ଶାକ୍ତତନ୍ତ୍ରର ଉନ୍ମେଷସ୍ଥଳୀ

ଦେବାଶିଷ ଆଚାର୍ଯ୍ୟ : ଓଡ଼ିଶାର ଜୀବନଯାତ୍ରା, ଧର୍ମ ଧାରଣା, ପର୍ବପର୍ବାଣି, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ, ସାହିତ୍ୟ ଓ ପ୍ରତ୍ନତତ୍ତ୍ୱରେ ତନ୍ତ୍ରର ପ୍ରଭାବ ସୁସ୍ପଷ୍ଟ ଯାହା ସ୍ୱତନ୍ତ୍ର ଆଲୋଚନାର ପ୍ରତୀକ୍ଷା କରିଥାଏ । ମନ୍ଦିର, ପୀଠ, ମଠ ବ୍ୟତୀତ ଗୃହେ ଗୃହେ ମଣ୍ଡଳ, କୋଠି, ଚକ୍ର, ଯନ୍ତ୍ର ଓ ନବପତ୍ରିକାରେ ତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଓଡ଼ିଶା ତନ୍ତ୍ର ପରମ୍ପରାର ଅନ୍ୟତମ ଅଙ୍ଗ । ସ୍ୱଳ୍ପ ସମୟ ନିମିତ୍ତ ପୂଜା ଆସ୍ଥାନକୁ ମଣ୍ଡଳ, ଯନ୍ତ୍ର ଓ କୋଠିରେ ସୁସଜ୍ଜିତ କରି ଅସ୍ଥାୟୀ ତନ୍ତ୍ରପୀଠ ନିର୍ମାଣ ପୂର୍ବକ ସହଜ ଓ ସରଳ ବିଧିରେ ତନ୍ତ୍ର ପୂଜା କରିବାର ଓଡ଼ିଶାରେ ଭବ୍ୟ ପରମ୍ପରା ସ୍ୱରୂପରେ ପ୍ରତିଭାତ । ସର୍ବସାଧାରଣ କ୍ଲୀଷ୍ଟ ଓ କଷ୍ଟସାଧ୍ୟ ତନ୍ତ୍ର ଉପାସନା ନକରି ମଧ୍ୟ ଏହି ସବୁ ଯାତ୍ରା, ଓଷା ଓ ପର୍ବପର୍ବାଣି ମାଧ୍ୟମରେ ମାତୃଭକ୍ତିରେ ଅବଗାହନ କରିପାରୁଛନ୍ତି । ସଂପ୍ରତି ଓଡ଼ିଶାର ନଗର, ଗ୍ରାମ, ପଲ୍ଲୀ ସର୍ବତ୍ର ମୃଣ୍ମୟୀ କାଳୀ ପୂଜା, ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପ୍ରଭୃତି ଅନୁଷ୍ଠିତ ହେଉଛି । 
ଓଡ଼ିଶା ହେଉଛି ଶାକ୍ତତନ୍ତ୍ରର ଉନ୍ମେଷସ୍ଥଳୀ । ଏହାକୁ ଆଧାର କରି ଓଡ଼ିଶାରେ ବୈଷ୍ଣବତନ୍ତ୍ର, ଶୈବତନ୍ତ୍ର, ଶାବର ତନ୍ତ୍ର, ନାଥ ତନ୍ତ୍ର, ନାଗାନ୍ତକ ବିଦ୍ୟା ପ୍ରଭୃତି ଉତ୍ତରୋତ୍ତର ବିକାଶ ଲାଭ କରିଥିଲା । ଅଧିକନ୍ତୁ, ଓଡ଼ିଶା ଶାକ୍ତ ପରମ୍ପରା ଉଦବୁଦ୍ଧ ହୋଇ ନିରୀଶ୍ୱରବାଦୀ ବୌଦ୍ଧମାନେ ଏହି ମାଟିରେ ବୌଦ୍ଧ ତନ୍ତ୍ରର ଉନ୍ମେଷ ଓ ବିକାଶ ଘଟାଇ ପାରିଥିଲେ । ପରିଣାମ ସ୍ୱରୂପ ଓଡ଼ିଶା ତନ୍ତ୍ର ସମନ୍ୱୟର ମହାପୀଠ ଭାବରେ ବିଶ୍ୱରେ ସ୍ୱତନ୍ତ୍ର ଆସନ ଅଳଙ୍କୃତ କରିଥିଲା । ଓଡ଼ିଶାର ତନ୍ତ୍ରଧାରା ପରିବର୍ତ୍ତିତ ସମୟ ଓ ସମାଜ ସହିତ ତାଳ ଦେଇ ପାରମ୍ପରିକ ପରିଧିରେ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ହୋଇଥିଲା । ଏହାଦ୍ୱାରା ଦେବଦେବୀ ଉପାସନା ନିର୍ଦ୍ଦିଷ୍ଟ ଗୋଷ୍ଠୀ ଭିତରେ ଆବଦ୍ଧ ନହୋଇ ସାର୍ବଜନୀନ ସ୍ୱରୂପ ଗ୍ରହଣ କଲା । ସଂକ୍ଷେପରେ ଉଳ୍ଲେଖ କଲେ, ତନ୍ତ୍ରର ଉତ୍ତରଣରେ ଓଡ଼ିଶା ମାଟିରେ ଜନ୍ମ ନେଇଥିବା ତନ୍ତ୍ରର ନୂତନ ସଂବୋଧି ଦ୍ୱାରା ଉପାସନାର ଧାରା, ସରଳ, ସହଜ, ସୁବୋଧ ଓ ସାର୍ବଜନୀନ ହୋଇପାରିଛି ।  ବେଦରେ ଭଗବତୀ ଦେବୀଙ୍କ ସ୍ତୁତି ସମ୍ପର୍କରେ କୁହାଯାଇଛି - ଦେବୀ! ହେ ମହାମାୟା! ତୁମେ ହିଁ ଏ ବିଶ୍ୱର ସୃଷ୍ଟିକାରିଣୀ । ଭଗବାନ ଶଙ୍କରଙ୍କ ମନୋରଥ ପୂର୍ଣ୍ଣ କାରିଣୀ, ଜଗତମୟୀ ଜଗଦମ୍ବା । ସମସ୍ତ ପ୍ରାଣୀଙ୍କ ଆଶ୍ରୟ ଦାନରେ ତୁମେ ହିଁ ଅର୍ଦ୍ଧମାତ୍ରା ଏବଂ ଗାୟତ୍ରୀରେ ତୁମେ ହିଁ ପ୍ରଣବ । 
ମୋ: ୯୭୭୬୮୨୫୦୯୪