କାଦୁଅ ଲଟପଟ ଓଥକା ପାଳି ହାଟ ତଳି ରୋଇ ପ୍ରତିବାଦ
କାକଟପୁର : ପୁରୀଜିଲ୍ଲା କାକଟପୁର ବ୍ଲକର ସର୍ବପୁରାତନ ହାଟ ତଥା ପାନ ହାଟ ପାଇଁ ସାରା ରାଜ୍ୟରେ ଦିନେ ପ୍ରସିଦ୍ଧି ଲାଭ କରିଥିଲା । ଏବେ କିନ୍ତୁ ହାଟର ଅବସ୍ଥା କହିଲେ ନସରେ । ଓଥକା ହାଟଟି ଅସରାଏ ବର୍ଷାରେ କାଦୁଅ ଲଟପଟ ହେଉଥିବା ବେଳେ ଚାଷୀମାନେ ହାଟରୁ ମୁଁହ ଫେରାଉଛନ୍ତି । ଅନ୍ୟପଟେ ଏଭଳି ଅବସ୍ଥା ଦୀର୍ଘ ଦିନ ଧରି ଲାଗିଥିଲେ ମଧ୍ୟ ଏହାକୁ ସୁଧାରିବାରେ ବିଫଳ ହୋଇଛି ସ୍ଥାନୀୟ ପ୍ରଶାସନ । ଦୀର୍ଘ ଦିନର ସମସ୍ୟା ନସୁଧାରିବାରୁ ରବିବାର ଦିନ ପାଳି ହାଟ ଚାଲିଥିବାବେଳେ ସ୍ଥାନୀୟ ବ୍ୟବସାୟୀ ମାନେ ଉକ୍ତ କାଦୁଅ ଲଟପଟ ଯାଗାରେ ହଳ କରିବା ସହିତ ଧାନ ତଳି ରୋଇବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାୟୀ ବ୍ୟବସାୟୀ ମାନେ ନିଜ ବ୍ୟବସାୟ ନକରିପାରି ଦୁଃଖରେ କାଳାତିପାତ କରିଥିବା ବେଳେ ପଞ୍ଚାୟତ ପ୍ରଶାସନକୁ ଧିକ୍କାର କରିଛନ୍ତି । ଓଥକା ହାଟ ସ୍ଥାନୀୟ ଅଞ୍ଚଳର ପାନ ଚାଷୀ ଓ ପରିବା ଚାଷୀଙ୍କ ଜୀବନ ରେଖା ହୋଇଥିବା ବେଳେ ଏହା ଦିନକୁ ଦିନ ଦୁର୍ବିସହ ହୋଇପଡିବା ସାଙ୍ଗକୁ ସ୍ଥାୟୀ ବ୍ୟବସାୟୀ ମାନେ ଅଣ୍ଟା ସଳଖି ଠିଆ ହୋଇପାରୁନାହାନ୍ତି । ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ କୁନିଲତା କାଣ୍ଡିଙ୍କୁ ପଚାରିବାରେ ସେ ଓଥକା ହାଟରୁ ଆସୁଥିବା ଅର୍ଥ ରେ ହାଟ ର ସମସ୍ୟା ସୁଧାରିବା ପର୍ଯ୍ୟାପ୍ତ ହେଉନଥିବାରୁ ସମସ୍ୟା ଲାଗିରହୁଥିବା ପ୍ରତିକ୍ରିୟରେ ପ୍ରକାଶ କରିଛନ୍ତି । ତୁରନ୍ତ ସ୍ଥାନୀୟ ପ୍ରଶାସନ ଓ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ ସମସ୍ୟା ସୁଧାରିଲେ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।