ନୀଳାଦ୍ରି ବିଜେ ପୂର୍ବରୁ ରସଗୋଲା ଭୋଗ
ପୁରୀ : ରଥଯାତ୍ରା, ବାହୁଡ଼ା, ସ୍ୁନାବେଶ ଓ ଅଧରପଣା ନୀତି ପରେ ମଙ୍ଗଳବାର ଶୁକ୍ଳ ଚତୁର୍ଦ୍ଦଶୀରେ ନୀଳାଦ୍ରି ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନୀଳାଦ୍ରି ବିଜେ ଅବସରରେ ରଥାରୂଢ ଶ୍ରୀଜୀଉମାନଙ୍କୁ ବିପୁଳ ପରିମାଣର ରସଗୋଲା ଭୋଗ କରାଯାଇଥିଲା । ଦିନ ତମାମ ଭକ୍ତମାନେ ଶ୍ରଦ୍ଦା ଓ ଭକ୍ତିର ସହ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ବର୍ଷର ଏହି ଗୋଟିଏ ଦିନରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ବାହାରେ ରସଗୋଲା ଭୋଗ କରାଯାଇଥାଏ । ଠାକୁରମାନଙ୍କ ନୀଳାଦ୍ରି ବିଜେ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ରଥ ଚାରିପଟେ ଖୋଲିଥିଲା ବହୁ ସଂଖ୍ୟକ ଅସ୍ଥାୟୀ ରସଗୋଲା ଦୋକାନ । ବଡ଼ବଡ଼ କଢେଇ ଓ ଅନ୍ୟାନ୍ୟ ପାତ୍ରରେ ବ୍ୟବସାୟୀମାନେ ବିଭିନ୍ନ ଆକାର ବିଶିଷ୍ଟ ରସଗୋଲାର ପସରା ମେଲିଥିଲେ । ଭକ୍ତମାନେ ଓଳି କିମ୍ବା କୁଡ଼ୁଆରେ ରସଗୋଲା ନେଇ ପୂଜାପଣ୍ଡାମାନଙ୍କ ଦ୍ୱାରା ଭୋଗ କରାଇଥିଲେ । ଏହି ଅବସରରେ ଲକ୍ଷଲକ୍ଷ ଟଙ୍କାର ରସଗୋଲା ଭୋଗ କରାଯାଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ କରିବା ପରେ ରତ୍ନସିଂହାସନରେ ବିଜେ କରିଥାନ୍ତି । ରସଗୋଲା ଦ୍ୱାରା ଦାମ୍ପତ୍ତ୍ୟ କଳହର ମଧୁର ପରିସମାପ୍ତି ଘଟିଥାଏ । ନୀଳାଦ୍ରି ବିଜେ ଅବସରରେ ହଜାର ହଜାର ଭକ୍ତ ରଥାରୂଢ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ସାକାଳୁ ରଥ ଚତୁଃପାଶ୍ୱର୍ ଲୋକାରଣ୍ୟ ହୋଇରହିଥିଲା । ଭକ୍ତମାନେ ରଥାରୂଢ ଦାରୁଦେବତାମାନଙ୍କୁ ଦର୍ଶନ କରିବା ସହ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରିଥିଲେ । ଦୀପ ଦୋକାନୀମାନେ ରଥ ଚାରିପଟେ ସେମାନଙ୍କ ପସରା ମେଳିଥିଲେ । ଶ୍ରୀଜୀଉମାନେ ରତ୍ନ ସିଂହାସନକୁ ବାହୁଡ଼ିଯିବା ପୂର୍ବରୁ ଭକ୍ତମାନେ ଠାକୁରମାନଙ୍କୁ ତୁଳସୀ ଓ ଫୁଲମାଳ ଲାଗି କରିବା ସହ ପ୍ରଣିପାତ କରିଥିଲେ ।