ଇମ୍ଫାର ଶ୍ରମିକ ମାରଣ ନୀତି ନେଇ ଧାରଣା

 କାଳିଆପାଣି : ଖଣି ଅଞ୍ଚଳରେ ଶ୍ରମିକ ସମସ୍ତ କମ୍ପାନୀ ମାନଙ୍କ ଦ୍ୱାରା ଶୋଷିତ ହୋଇ ଆସୁଛନ୍ତି । ଯେଉଁ ଶ୍ରମିକଟି ନିଜର ଲହୁ ଲୁହ ଏବଂ ମୁଣ୍ଡରଝାଳ ତୁଣ୍ଡରେ ନେଇ କମ୍ପାନୀ ମାନଙ୍କୁ କୋଟିକୋଟି ଟଙ୍କାର ମୁନାଫା ଦେଇ ଆସୁଛି ତାକୁ କମ୍ପାନୀ ସାମାନ୍ୟ ମଜୁରୀଟିଏ ଦେବାକୁ କୁଣ୍ଠିତ ମନେ କରୁଛନ୍ତି । ଏହିପରି ଖଣି ଅଂଚଳରେ ପ୍ରତିଦିନ କୌଣସି ନା କୌଣସି କମ୍ପାନୀର ଶ୍ରମିକ ଗଣ ଧାରଣା ଠାରୁ ଆରମ୍ଭ କରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଗୁରୁବାର ସକାଳୁ ଇମ୍ଫା କମ୍ପାନୀରେ କାର୍ଯ୍ୟରତ ବୋଝେଇ ଶ୍ରମିକ ଦୈନିକ ମଜୁରୀ ପାଇବା ପାଇଁ ଗଣଧାରଣାରେ ବସିଥିଲେ । ଇମ୍ଫା କମ୍ପାନୀରେ ମେସିନ ମାଧ୍ୟମରେ ବୋଝେଇ ଦିଆଯାଉଥିବାରୁ ପ୍ରାୟ ୨୫୦ଜଣରୁ ଉର୍ଦ୍ଧ ଶ୍ରମିକ ଘରେ ହାତ ବାନ୍ଧି ବସିବାକୁ ବାଧ୍ୟ ହୋଇଛନ୍ତି । କମ୍ପାନୀ ମେସିନ ଦ୍ୱାରା ଟ୍ରକ ବୋଝେଇ କରୁଥିବାରୁ ଶ୍ରମିକ ମାନେ ଜୀବିକା ହରାଇ ବସିଛନ୍ତି । ଏଣୁ ଏମାନଙ୍କୁ ଟ୍ରକ ବୋଝେଇ ଶ୍ରମିକ ହିସାବରେ ଦୈନିକ ମଜୁରୀ ପ୍ରଦାନ କରିବା ଏବଂ ଭବିଷ୍ୟନିଧି ପ୍ରଦାନ କରିବା ନେଇ ଗଣଧାରଣାରେ ବସିଥିଲେ ।ନବ ନିର୍ମିତ ଶ୍ରମିକ ସଂଗଠନ ତଥା ଓଡିÿଶା ମାଇନିଂ ୱାର୍କର୍ସ ୟୁନିଅନ ପକ୍ଷରୁ ଏହି ଗଣଧାରଣା ଦିଆଯାଇଛି । ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ଅମଳେନ୍ଦୁ ବେହୁରାଙ୍କ ଅଧକ୍ଷତାରେ ଗଣଧାରଣାରେ ଦିଲ୍ଲୀପ କୁମାର ପାତ୍ର, ବେଣୁଧର ମହାକୁଡ଼, ମନୋଜ ମହାନ୍ତ, କୁନା ମହାନ୍ତ, ବେଣୁଧର ମହାନ୍ତ, ଲମ୍ବୋଦର ମହାନ୍ତ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ । ଯେ ପର୍ଯ୍ୟନ୍ତ ଇମ୍ଫା କମ୍ପାନୀ ଶ୍ରମିକଙ୍କ ଦାବିକୁ ପୂରଣ ନ କରିଛି ଏହି ଗଣଧାରଣା ଜାରି ରହିବ ବୋଲି ଚେତାବନି ଦିଆଯାଇଛି ।