ଚିତ୍ରକଳା ଓ ଜନଜାତି କଳାକୃତି

ଡା.ବିଚିତ୍ରାନନ୍ଦ ଆଚାର୍ଯ୍ୟ : 
ମାନବର ଅଭିବ୍ୟକ୍ତି ପାଇଁ ଯେତେ ପ୍ରକାର ମାଧ୍ୟମ ରହିଛି, ଚିତ୍ରକଳା ସେଥିମଧ୍ୟରୁ ଅନ୍ୟତମ । ପ୍ରାଗୈତିହାସିକ ଯୁଗରୁ ଅଲତାମୀରା ଗହ୍ୱରର ଚିତ୍ରଣ ଏବଂ ଫ୍ରାନ୍ସର ଲସକସ୍ ଗହ୍ୱର ଚିତ୍ରଣ ପୂର୍ବରୁ ଆଦିମ ମାନବର ଅନ୍ୟ କୌଣସି ପ୍ରକାର ଚିତ୍ରାଙ୍କନର ସନ୍ଧାନ ମିଳେ ନାହିଁ । ଏଥିରୁ ପ୍ରମାଣିତ ହୁଏ ଯେ ଗହ୍ୱର ମଧ୍ୟସ୍ଥିତ ରେଖା ଓ ବର୍ଣ୍ଣର ଏହି ସହଜ ପରିପ୍ରକାଶ ଚିତ୍ରାଙ୍କନ ହିଁ ଭାଷାହୀନ ମାନବର ପ୍ରଥମ ଅଭିବ୍ୟକ୍ତି । ଭାରତୀୟ ଶିଳ୍ପୀମାନେ ଧର୍ମ ଓ ଦର୍ଶନର ସମିଶ୍ରଣରେ ଯେଉଁ ଉନ୍ନତ ଚିତ୍ର, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ସୃଷ୍ଟି କରିଛନ୍ତି, ସେଥିରେ ଭାବ ପ୍ରକାଶ ସ୍ପଷ୍ପ ପରିଲକ୍ଷିତ ହୁଏ । ଭାରତୀୟ ଚିତ୍ରକଳାରେ ରଚନା ଶୈଳୀ, ରେଖାଙ୍କନର ଚାତୁରୀ, ଲାଳିତ୍ୟ ବର୍ଣ୍ଣ ସଂଯୋଗ ଓ ଗୁଣାତ୍ମକ ପ୍ରକାଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଭାରତୀୟ ସମାଜରେ ଅତି ପ୍ରାଚୀନ କାଳରୁ ଚିତ୍ରର ପ୍ରଚଳନ ଥିଲା । କାବ୍ୟ ଓ ପୁରାଣମାନଙ୍କରେ ମଧ୍ୟ ଏହା ସୂଚନା ମିଳେ । ପ୍ରାଗୈତିହାସିକ ଯୁଗର କେତେକ ରେଖା ଚିତ୍ରର ସନ୍ଧାନ ଭାରତରେ ମିଳିଛି । ଏଥିରେ ଆଦିମାନବର ଦୈନନ୍ଦିନ ଘଟଣାବଳୀର କେତେକ ସୂଚନା ଦୃଷ୍ଟିକୁ ଆସେ । ଚିତ୍ରାଙ୍କନ ଯୁଗ ଯୁଗ ବ୍ୟାପୀ ଭାରତରେ ପ୍ରଚଳିତ ହୋଇ ଏକ ଉଚ୍ଚମାନର କଳା ପରମ୍ପରା ସୃଷ୍ଟି କରିବାରେ ସହାୟକ ହୋଇଛି । ଭାରତର କଳା ଐତିହ୍ୟ କେବଳ ପ୍ରାଚୀନତା ଦୃଷ୍ଟିରୁ ନୁହେଁ ଏହାର ଆଧ୍ୟାତ୍ମିକତା ଦୃଷ୍ଟିରୁ ସୁଦୂର ପ୍ରସାରୀ । ଉକ୍ରଳରେ ମଧ୍ୟ ରେଖା ଓ ବର୍ଣ୍ଣଦ୍ୱାରା ଚିତ୍ରାଙ୍କନ ପ୍ରଚଳିତ ଥିବାର ଦୃଷ୍ଟିକୁ ଆସେ । ପ୍ରାଗୈତିହାସିକ ଯୁଗରୁ ଗୁମ୍ଫାମାନଙ୍କରେ ଥିବା ପ୍ରସ୍ତର ଉପରେ ଅଙ୍କିତ ଚିତ୍ର ଅଦ୍ୟାବଧି ଉନ୍ନତ କଳା ପରମ୍ପରାର ସୂଚନା ଦିଏ । ତନ୍ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ମାଣିକଯୋଡ଼ା, ଉଷାକୋଠି, କଳାହାଣ୍ଡି ଜିଲ୍ଲାର ଉଲ୍ଲାପଗଡ଼ ଓ ବିକ୍ରମ ଖୋଲ ଅନ୍ୟତମ । ଏହି ଗୁମ୍ଫା ଚିତ୍ରର କାଳ ସଠିକ ଭାବେ ନିରୂପଣ କରାଯାଇ ନଥିଲେ ମଧ୍ୟ ତକ୍ରାଳୀନ ସାମାଜିକ ଅବସ୍ଥାର କେତେକ ଚିତ୍ର ଦର୍ଶକମାନଙ୍କୁ ଅଭିଭୂତ କରିଥାଏ । ଏହାର ଜ୍ୟାମିତିକ ରେଖା ଓ ବର୍ଣ୍ଣର ରଚନା ମାଧ୍ୟମରେ ଭାବର ପ୍ରକାଶ ଶିଳ୍ପୀର ଅନ୍ତର୍ନିହିତ ଆବେଗର ପରିପ୍ରକାଶ । 
ହିନ୍ଦୁଧର୍ମର ଆରାଧ୍ୟ ଦେବତା ବିଶ୍ୱବିଖ୍ୟାତ ପ୍ରଭୁ ଜଗନ୍ନାଥଙ୍କ ପ୍ରତୀକ ଆଦିବାସୀ ସଂସ୍କୃତିର ମୂଳ ପିଣ୍ଡ ବୋଲି ପୃଥିବୀର ଅନେକ କଳା ଐତିହାସିକ ଏବଂ ଚିନ୍ତାଶୀଳ ସାଂସ୍କୃତିକ ବ୍ୟକ୍ତିଗଣ ସ୍ୱୀକାର କରିଛନ୍ତି । ଶିଳ୍ପୀଗଣ କାଠ, ପଥର, ବିଭିନ୍ନ ଧାତୁ ତଥା ପଟ୍ଟଚିତ୍ର କାରିଗରମାନେ ଦେଉଳର କାନ୍ଥ, କନା ଓ ପଟ୍ଟିରେ ଆଦିବାସୀମାନେ ତାଙ୍କର ପାରମ୍ପରିକ ଶୈଳୀରେ ବିଭିନ୍ନ ପ୍ରାକୃତିକ ରଙ୍ଗ ସାହାଯ୍ୟରେ ତଥା ଏବର ଆଧୁନିକ ଯୁଗର ଶିଳ୍ପୀ ଓ ଭାସ୍କରମାନେ ଏହି ମହାନ ସଂସ୍କୃତିକୁ ବିଭିନ୍ନ ପଦ୍ଧତିରେ ଚିତ୍ରିତ କରିଛନ୍ତି । ବହୁକାଳରୁ ଏହି ଆଦିବାସୀ ସଂସ୍କୃତି ସହିତ ବିଦ୍ୟାପତି, ଲଳିତା, ଇନ୍ଦ୍ରଦୁ୍ୟମ୍ନ ଏବଂ ଶବର ରାଜା ବିଶ୍ୱାବସୁଙ୍କ ସମ୍ପର୍କ ଜନଜୀବନରେ ନିବିଡ଼ ସମ୍ପର୍କ ରଖି କାଳଜୟୀ ହୋଇଛନ୍ତି । ଆଦିବାସୀମାନଙ୍କର ପୂଜ୍ୟ ଦେବତା ନୀଳମାଧବ ଆମ ଜାତି, ଧର୍ମ ନିର୍ବିଶେଷରେ ଗୃହୀତ ଧର୍ମଦେବତା ରୂପରେ ମଧ୍ୟ ପୂଜିତ । ଏହାର ଚିତ୍ରଣ ଶୈଳୀ ସରଳ ଓ ବଜ୍ରରେଖା ସହିତ ଶ୍ୱେତ, ହରିଦ୍ରା, ଲାଲ ଓ କୃଷ୍ଣବର୍ଣ୍ଣର ବିଲେପନ ହିଁ ବହୁ ଶତବର୍ଷ ଧରି ପ୍ରଚଳନ ହୋଇ ଆସୁଛି । ଚିତ୍ରକଳା ମାଧ୍ୟମରେ କାନ୍ଥ, କବାଟ, ଭୂମି, ଘର ସମ୍ମୁଖରେ ପଥର ଦେହରେ ନାନା ପ୍ରକାର ଲୋକକଳା ଅଙ୍କନ କରି ଭୂତ, ପ୍ରେତ ମାନଙ୍କ ଭୟରୁ ରକ୍ଷା ପାଇଁ ଓ ପୂର୍ବ ପୁରୁଷମାନଙ୍କ ପୂଜା ଉଦେ୍ଦଶ୍ୟରେ ଚିତ୍ର ଅଙ୍କନ କରିବା ପାଇଁ ସେମାନେ ବିଶେଷ ଆଗ୍ରହ ଦେଖାଇଥାନ୍ତି । ଭାରତ ବର୍ଷର ଅନ୍ୟତମ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଶାନ୍ତିନିକେତନର ରାମଜୀଙ୍କର ବେକ ଏହି ଆଦିବାସୀ ସଂସ୍କୃତିରେ ବିଶେଷ ଭାବେ ଅନୁପ୍ରାଣିତ ହୋଇ ଏକ ବିଶାଳ ବ୍ରୋଞ୍ଜ ମୂର୍ତ୍ତି "ସାନ୍ତାଳ ପରିବାର' ନିର୍ମାଣ କରିଛନ୍ତି । 
ଓଡ଼ିଶାର ଆଧୁନିକ ଚିତ୍ରଶିଳ୍ପୀମାନଙ୍କ ମଧ୍ୟରେ ଡକ୍ଟର ଦୀନନାଥ ପାଠୀଙ୍କ "ଫସଲ ଅମଳର ସଙ୍ଗୀତ' ଓ ଶିବ ପାଣିଗ୍ରାହୀଙ୍କ ଅନେକ ସାଙ୍କେତିକ ଧର୍ମୀ ଆଦିବାସୀ ତୈଳଚିତ୍ର ଯଥାକ୍ରମେ କଲକାତା ଏକାଡ଼େମୀ ଅଫ ଫାଇନ ଆର୍ଟସ ଏବଂ ଓଡ଼ିଶା ଲଳିତକଳା ଏକାଡ଼େମୀର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀରେ ପୁରସ୍କୃତ ଓ ପ୍ରଦର୍ଶିତ ହୋଇଛି । ସେହିପରି ଗ୍ରାଫିକ ପ୍ରିଣ୍ଟସ ମାଧ୍ୟମରେ ବରିଷ୍ଠ ଶିଳ୍ପୀ ରାମହରି ଜେନା, ଅଧ୍ୟାପକ ଡି.ଏନ୍. ରାଓ, ଏକ୍ରଲିକ ରଙ୍ଗ ମାଧ୍ୟମରେ ଆଦିବାସୀ ଲୋକକଳାକୁ ଶିଳ୍ପୀ କାଶୀନାଥ ଜେନା ଚିତ୍ରିତ କରିଛନ୍ତି । ଆଦିବାସୀ ସଂସ୍କୃତି ଉପରେ ଓଡ଼ିଶାରେ ଅନେକ ଚିତ୍ରକଳା ପ୍ରଦର୍ଶନୀ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା, ସେମିନାର ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।  ସେହିପରି ଭୁବନେଶ୍ୱରଠାରେ ୱାର୍କିଂ ଆର୍ଟିଷ୍ଟସ୍ ଏସୋସିଏସନ ଦ୍ୱାରା "ଆଦିବାସୀ ସଂସ୍କୃତି' ଉପରେ ଜାତୀୟ ସେମିନାର ଓ ଆଲୋଚନାଚକ୍ର ନିୟମିତ ସମୟରେ ଅନୁଷ୍ଠିତ ହୋଇଥାଏ । ଜନଜାତି ଜୀବନର ଏହି ଅମୃତମୟ ଚିତ୍ରକଳା କଳା କ୍ଷେତ୍ରରେ ନୂତନ ସୃଜନର ସ୍ରୋତ ପ୍ରବାହିତ କରିବା ସହ ଅନେକ ଯଶସ୍ୱୀ କଳା ପ୍ରତିଭା, ଲୋକକଳା ସହ ଜନଜାତି, ଉକ୍ରଳର ଆଦିବାସୀ ପରମ୍ପରାର ମନମୁଗ୍ଧ କଳାକୃତି ଯୁଗେ ଯୁଗେ ସ୍ମରଣୀୟ । 
ମୋ : ୯୪୩୭୨୪୨୩୧୭