ନିଶା ଓ ନିଶାଡ଼ିଙ୍କ ହବ୍ ପାଲଟିଛି ବିଞ୍ଝାରପୁର

 ବିଞ୍ଝାରପୁର : ସକ୍ରୀୟ ନିଶା ବେପାରକୁ ନିଷ୍କ୍ରିୟ ଅବକାରୀ ଓ ପୁଲିସ ବିଭାଗ । ଅଞ୍ଚଳକୁ ଗ୍ରାସ କରିଗଲାଣି ଦେଶୀ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ ଓ ସବୁଠାରୁ ମାରାତ୍ମକ ଧଳା ଜହର । ପୂର୍ବରୁ ଏହି ଧଳା ଜହର କାରବାରରେ ପଶ୍ଚିମବଙ୍ଗ ଓ ଜଳେଶ୍ୱରରୁ ବିଞ୍ଝାରପୁର ଲିଙ୍କ ଥିବା କଥା ସମସ୍ତେ ଅଳ୍ପ ବହୁତ୍ ଜାଣିଥିବେ ହେଲେ ଏବେ ଯାଜପୁର ଟାଉନ୍ରୁ ବିଞ୍ଝାରପୁର ଲିଙ୍କ ରହିଥିବା ଚର୍ଚ୍ଚା ହେଉଛି । ଅଧରାତିରେ ଶିକ୍ଷିତ ବେକାର ଯୁବକଙ୍କ ଦ୍ୱାରା ଚାଲାଣ ହେଉଛି ଧଳା ଜହର ସାଙ୍ଗକୁ ନିଶା ଦ୍ରବ୍ୟ ନିଶା ସିଗାରେଟ ଓ ଗଞ୍ଜେଇ । ଏହିଭଳି କାର୍ଯ୍ୟରେ ମହିଳା ବି ସାମିଲ୍ ଥିବା ଚର୍ଚ୍ଚା ହେଉଛି । ରାତିଅଧରେ ଦାମୀ ବାଇକ୍ରେ କେତେ ବେଳେ ମହିଳା ତ କେତେ ବେଳେ ମହିଳାଙ୍କ ସମେତ ପୁରୁଷ ବି ରହି ଏହି ନିଶା ଦ୍ରବ୍ୟ ମୁଖ୍ୟ ରାସ୍ତାରୁ ଗାଁ ଭିତର ଦେଇ ଚାଲାଣ ହେଉଥିବା ଜଣାପଡିଛି । ଅଂଚଳରେ ଦୁଇ ଦୁଇଟି ଥାନା ରହିଥିବା ସତ୍ୱେ କାରବାର ଦିନକୁ ଥମିବା ବଦଳରେ ବରଂ ବଢ଼ିବାରେ ଲାଗିଛି ।
ଚିକ୍କଣା-କପିଳା, ଅରେଇ-ଇଞ୍ଜନପୁରପାଟ, ଲେଙ୍କାସାହି-କଲେଜ୍, ଗୁହାଳି-ସିଂହପୁର ନଦୀ ବନ୍ଧ, ନରୁଆ-ବିଞ୍ଝାରପୁର, କଲେଜ୍-ନାହାକାଣି, ଶାସନପଡ଼ା-ଅଜିପୁର ଭଳି ପ୍ରମୁଖ ନିଛାଟିଆ ରାସ୍ତାରେ ଧଳାଜହରର ପାଲଟିଛି ଆଡ୍ଡା । ସେହିପରି ସିଂହପୁର କଲେଜ ଛକ ଓ ବିଞ୍ଝାରପୁର ପ୍ରମୁଖ ବଜାରର ନିର୍ଦ୍ଧିଷ୍ଟ କିଛି ପାନଦୋକନ ଖୋଲିବା ନାମରେ ଚାଲିଛି ଗଞ୍ଜେଇ ମିଶା ଗୋଗୋ ସିଗାରେଟ୍ର ବେପାର । ବଜାରରେ ଥିବା ପ୍ରାଣୀ ଚିକିତ୍ସାଳୟ ପଛପଟ ନିରୋଳା ଜାଗା ହେଇଥିବା ବେଳେ କୁଆଡେ ନିଶାଡିଙ୍କ ଏହି ଯାଗାଟି ପେଣ୍ଠସ୍ଥଳୀ ବୋଲି ଜଣାପଡ଼ିଛି । ଏପଟେ ବେଆଇନ୍ ଦେଶୀ ବିଦେଶୀ ମଦ କଥା ନକହିବାଭଲ । ପାହାନ୍ତି ଭୋର ସମୟରେ ବେପାରୀ ମାନେ ଚଳାଇଛନ୍ତି ବେଖାତିର ଖୁଲମ ଖୋଲା ବେପାର । ନିର୍ଦ୍ଧିଷ୍ଟ ବୋଲେରୋ, ନମ୍ବର ବିହୀନ ବାଇକ୍ରେ ବୁହାଚାଲିଛି ପେଟି ପେଟିମଦ । ଦିନ ଦୁଇପହର ହେଉ ବା ସନ୍ଧ୍ୟା ଏମାନେ ଛାଇଛନ୍ତି ଖିଲମ୍ ଖୋଲା ବେପାର । ଯାଜପୁର ଟାଉନରୁ ବିଞ୍ଝାରପୁର ଓ ପ୍ରିତିପୁର ମୁଖ୍ୟରାସ୍ତା ଦେଇ ପ୍ରତିଦିନ ୧୦ରୁ ୧୫ନମ୍ବର ବିହୀନ ବାଇକ, ଅଟୋ ବୋଲେରୋରେ ଆସୁଛି ଚୋରା ମଦ । ଜିଲା ଅବକାରୀ ବିଭାଗ ଏସମ୍ପର୍କରେ ଖବର ରଖିଛି ସତ ହେଲେ ହାତ ଗୁଞ୍ଜା ନେଇ ଦେଖାଣିଆ ଚଢାଉ କରୁଥିବା ବେଳେ ପ୍ରକୃତରେ ପୁରା କାର୍ଯ୍ୟାନୁଷ୍ଠାନ ଶୁନ । ଧରିବା ବଦଳରେ ସୁରକ୍ଷାର କବଜ ସାଜିଛି ଅବକାରୀ ବିଭାଗ । ମାତ୍ରାଧିକ ଚୋରା ମଦ ଅଳକୁଣ୍ଡ ଥାନା ଅଂଚଳର ପ୍ରୀତିପୁର, ଉଡରଙ୍ଗ, ବରିକୁଳ, ଚିକଣା ପଂଚାୟତର ପଇରଖ, ହଳଦୀଢିଅ, ଅଳକୁଣ୍ଡ, ଆଉଁରୀ ଢିଅକୁଳା ବଜାର ଅଂଚଳରେ ବେପାର ଚାଲିଥିବା ବେଳେ ବିଞ୍ଝାରପୁରରେ କାଣ୍ଡିସାହି, ପଦାସାହି, ଅଂଚଳରେ ଚାଲିଛି ଏହି ନିଶା କାରବାର ।