ନିଶା କାରବାରର ପେଣ୍ଠସ୍ଥଳୀ ବେତନଟୀ
ବେତନଟୀ: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ସହର ଏବେ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି । ବେଆଇନ ଭାବେ ଦେଶୀ, ବିଦେଶୀ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି । ଗଳିକନ୍ଦିରେ ଚାଲିଛି ଅବାଧ ବେଆଇନ୍ ନିଶାଦ୍ରବ୍ୟର କାରବାର । ଅବକାରୀ ବିଭାଗ ଠାରୁ ଆରମ୍ଭ କରି ପୁଲିସ୍ ପର୍ଯ୍ୟନ୍ତ ସମସ୍ତେ ଏ ସଂପର୍କରେ ଅବଗତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି । ଏହି ବେଆଇନ୍ କାରବାର ଦ୍ୱାରା ଯୁବପିଢୀ ବିଶେଷ ଭାବେ ବିପଥଗାମୀ ହେଉଥିବାବେଳେ ସାମାଜିକ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ବେଆଇନ୍ ଦେଶୀ ମଦ ବ୍ୟତୀତ ବ୍ରାଉନସୁଗାର କାରବାର ସହରରେ ବଢିବାରେ ଲାଗିଛି । ପୁଲିସ୍ ଓ ଅବକାରୀ ବିଭାଗର ଉଦାସୀନତା ଯୋଗୁଁ ବେତନଟୀ ସହର ଏବେ ବେଆଇନ୍ ନିଶା ବ୍ୟବସାୟୀଙ୍କ ଭୂସ୍ୱର୍ଗରେ ପରିଣତ ହୋଇଥିବା ଅଭିଯୋଗ ହେଉଛି । ମୟୁରଭଞ୍ଜ ଜିଲ୍ଲାର ବାରିପଦା, ମୋରଡ଼ା, ରାସଗୋବିନ୍ଦପୁର, ଜିବି ନଗର, ଖୁଣ୍ଟା ଏବଂ ବାଲେଶ୍ୱର ଜିଲ୍ଲାର ନୀଳଗିରି ସଦର ବ୍ଲକ, ବାଲେଶ୍ୱର ଓ ବସ୍ତା ଅଞ୍ଚଳକୁ କୌଣସି ପ୍ରତିବନ୍ଧକ ନ ଥାଇ ଯୋଗାଯୋଗ ଥିବାରୁ ପଡୋଶୀ ଝାଡଖଣ୍ଡ, ଛତିଶଗଡ ପୂର୍ବ ସିଂଭୂମ ଅଞ୍ଚଳରୁ ଯେକୌଣସି ପ୍ରକାରର ସାମଗ୍ରୀ ଅବାଧରେ ବେତନଟୀ ଅଠର ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଯୋଗୁଁ ସଡ଼କ ପଥରେ ଚୋରାଚାଲାଣ ନିର୍ବିଘ୍ନ ହୋଇଥାଏ । ବିଶେଷ କରି ଦେଶୀ ମଦ ସହିତ ଚୋରା ବିଦେଶୀ ମଦର ଅଧିକ ଚାହିଦା ଦିନକୁ ଦିନ ବଢୁଥିବା ଯୋଗୁଁ ଚୋରାମଦ ଭାଟି ସଂଖ୍ୟା ବେତନଟୀ ସମେତ ଆଖପାଖ ଅଞ୍ଚଳରେ ବଢିଚାଲିଛି । ଏପରିକି ସ୍ଥାନୀୟ ଥାନା ଏରିଆରେ ବିସ୍ତୃତ ଜଙ୍ଗଲ ଥିବା ହେତୁ ଏହା ଏବେ ମଦ ମାଫିଆମାନଙ୍କର ମୁଖ୍ୟ ରୋଜଗାରର ମାଧ୍ୟମ ପାଲଟିଛି । ମାଫିଆମାନେ ଦେଶୀ ବିଦେଶୀ ମଦ ଉତ୍ପାଦନ କରିବା ଏବଂ ଚୋରାରେ ଶହ ଶହ ମଦ କାଉଣ୍ଟର ଚାଲୁ ରହିବା ସାଙ୍ଗକୁ ବଳକା ଉତ୍ପାଦିତ ମଦ ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର, ପାଣିକୋଇଲି ଚଣ୍ଡିଖୋଲ, ପାରାଦୀପ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ସଡକ ପଥରେ ଚାଲାଣ କରିଥାନ୍ତି । ତେବେ ଅବକାରୀ ବିଭାଗ ଓ ପୁଲିସ୍ ସହିତ ଏ ସମସ୍ତ ମାଫିଆଙ୍କ ଭଲ ସଂପର୍କ ରହିଥିବା ଯୋଗୁଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ସାଧାରଣରେ ଅଭିଯୋଗ ହେଉଛି ।