ନୂଆ ବର୍ଷରେ ନୟାପଲ୍ଲୀ ଥାନାକୁ ନୂଆ ବିଲ୍ଡିଂ
- ୨୭ ବର୍ଷ ଧରି ଭଡ଼ା ଘରେ ଚାଲିଥିଲା ଥାନା
- ସମସ୍ତ ପ୍ରକାର ଆଧୁନିକରଣ ବ୍ୟବସ୍ଥା କରାଯାଇଛି
- ମାଲ୍ ଖାନା, ପାର୍କିଂ, ହାଜତ, ପ୍ରତିକ୍ଷାଳୟ ରୁମ୍ ରହିଛି
- ପୁରୁଣା ଥାନାକୁ ଉଠି ଆସିବ ସାଇବର ଥାନା
ଭୁବନେଶ୍ୱର,୧୯ ।୧୨ : ଦୀର୍ଘ ୨୭ ବର୍ଷ ଧରି ସରକାରୀ କ୍ୱାର୍ଟର୍ସରେ ଚାଲୁଥିଲା ନୟାପଲ୍ଲୀ ଥାନା । ଏହି ଥାନାରେ ଶଙ୍କୁଚିତ ଜାଗା ପାଇଁ ବିଭିନ୍ନ ପ୍ରକାର ସମସ୍ୟା ହୋଇଆସୁଥିଲା । ଗାଡି ପାର୍କିଂ ଠାରୁ ଆରମ୍ଭ କରି ମାଲ୍ ଖାନାରେ ଜବତ ସାମଗ୍ରୀ ରଖିବାରେ ସମସ୍ୟା ଦେଖାଯାଉଥିଲା । ଏପରିକି ଥାନା କର୍ମଚାରୀ ମଧ୍ୟ ବସିବାକୁ ଜାଗା ମିଳୁନଥିଲା । ଶେଷରେ ନୂଆ ବର୍ଷରେ ନୟାପଲ୍ଲୀ ଥାନାକୁ ମିଳିବ ନୂଆ ବିଲ୍ଡିଂ । ଏହି ମାସ ଶେଷ ୨୫ ଆଡକୁ ନୂଆ ଥାନା ଉଦ୍ଘାଟନର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏହି ନୂତନ ଥାନାରେ ସବୁ ପ୍ରକାଶ ବ୍ୟବସ୍ଥା ରହିଛି । ଏହି ବିଲ୍ଡିଂରେ ୫କୋଟି ଟଙ୍କା ପାଖାପାଖି ଖର୍ଚ୍ଚ ହୋଇଥିବା ଜଣାପଡିଛି । ପୁଲିସ ଆଧୁନିକିକରଣ ସ୍କିମ୍ରେ ଆସିଥିବା ଟଙ୍କା ଏଥିରେ ଖର୍ଚ୍ଚ କରାଯାଇଛି । ଏହାକୁ ଆଧୁନିକ ଜ୍ଞାନକୌଶଳରେ ଏହାକୁ ଓପିଏଚ୍ଡବ୍ଲୁ୍ୟସି ନିର୍ମାଣ କରିଛନ୍ତି । ଆହୁରୀ ମଧ୍ୟ ଭିଏସ୍ଏସ୍ ନଗରରେ ଥିବା ସାଇବର ଥାନା ପୁରୁଣା ନୟାପଲ୍ଲୀ ଥାନାକୁ ଉଠିଯିବ ବୋଲି ଜଣାପଡିଛି । ଅନ୍ୟପଟେ ସାଇବର ଥାନାଟି ଭିତରକୁ ହୋଇଯାଉଥିବାରୁ ଲୋକେ ସାଇବର ଥାନା କେଉଁଠି ତାହା ଜାଣିପାରୁନାହାନ୍ତି । ତେଣୁ ପୁରୁଣା ନୟାପଲ୍ଲୀ ଥାନା ରହିଥିବା ସ୍ଥାନକୁୁ ଆଣିବା ପାଇଁ ବରିଷ୍ଠ ଅଧିକାରୀମାନେ ଯୋଜନା କରିଛନ୍ତି ।
ପାରମ୍ପାରିକ ପୁଲିସ ଷ୍ଟେସନଠାରୁ ଏହି ନୂଆ ବିଲ୍ଡିଂ ସଂପୂର୍ଣ୍ଣ ପୃଥକ କରାଯାଇଛି । ଥାନାକୁ ଆସୁଥିବା ଲୋକମାନଙ୍କ ପାଇଁ ଅନୁକୂଳ ହେବା ଉପରେ ଏହାର ଧ୍ୟାନ ଦିଆଯାଇଛି । ଥାନାକୁ ଆସୁଥିବା ଅଭିଯୋଗ ପ୍ରବେଶ କରିବା ମାତ୍ରେ, ଲ୍ୟାଣ୍ଡସ୍କେପ୍ ଲନ୍, ସେଲଫି ପଏଣ୍ଟ,ରିସେପ୍ସନ୍ ଏରିଆ, ପ୍ରତିକ୍ଷାଳୟ ଏବଂ ପିଲାମାନଙ୍କ ଖେଳିବା ପାଇଁ କ୍ରେଚ୍ ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ ସୁବିଧା, ପୁରୁଷ ଏବଂ ମହିଳା ପରିଦର୍ଶକମାନଙ୍କ ପାଇଁ ଅଲଗା ଶୌଚାଳୟ ବ୍ୟବସ୍ଥା ରହିଛି । ମହିଳା ଏବଂ ଶିଶୁମାନଙ୍କ ପାଇଁ ଅଲଗା ଡେସ୍କ ଅଛି । ଯାହାକି ସେମାନଙ୍କର ଆରାମ ଏବଂ ନିରାପତ୍ତା ସୁନିଶ୍ଚିତ କରୁଛି । ଯେଉଁମାନେ ଅସଦାଚରଣ ଏବଂ ଦୁଷ୍କର୍ମର ଶିକାର ହୋଇ ଥାନାକୁ ଆସୁଛନ୍ତି ସେମାନଙ୍କ ପାଇଁ ଏକ ପରାମର୍ଶ କକ୍ଷ ରହିଛି । ବଡ଼ କଥା ହେଲା ଭିନ୍ନକ୍ଷମ ପାଇଁ ବିଶେଷ ସୁବିଧା ରହିଛି । ସେମାନେ ଥାନାକୁ ଆସିଲେ ସହଜରେ ଥାନା ଭିତରକୁ ଯିବା ପାଇଁ ର୍ୟାମ୍ପ ବ୍ୟବସ୍ଥା କରାଯାଇଛି । ଦକ୍ଷ ଏବଂ ଆଧୁନିକ ଅନୁସନ୍ଧାନ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ଅଭିଯୁକ୍ତକୁ ପଚରାଉଚରା କରିବା ପାଇଁ ସ୍ୱତନ୍ତ୍ର ରୁମ୍ ରହିଛି । ସମ୍ମିଳନୀ ହଲ୍, ଏବଂ ସିସିଟିଏନ୍ଏସ୍ ନେଟୱାର୍କ ପାଇଁ ବ୍ୟବସ୍ଥା କରାଯାଇଛି । ସିସିଟିଭି କ୍ୟାମେରା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ବଜ୍ର ସୁରକ୍ଷା ପ୍ରଣାଳୀ ସହିତ ପୁଲିସ କର୍ମଚାରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି । ତଦନ୍ତ ପାଇଁ ସମସ୍ତ ଅଧିକାରୀଙ୍କୁ ମଡୁ୍ୟଲାର୍ ୱାର୍କସ୍ପେସ୍ ଯୋଗାଇ ଦିଆଯାଇଛି । ଏଥିରେ ମାଲଖାନା, ଭିଏଚ୍ଏଫ୍ ଏବଂ ସିସିଟିଭି କଣ୍ଟ୍ରୋଲ୍ ରୁମ୍, ରେକର୍ଡ ରୁମ୍ ଏବଂ ପୁରୁଷ ଏବଂ ମହିଳା ହାଜର ରହିଛି । ଥାନାରେ କାମ କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ବାରାକ ରହିଛି । ଯେଉଁଥିରେ ପୁରୁଷ ପୁଲିସ ଏବଂ ମହିଳା ପୁଲିସ ପାଇଁ ଅଲଗା ଅଲଗା ରୁମ୍ ଏବଂ ଶୌଚାଳୟ କରାଯାଇଛି । ବଡ଼ କଥା ହେଲା ସବୁ କିଛି ବ୍ୟବସ୍ଥା କରାଯାଇଥିବା ବେଳେ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ ହୋଇନଥିବାରୁ ପୁରୁଣା ଥାନାରୁ ସବୁ ସାମଗ୍ରି ସିଫ୍ଟ କରାଯାଇ ନାହିଁ । ଆଗେ ସିସିଟିଭି କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ଥାନାରୁ ସବୁ ସାମଗ୍ରୀ ସିଫ୍ଟ କରାଯିବ ବୋଲି ସୂଚନା ମିଳିଛି ।
୧୯୯୬ ମସିହା ନଭେମ୍ବର ୫ରେ ଅସ୍ଥାୟୀଭାବେ ସାଧାରଣ ପ୍ରଶାସନ ବିଭାଗର ଏକ କ୍ୱାଟର୍ସ(ବି-୪)ରେ ନୟାପଲ୍ଲୀ ଥାନା ଆରମ୍ଭ ହୋଇଥିଲା । ସେତବେଳର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାକୁ ଉଦ୍ଘାଟନ୍ କରିଥିଲେ । ନୂତନ ଥାନାର ଜାଗା ଚିହ୍ନଟ କରିବାରେ ଅଧିକ ଦିନ ବିତିଯାଇଥିଲା । ଏପରିକି ଥାନାରେ ଫାଇଲ୍ ରଖିବାକୁ ଜାଗା ନଥିବା ବେଳେ, ଜବତ ଗାଡି ରାସ୍ତା ଉପରେ ରଖାଯାଉଥିଲା । ଯେଉଁଥି ପାଇଁ ଯାତାୟତ କରିବା ସମସ୍ୟା ହେଉଥିଲା । ଆହୁରି ମଧ୍ୟ ଉକ୍ତ ବର୍ଷା ଦିନେ ମଶା, ଡାଅାଁଶ ଠାରୁ ଶରୀସୃପ ଥାନା ଭିତରକୁ ପଶୁଥିଲା ।