ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢଉ
କେନ୍ଦୁଝର : ଡାଇରିଆ ଏବଂ ଝାଡାବାନ୍ତି ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଇଁବାରେ ଲାଗିଛି । ସବୁ ଜିଲ୍ଲାକୁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ପ୍ରତିକାର ପଦକ୍ଷେପ ସ୍ୱରୂପ ଲୋକମାନଙ୍କୁ ସତର୍କ ରହିବାକୁ ନିଦେ୍ର୍ଦଶାବଳୀ ଜାରି କରାଯାଇଛି । ଡାଇରିଆ ସଂକ୍ରମଣକୁ ନଜରରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସର୍ତକତା ପଦକ୍ଷେପ ନିଆଯାଉଛି । ଆଜି କେନ୍ଦୁଝରଗଡ ପୌରପାଳିକା,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ କେନ୍ଦୁଝର ସହରରେ ବିିଭିନ୍ନ ଦୋକାନ, ଗୋଦାମ ଘର, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ପୁଥପାଶ୍ୱର୍ ଫାଷ୍ଟଫୁଡ ଦୋକାନଗୁଡିକରେ ଚଢାଉ କରାଯାଇ ହୋଟେଲର ପରିମଳ ବ୍ୟବସ୍ଥା ଖାଦ୍ୟର ମାନ ଯାଂଚ କରାଯିବା ସହ ବ୍ୟାପକ ପରିମାଣ ନିଷିଦ୍ଧ ପଲିଥିନ,ଥର୍ମୋକୁଲ ଜବତ୍ କରାଯାଇ ସେମାନଙ୍କ ଠାରୁ ୨୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଚଢାଉରେ କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକ, ଖାଦ୍ୟ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ପରିବେଶ ବୈଜ୍ଞାନିକ ଇଂ ଇପ୍ସି ଗିରି, ମୁ୍ୟନସିପାଲଟି ଇଞ୍ଜିନିୟର ଭକ୍ତବନ୍ଧୁ ମହାନ୍ତ, ସାନିଟାରୀ ଇନ୍ସପେକ୍ଟର ପ୍ରମୋଦ କୁମାର ପଟ୍ଟନାୟକ, କନିଷ୍ଠ କିରାଣୀ ପ୍ରଦୀପ କୁମାର ନାୟକ, ଜଳସାଥି ଏବଂ ଅନ୍ୟ ବିଭାଗୀୟ କର୍ମଚାରୀ ସାମିଲ ଥିଲେ । ଅନେକ ହୋଟେଲ ନିମ୍ନମାନର ବାସି ଖାଦ୍ୟ ସାଙ୍ଗକୁ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରୁଥିବା ଜଣାପଡିବା ପରେ ସେ ସବୁ ନଷ୍ଟ କରାଯିବା ସହ ଜରିମାନା ଆଦାୟ କରାଯାଇଥିଲା । ହୋଟେଲ ଏବଂ ଜଳଖିଆ ଦୋକାନରେ ଗ୍ରାହକମାନଙ୍କୁ ଦିଆଯାଉଥିବା ପିଇବା ପାଣିର ନମୂନା ସଂଗ୍ରହ କରାଯାଇ ଏହାର ଯାଂଚ ପାଇଁ ପଠାଯାଇଥିଲା ।