ମହିମା ବହି ମେଳାରେ ଆଲୋଚନାଚକ୍ର : "ସିଦ୍ଧ ଶ୍ରୀକ୍ଷେତ୍ର ସିଦ୍ଧମାନଙ୍କର କ୍ଷେତ୍ରସ୍ଥଳ'
ଢେଙ୍କାନାଳ: ସ୍ଥାନୀୟ ମିନିଷ୍ଟାଡିୟମ୍ ଠାରେ ପ୍ରଥମ ମହିମା ବହିମେଳାର ଦ୍ୱିତୀୟ ସଂଧ୍ୟାର ବୌଦ୍ଧିକ ଆଲୋଚନାରେ ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳ ସିଦ୍ଧମାନଙ୍କର କ୍ଷେତ୍ରସ୍ଥଳ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏନ୍ବିଟିର ସହଯୋଗରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟୁ ଇଣ୍ଡିଆ ପକ୍ଷରୁ ଆୟୋଜିତ ପ୍ରଥମ ମହିମା ବହିମେଳାର ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ବିବୁଧ ଗଡନାୟକ ଯୋଗଦେଇ ଢେଙ୍କାନାଳ ସିଦ୍ଧ ଶ୍ରୀକ୍ଷେତ୍ର ଭାବରେ ଏହାର ମହିମା ଅତ୍ୟନ୍ତ ଆକର୍ଷଣୀୟ ବୋଲି କହିଥିଲେ । ଅନେକ ମହାମନିଷି ଏହି ମାଟିରେ ସାଧନ କରି ସିଦ୍ଧିତ୍ୱ ଲାଭ କରିଛନ୍ତି । ବିଶେଷକରି ସିଦ୍ଧ ବଳରାମ, ସିଦ୍ଧକପିଳାସ ଅଷ୍ଟସମ୍ଭୁ, ସରାଙ୍ଗ ଅନନ୍ତ ନାରାୟଣ ବିଷ୍ଣୁ, ସପ୍ତଶଯ୍ୟା ଆଦି ଅନେକ ପବିତ୍ର ପାବନ ଭୂମି ଢେଙ୍କାନାଳ ମାଟିକୁ ଆଧ୍ୟାତ୍ମିକ ଭିତ୍ତିଭୂମି ଏହି ମାଟିକୁ ସିଦ୍ଧ ଶ୍ରୀକ୍ଷେତ୍ର ଭାବରେ ପ୍ରତିଷ୍ଠା କରି ପାରିବାର ସମସ୍ତ ଦିଗନ୍ତକୁ ସାମର୍ଥ୍ୟ କରିଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଯୋଗଦେଇ କହିଲେ ସିଦ୍ଧ ଶ୍ରୀକ୍ଷେତ୍ର ଢେଙ୍କାନାଳ ପଂଚମ ଶତାବ୍ଦୀରୁ ଯେଉଁମାନେ ଏହି ଢେଙ୍କାନାଳ ମାଟିର ସିଦ୍ଧିତ୍ୱ ଲାଭ କରିଛନ୍ତି ସେମାନଙ୍କ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦିଶ ରାୟ ଓ ଜିଲ୍ଲା ଦେବୋତ୍ତର ନିରୀକ୍ଷକ ପ୍ରଦୁ୍ୟମ୍ନ ତ୍ରିପାଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଢେଙ୍କାନାଳକୁ ସିଦ୍ଧ ଶ୍ରୀକ୍ଷେତ୍ର କରିବାର ଯଥାର୍ଥତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଆର୍ଯ୍ୟରତ୍ନ ଚକ୍ରଧର ଏହି ବୌଦ୍ଧିକ ସଭାରେ ସଭାପତିତ୍ୱ କରିଥିବାବେଳେ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ନିୟୁ ଇଣ୍ଡିଆର ସଂପାଦକ ଶେଷଦେବ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।