ଜିଲ୍ଲାର ୨୫ ଡିଜିଟାଲ ଡିସ୍ପେନ୍ସାରିରେ ତାଲା
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ସବୁବେଳେ ଡାକ୍ତର ଓ ବିଶେଷଜ୍ଞ ଅଭାବ । ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଏନେଇ ୨୦୧୭-୧୮ରେ ଜିଲାରେ ୨୫ଟି ଡିଜିଟାଲ ଡିସ୍ପେନ୍ସାରି ବିଭିନ୍ନ ପଞ୍ଚାୟତର ରାଜୀବ ଭବନରେ ଖୋଲାଗଲା । ଏବେ କିନ୍ତୁ ସେ ସବୁଡିଜିଟାଲ ଡିସ୍ପେନ୍ସାରିରେ ତାଲା ଝୁଲୁଛି । କଲିକତାରୁ ଘରୋଇ ସଂସ୍ଥା ଏକ ଗ୍ଲୋକାଲ ହେଇଥ କେୟାର ସିଷ୍ଟମ ପ୍ରାଇଭେଟ୍ ଲିମିଟେଡ୍ ସମସ୍ତ ଡିଜିଟାଲ ଡିସ୍ପେନ୍ସାରି ପରିଚାଳନା ପାଇଁ ଚୁକ୍ତି କଲେ । ୨୦୧୭-୧୮ ଓ ୨୦୧୮- ୧୯ ପର୍ଯ୍ୟନ୍ତ ଠିକ୍ ଭାବେ ପରିଚାଳନା ହେଲା । ଜଣେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ନାମରେ ସଂସ୍ଥା ୨୧୭ ଟଙ୍କା ପାଉଥିଲେ । ଗୋଟିଏ ଗୋଟିଏ ଡିଜିଟାଲ ଡିସ୍ପେନ୍ସାରି ସ୍ଥାପନ ପାଇଁ ୨୧ ଲକ୍ଷ ୫୦ ଇସିଜି, ଟେବୁଲ, ଚେୟାର, ଇଣ୍ଟରନେଟ୍ ଆଦି ସୁବିଧା ଯୋଗାଇ ଦିଆଯାଇଥିଲା । ଚୁକ୍ତି ଅନୁଯାୟୀ ସିକୁ୍ୟରିଟି ଟଙ୍କା ୩୩ ଲକ୍ଷ ୪୯ ହଜାର ୨୫୦ ଟଙ୍କା ସଂସ୍ଥା ଜମାକରି ନ ଥିଲା । ମାସିକ ପରିଚାଳନା ଅନୁଯାୟୀ ସଂସ୍ଥା ୮ ଲକ୍ଷ ୧୭ ହଜାର ୫୨୬ ଟଙ୍କା ନେଉଥିଲେ ।
୨୦୨୯ ଡିସେମ୍ବର ୫ ପରେ ଆଉ ଚୁକ୍ତି ନବୀକରଣ ହୋଇପାରିଲା ନାହିଁ । ଚୁକ୍ତି ବାବଦକୁ ରହିଥିବା ବକେୟା ଟଙ୍କା ସ୍ୱାସ୍ଥ୍ୟ ବିଭାଗ କାଟି ଅନ୍ୟ ବକେୟା ଟଙ୍କା ପ୍ରଦାନ କରିଥିଲା । ପରେ ଜିଲାରେ ଡିଜିଟାଲ ଡିସ୍ପେନ୍ସାରି ଗୁଡିକରେ ତାଲା ଝୁଲିଲା । ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଆଉ ମିଳିଲା ନାହିଁ । ୨୫ଟି ଡିଜିଟାଲ ଡିସ୍ପେନ୍ସାରି ପାଇଁ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରାଯାଇ ଥିବା ବେଳେ ଏବେ ଏ ସମସ୍ତ ଆସବାବପତ୍ର, ବିଭିନ୍ନ ଉପକରଣ ସବୁ ଖତ ଖାଉଛି । ଏଭଳି ସଂସ୍ଥା ଜିଲା ସ୍ୱାସ୍ଥ୍ୟ ବିଭାଗକୁ ଡିଜିଟାଲ ଚିଠି ପ୍ରତି ଗୁରୁତ୍ୱ ନାହିଁ । । ଏନେଇ ସିଡିଏମ୍ଓ ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରିବାରୁ କମିଟି ଗଠନ କରାଯାଇ ଗ୍ଲୋକାଲ ହେଲ୍ଥ କେୟାର ସିଷ୍ଟମ ପ୍ରାଇଭେଟ୍ ଲିମିଟେଡ୍କୁ ସମସ୍ତ ଡିଜିଟାଲ ଡିସ୍ପେନ୍ସାରି ହସ୍ତାନ୍ତର ପାଇଁ ଚିଠି କରାଯିବ । ପୂର୍ବରୁ ଅନେକ ଥର ଚିଠି ମଧ୍ୟ ହୋଇଛି । ଯଦି ହସ୍ତାନ୍ତର କରିବେ ନାହିଁ ତେବେ ଜିଲାପାଳଙ୍କ ଅନୁମତି ନେଇ କମିଟି ଗଠନ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ନିଜ ଅକ୍ତିଆରକୁ ଅଣାଯିବ ବୋଲି ସେ କହିଛନ୍ତି । ପ୍ରକାଶ ଯେ, ୨୦୧୧ ଜନଗଣନା ଅନୁଯାୟୀ ଜିଲାର ଜନସଂଖ୍ୟା ୨୦ ଲକ୍ଷ ୧ ହଜାର ୪୨୧ ହେବ । ସେସମାନଙ୍କ ମଧ୍ୟରୁ ଅନୁସୂଚିତ ଜାତି ୧୪.୫୩ ଓ ଜନଜାତି ୫୫,୭୯ ପ୍ରତିଶତ ରହିଛନ୍ତି । ୧୮୯ ପଞ୍ଚାୟତ ୮୯୪ ରାଜସ୍ୱ ଗାଁ ରହିଛି । ତେବେ ଏହିଭଳି ଏକ ଜିଲାରେ ବିଶେଷଜ୍ଞ ଓ ଡାକ୍ତର ଅଭାବ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କର୍ମଚାରୀ ପଦବୀ ଖାଲି ପଡ଼ିବା ଯୋଗୁ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳୁନାହିଁ ।
ଜିଲାରେ ୪୧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୧୦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉମରକୋଟ ଏସ୍ଡିଏଚ୍ଓ ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନା ରହିଛି । ଜିଲାରେ ୬୮ ବିଶେଷଜ୍ଞ ଡାକ୍ତର ମଧ୍ୟରୁ ୫୩ ପଦବୀ ଖାଲି ପଡ଼ିଛି । ସେହିଭଳି ୩୦୭ ଡାକ୍ତର ପଦବୀ ମଧ୍ୟରୁ ୧୨୭ ପଦବୀ ଖାଲି ପଡ଼ିଛି । ୪୦୧ ନସିଂ ପଦବୀରୁ ୯୪, ଲାବ୍? ଟେକ୍ନିସିଆନ୍ ୪୧ରୁ ୨୩, ରେଡିଓଗ୍ରାଫର ୧୮ରୁ ୧୦, ମହିଳା ସ୍ୱାସ୍ଥ୍ୟକର୍ମୀ ୫୨୦ରୁ ୧୦୮, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ୪୭୩ରୁ ୩୬୧, ଫାର୍ମାସୀ ଅଫିସର ୧୨୦ରୁ ୬୨, ଏମ୍ ଏକ ଏସ୍(ମହିଳା) ୧୨୨ରୁ ୧୦୬, ଏମ୍ ଏକ ଏସ୍(ପୁରୁଷ ) ୧୦୪ରୁ ୬୭, ପିଏଚ୍ଇଓ ୧୦ରୁ ୬, କିରାଣି ୨୫ରୁ ୧୩ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ୨୨୯ରୁ ୪୦ ପଦବୀ ଖାଲି ପଡ଼ିଛି । ଏସମସ୍ତ କର୍ମଚାରୀଙ୍କ ପଦବୀକୁ ଯୋଡ଼ିଲେ ଜିଲାର ୮୯୦ ପଦବୀ ଖାଲି ପଡ଼ିଛି । ସେହିଭଳି ଡାକ୍ତର ଓ ବିଶେଷଜ୍ଞ ୧୮୦ ପଦବୀ ଖାଲି ପଡିଛି । ଏତେ ସଂଖ୍ୟକ ବିଭିନ୍ନ ବର୍ଗର ପଦବୀ ଖାଲି ପଡ଼ିଥିବା ବେଳେ ଜିଲାରେ ସ୍ୱାସ୍ଥ୍ୟସେବା କିଭଳି ପରିସ୍ଥିତିରେ ରହିଛି ତାହା ସାଧାରଣରେ ଅନୁମେୟ । କମ୍ ସଂଖ୍ୟକ କିରାଣିରେ ଚାପରେ କାମ ଚାଲିଛି । ତେବେ ଜିଲାରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଶେଷଜ୍ଞ ଓ ଡାକ୍ତର ଅଭାବ ଯୋଗୁ ରୋଗୀ ଜିଲା ସଦର ମହକୁମା ଡାକ୍ତରଖାନା ଉପରେ ଭରସା କରୁଛନ୍ତି ।