ଖାଇବା ନ ଦେବାରୁ ଖଣ୍ଡାରେ ଆକ୍ରମଣ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୧୯ା୧୨ : ରାତିରେ ଖାଇବାକୁ ନ ଦେବାରୁ ରାଗରେ ହୋଟେଲ ମାଲିକକୁ ଖଣ୍ଡାରେ ଆକ୍ରମଣ ସହ ବାଇକକୁ ହାଣିଲେ ଦୁର୍ବୃତ୍ତ । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ବେଗୁନିଆ ଅଞ୍ଚଳର ଚନ୍ଦନ ସାହୁ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ବ୍ଲୁ ହସ୍ପିଟାଲ ନିକଟରେ ଥିବା ସାହୁ ହୋଟେଲରେ କାର୍ଯ୍ୟ କରନ୍ତି । ଗତ ୮ ତାରିଖ ରାତି ପ୍ରାୟ ୧୨ଟା ସମୟରେ ନିମ୍ନାକ୍ତ ଅଭିଯୁକ୍ତ ଓ ତାର ସହଯୋଗୀ ମାନେ ଉକ୍ତ ହୋଟେଲକୁ ଆସି ଖାଇବାକୁ ମାଗିଥିଲେ । ବିଳମ୍ବିତ ସମୟ ଯୋଗୁଁ ହୋଟେଲ ବନ୍ଦ ହୋଇଯାଇଥିବା ଦର୍ଶାଇ ଅଭିଯୋଗକାରୀ ଖାଇବାକୁ ଦେବାକୁ ମନା କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଓ ତାର ସହଯୋଗୀ ମାନେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଏକ ଖଣ୍ଡା ଆଣି ଆକ୍ରମଣ କରିଥିଲେ । ଏହି ସମୟରେ ହୋଟେଲ କର୍ମଚାରୀ ମାନେ ହୋଟେଲ ଭିତରକୁ ଚାଲିଯାଇ ପୁଲିସକୁ ଫୋନ କରିଥିଲେ । ଖବର ପାଇ ପିସିଆର ଭ୍ୟାନ୍ ଆସିବା ଦେଖି ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।