ନେଟ୍ୱାର୍କ ଆସୁନି, ପାହାଡ ଉପରେ ଇ-କେୱାଇସି
ନବରଙ୍ଗପୁର: ପାହାଡ଼ ଉପରେ ଚାଲିଛି ଇ-କେୱାଇସି । ଯେଉଁ ରାସନ କାର୍ଡ ହିତାଧିକାରୀ ୩୧ମାର୍ଚ୍ଚ ସୁଦ୍ଧା ଇ-କେୱାଇସି କରିବେ ନାହିଁ ରାସନ କାର୍ଡରୁ ସେମାନଙ୍କ ନାମ କଟିବ । ତେଣୁ ଯୁଦ୍ଧକାଳୀନ ଭତ୍ତିରେ କରାଯାଉଛି ଇ-କେୱାଇସି । ଏଥିନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚାରୋଟି ଆଧାର ଅପଡେଟସନ କୀଟ ସହ ପାହାଡ଼ ଉପରେ ଡେରା ପକାଇଥିଲେ । ସୂଚନା ଅନୁସାରେ ଗ୍ରାମରେ ନେଟ୍ୱାର୍କ ନ ଥିବାରୁ ସେମାନେ ପାହାଡ ଉପରେ ଏହି କାମ କରିବାକୁ ବାଧ୍ୟ ହୋଇଥିବା ଦର୍ଶାଯାଇଛି । ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ସ୍ଥିତି ପରଖି ଥିବାବେଳେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇ-କେୱାଇସି ଅପଡେଟସନ ଚାଲିଛି । ଜିଲ୍ଲାର ଉପାନ୍ତ ଅଂଚଳ ଚକଲାପଦର ପଞ୍ଚାୟତରେ ନେଟୱାର୍କ ନଥିବା ଯୋଗୁଁ ପ୍ରାୟ ୧୬୦୦ ହିତାଧିକାରୀ ଇ-କେୱାଇସି ଅପଡେଟସନ କରିପାରି ନ ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୧ଲକ୍ଷ ୫୨ ହଜାର ହିତାଧିକାରୀ ରାସନ କାର୍ଡ ଇ-କେୱାଇସି କରି ନାହାନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚକଲାପଦର ପଞ୍ଚାୟତବାସୀଙ୍କ ନେଟୱାର୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ୪ଟି ବିଏସଏନଏଲ ଓ ଗୋଟିଏ ଜିଓ ଟାୱାର ସ୍ଥାପନ ହୋଇଛି । ତେବେ ବିଏସଏନଏଲ ଟାୱାର ପ୍ରାୟ ୬ମାସ ହେବ ଅଚଳ ଥିବା ବେଳେ ଜିଓ ଟାୱାର କାର୍ଯ୍ୟକ୍ଷମ ହୋଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚକଲାପଦର ପଞ୍ଚାୟତରେ ନେଟୱର୍କ ସୁବିଧା ନଥିବା ଯୋଗୁଁ ଚାଉଳ ନେଉ ଥିବା ହିତାଧିକାରୀଙ୍କ ଇ-କେୱାଇସି ହୋଇ ପାରୁନାହିଁ । ଆସନ୍ତା ୩୧ ତାରିଖ ସୁଦ୍ଧା ଇ-କେୱାଇସି କରିବା ପାଇଁ ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଦେଇଥିବା ବେଳେ ନେଟୱାର୍କ ନଥିବା ଯୋଗୁଁ ଇ-କେୱାଇସିି କରିବାରେ ସମସ୍ୟା ଦେଖାଦେଇଥିଲା । ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ନିଜେ ଚକଲାପଦର ଗସ୍ତ କରି ସମସ୍ୟା ଦେଖିବା ସହ ତଦାରଖ କରିଥିଲେ ।
ଚକଲାପଦର ପଞ୍ଚାୟତରେ ମୋଟ ୪୬୯୫ ଜଣ ହିତାଧିକାରୀ ଥିବା ବେଳେ ନେଟୱର୍କ ସୁବିଧା ନଥିବା ଯୋଗୁଁ ମାତ୍ର ୩୦୬୨ ଜଣ ହିତାଧିକାରୀଙ୍କ ଇ-କେୱାଇସି ହୋଇ ପାରିଛି । ସେହିପରି ଚକଲାପଦର ପଞ୍ଚାୟତରେ ବହୁ ଲୋକଙ୍କ ଆଧାର ଭୁଲ ଥିବା ଦେଖିବାକୁ ମିଳିଛି । ତେଣୁ ପ୍ରଶାସନ ପକ୍ଷରୁ ଆଧାର ସଂଶୋଧନ ଓ ଇ-କେୱାଇସିି କାମ ଚାଲିଛି । ଚକଲାପଦର ପଞ୍ଚାୟତ ଯିବା ପୂର୍ବରୁ ପାହାଡ଼ ତଳେ ଥିବା ଏକ ନିର୍ଦ୍ଦିିଷ୍ଟ ରାସ୍ତା କଡରେ ନେଟୱର୍କ ଆସୁଥିବା ବେଳେ ସେଠାରେ କିଛି ଯୋଗାଣ ସହାୟକଙ୍କୁ ନେଇ ଇ-କେୱାଇସି କାମ ହୋଇ ଅଫ ଲାଇନରେ ଆଧାର ସଂଶୋଧନ କରାଯାଇଛି । ତେବେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡିବେ ନାହିଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛିି ।