ଯ୍ୟାନୁଷ୍ଠାନ ଦାବି
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଳକର ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ବର୍ଷ ବର୍ଷ ଧରି ନିମ୍ନମାନର ଛତୁଆ ଯୋଗାଉଥିବା ବିଶ୍ୱନାଥ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ମହିଳା ଓ ଶିଶୁ ବିକାଶ ଅଧିକାରିଣୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଛନ୍ତି । ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ମହିଳା ଅନଶନରେ ବସିଥିଲେ । ସଂପୃକ୍ତ ଯୋଗାଣକାରୀ ସଂସ୍ଥା ଦ୍ୱାରା ଯୋଗାଣ ହେଉଥିବା ଛତୁଆ ନିମ୍ନମାନର ଓ ସେହି ଛତୁଆର ପରୀକ୍ଷା ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା କରାଯାଇ ମାନ ଯାଞ୍ଚ କରାଯାଉ ବୋଲି ଦାବି କରିଥିଲେ ଅନଶନକାରୀ ମହିଳାମାନେ । ବିଶ୍ୱନାଥ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବିରୋଧରେ ଏଭଳି ଅଭିଯୋଗ ଗତ ୨୦୨୪ ମସିହା ସେପ୍ଟେମ୍ବର ୬ ତାରିଖରେ ହୋଇଥିଲା । ଗତ ନଭେମ୍ବର ୨୮ ତାରିଖରେ ଜିଲ୍ଲାପାଳ ଅଚାନକ ଗସ୍ତ କରି ଛତୁଆ ଯାଞ୍ଚ କରିବାକୁ ଉପଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଉପଜିଲ୍ଲାପାଳ ଗତ ଫେବୃୟାରୀ ୧୯ ତାରିଖ ପତ୍ର ସଂଖ୍ୟା ୨୩୭୦ ଅନୁଯାୟୀ ଭଦ୍ରକ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ଛତୁଆ ମାନ ଯାଞ୍ଚ ପାଇଁ ନିଦେ୍ର୍ଦଶ ଦେଇଥିଲେ । ହେଲେ ଯାଞ୍ଚ ହୋଇନଥିଲା କି ଫଳାଫଳ ଜଣାପଡିନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଭାତୀ ବେହେରା, ରେଖା ନାୟକ, ରଜନି ନାୟକ, ରଶ୍ମିତା ନାୟକ, ବିମଳା ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ନାୟକ, ସଶ୍ମିତା ବେହେରା, ରଶ୍ମି ବେହେରା, ଲକ୍ଷ୍ମୀ ବେହେରା, ସୁଷମା ଦେହୁରୀ, ଶିଳ୍ପା ଆରଖ, ପ୍ରିୟଙ୍କା ଆରଖ ପ୍ରମୁଖ ଶତାଧିକ ମହିଳା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅନଶନ କରିଥିଲେ । ବିଡିଓ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ମଧ୍ୟାନ୍ନରେ ଅନଶନ ସ୍ଥଗିତ ରହିଥିଲା ।