ନିର୍ଭୟ ପକ୍ଷରୁ ‘ଗୁରୁବେ ନମଃ’ କାର୍ଯ୍ୟକ୍ରମ
ପୁରୀ : ଓଡ଼ିଶାର ଅନନ୍ୟ ଅନୁଷ୍ଠାନ “ନିର୍ଭୟ” ପକ୍ଷରୁ ଗୁରୁଦିବସ ଉପଲକ୍ଷେ ‘ଗୁରୁବେ ନମଃ’ ଶୀର୍ଷକ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଛି । ପ୍ରାକ୍ତନ ବିଧାୟକ ତଥା ଅନୁଷ୍ଠାନର ଆବାହକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ସଦର ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର କର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ, କୃଷ୍ଣଚନ୍ଦ୍ର ସାମନ୍ତରା, ଶିକ୍ଷାବିତ୍ ବିଶ୍ୱଜିତ୍ ଘୋଷ, ବିଜେପି ଜିଲ୍ଳା ସଭାପତି ଦେବେନ୍ଦ୍ର ନାଥ ତରାଇ, ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦାନ କରି ଶିକ୍ଷାବିକାଶ, ପାରିବାରିକ ଶୃଙ୍ଖଳା ଓ ସାମାଜିକ ମୂଲ୍ୟବୋଧ ପାଇଁ ଗୁରୁମାନେ ସର୍ବଦା ସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ରାଜକିଶୋର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ । ସରୋଜ କୁମାର ମହାପାତ୍ର, ଲକ୍ଷ୍ମୀ ନାରାୟଣ ଦାସ, ଇଷ୍ଟଦତ୍ତ ମହାପାତ୍ର, ଅନିତା ପଟ୍ଟନାୟକ, ରାଜକିଶୋର ସାହୁ ଓ ରଜନୀ ପଟ୍ଟନାୟକ ପ୍ରମୁଖ ଉସôବ ପରିଚାଳନା କରିଥିଲେ । ରେଣୁକା ସଂଗୀତ କଳାକେନ୍ଦ୍ର ପକ୍ଷରୁ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ନବପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟାଙ୍ଗନମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଶିକ୍ଷା, ସାହିତ୍ୟ, ଚିତ୍ରକଳା, ସଂଗୀତ, ନୃତ୍ୟ, କ୍ରୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦୁଲି ଓ ଅଜିତ କୁମାର ନନ୍ଦଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।