ଶୁଣାଣି ଶିବିରରେ ୧୬୭ ଅଭିଯୋଗ

 ଭଣ୍ଡାରିପୋଖରୀ: ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦ୍ୱାରା ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ୧୬୭ଟି ଅଭିଯୋଗ କରାଯାଇଥିଲା । ମୁଖ୍ୟତଃ ବିଭିନ୍ନ ପ୍ରମୁଖ ରାସ୍ତାର ସମସ୍ୟା, ଶିକ୍ଷାନୁଷ୍ଠାନ ଓ ମଞ୍ଜୁରୀରୋଡ ଡାକ୍ତରଖାନା ସମସ୍ୟା ସହ ଅନ୍ୟ ବ୍ୟକ୍ତିଗତ ଓ ସାମୂହିକ ସ୍ୱାର୍ଥ ସମ୍ବଳିତ ଅଭିଯୋଗ ହୋଇଥିଲା । ବ୍ଲକ୍ ପରିସରରେ ଥିବା ଏକ ଗଛକୁ ଛୁଟି ଦିନରେ କାଟି ଦିଆଯାଇଥିବା ଘଟଣାରେ ଦକ୍ଷିଣବାଡ ସରପଞ୍ଚ ବର୍ଷାରାଣୀ ଜେନାଙ୍କ ଅଭିଯୋଗକୁ ନେଇ  ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ ବିଡିଓଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଏହି ପ୍ରସଙ୍ଗରେ ଜିଲାପାଳ ବିଡିଓଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ବେଳେ କକ୍ଷରେ ଅନେକ ବ୍ୟକ୍ତି ବିଡିଓଙ୍କୁ ସମାଲୋଚନା କରିଥିଲେ । ଛତାବର-ନିଳକ, ମଞ୍ଜୁରୀରୋଡ-ବନ୍ଦାଳ, ମଞ୍ଜୁରୀରୋଡ-ଗୋବିନ୍ଦପୁର ପୂର୍ତ୍ତ ରାସ୍ତାର ଶୋଚନୀୟ ଅବସ୍ଥା ନେଇ ଅଭିଯୋଗ କରାଯାଇଛି । ଏହି ସବୁ ରାସ୍ତାର ସମସ୍ୟା ଦୂର କରିବାକୁ ଜିଲ୍ଲାପାଳ ଦିଲୀପ  ରାଉତରାୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ବ୍ଲକର ସର୍ବ ପୁରାତନ ହାଇସ୍କୁଲ ମଞ୍ଜୁରୀରୋଡ ସ୍ଥିତ ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠର ବିଭିନ୍ନ ସମସ୍ୟା ସମ୍ପର୍କରେ ଏହି ପୁରାତନ ଛାତ୍ର ସଂସଦ, ମଞ୍ଜୁରୀରୋଡ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଞ୍ଜୁରୀରୋଡ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବର୍ଷା ଦିନରେ ବାଲି ଉତ୍ତୋଳନ, ବାଲିପୋଖରୀ ପ୍ରାଣୀ ଚିକିତ୍ସାଳୟ ଗୃହର ଦୁରୁପଯୋଗ ଆଦି ପ୍ରସଙ୍ଗରେ ଅଭିଯୋଗ କରାଯାଇଥିଲା । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ରାଉତରାୟଙ୍କ ସମେତ ଜିଲ୍ଲା ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀରଞ୍ଜନ ନାୟକ, ଅତିରିକ୍ତ ପୁଲିସ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ତହସିଲଦାର ଓ ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।