ନିମ୍ନମାନର ରାସ୍ତା, ତଦନ୍ତ ଦାବି
ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକା ପକ୍ଷରୁ ନିର୍ମାଣ କରାଯାଇଥିବା ୨୨ ଲକ୍ଷର ପେଭର ବ୍ଲକ ରାସ୍ତା ମାତ୍ର ୬ ମାସରେ ଦବି ଯିବାପରେ ନିଜ ଦୋଷ ଘୋଡାଇବାକୁ ବାହାନା କରି ମରାମତି ପ୍ରତିଶ୍ରୁତି ଦେବାପରେ ଏବେ ହାତ ଝାଡ଼ିଦେଇଛି ପୌର ପ୍ରଶାସନ । ଗୋଟିଏ ପଟେ ନିମ୍ନମାନର କାମପାଇଁ ରାସ୍ତା ଦବିଗଲା ବୋଲି ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଥିବାବେଳେ ଅନ୍ୟପଟେ ସ୍ଥାନୀୟ ଜଣେ ଠିକାଦାରଙ୍କ ଭାରିଜାନ ଚଳାଚଳ ପାଇଁ ରାସ୍ତା ଦବିଗଲା ବୋଲି ଦାବି କରୁଛି ପୌରପାଳିକା । ଅନ୍ୟପକ୍ଷରେ ପେଭର ବ୍ଲକ ରାସ୍ତା ଖରାପ କରିଥିବା ଠିକାଦାର ରାସ୍ତା ମରାମତି କରିଦେବାକୁ ସହମତି ଦେଇଥିବା ପୌରନିର୍ବାହୀ ସେପ୍ଟେମ୍ବର ୯ ତାରିଖରେ ୧୯ ଲକ୍ଷ ୩୩ ହଜାର ଟଙ୍କା ବିଲ୍ ପ୍ରଦାନ କରାଯାଇ ବଳକା ଟଙ୍କା ରକ୍ଷଣ ବେକ୍ଷଣ ବାବଦରେ ରଖାଯାଇଛି ବୋଲି ସୂଚନା ଦିଆଯାଇଥିଲା । ତେବେ ବିଡମ୍ବନାର ବିଷୟ ମାତ୍ର ୬ ମାସ ମଧ୍ୟରେ ଇଟା ଦବିଯିବା ସହ ରାସ୍ତା ନଷ୍ଟ ମଧ୍ୟ, ହେଇଯାଇଥିଲା । ତେବେ ରାସ୍ତା ନଷ୍ଟ ଅଧିକାରୀ ଦୃଢୋକ୍ତି ପ୍ରକାଶ କରିଥିଲେ ମଧ୍ୟ ନା ସମ୍ପୃକ୍ତ ଠିକାଦାର ନା ପୌରପାଳିକା ପକ୍ଷରୁ ରାସ୍ତା ମରାମତି ହେଉଛି । ଆଗକୁ ବର୍ଷାଋତୁରେ ରାସ୍ତାରେ ଚଳାଚଳ କାଠିକରପାଠ ହେବା ସମ୍ଭାବନା ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ ପୋଡାଲଗୁଡା ଯାଇଥିବା ପିଚୁ ରାସ୍ତାର ଦଶରାପଦା ନିକଟରେ ୩୨୫ ମିଟର ରାସ୍ତା ଉପରେ ପେଭର ବ୍ଲକ ଇଟା ବିଛାଇଥିଲା ପୌରପାଳିକା । ଏହି ରାସ୍ତା ନିର୍ମାଣ ନିମନ୍ତେ ୨୨ ଲକ୍ଷ ବ୍ୟୟ ଅଟକଳରେ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନଦ କରାଯାଇଥିଲା । ତେବେ ଗତ ୨୦୨୩ ହେବାର କାରଣ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ସମରେଶ ମହାନ୍ତି କହିଥିଲେ ରାସ୍ତା ନିକଟରେ ଅନ୍ୟ ଜଣେ ଠିକାଦାର ପ୍ଲଟ ବ୍ୟବସାୟ କରୁଥିବାବେଳେ ତାଙ୍କ ଭାରିଜାନ ଚଳାଚଳ ପାଇଁ ରାସ୍ତା ଦବିଗଲା ଓ ସମ୍ପୃକ୍ତ ଠିକାଦାର ରାସ୍ତା ମରାମତି କରିବା ପାଇଁ ଲିଖୁତ ପ୍ରତିଶୃତି ଦେଇଛନ୍ତି । ସେହିଭଳି ରକ୍ଷଣାବେକ୍ଷଣ ପାଇଁ ରହିଥିବା ଅର୍ଥ ମଧ୍ୟ ମରାମତିରେ ବିନିଯୋଗ କାରାଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ । ପ୍ରତିଶ୍ରୁତି ୬ ମାସ ବିତିବାପରେ ମଧ୍ୟ ରାସ୍ତା ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ବ୍ୟସ୍ତ ବହୁଳ ପିଚୁ ରାସ୍ତା ଉପରେ ପିଚୁ ବଦଳରେ ଇଟା ବିଛାଯାଇ ସର୍ବସାଧାରଣ ଅର୍ଥ ହରିଲୁଟ କରାଯାଇଥିବା ବେଳେ କେବେ ହେବ ରାସ୍ତା ମରାମତି ତାକୁ ଅପେକ୍ଷା ରହିଛି ।