ପଙ୍କପାଳ ବାଲିଘାଟ-୧ରୁ ବାଲି ଉଠାଣକୁ ଜମି ମାଲିକଙ୍କ ବିରୋଧ


 ଯଖପୁରା: ପଙ୍କପାଳ ବାଲି ଘାଟ-୧ରୁ ବେଧଡକ ଉଠୁଛି ବାଲି । ପ୍ରତି ଦିନ ଶହ ଶହ ଟ୍ରିପ୍ ବାଲି ଚାଲାଣ ହେଉଛି । ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଦାନଗଦୀ ତହସିଲଦାର ବାଲି ଘାଟ ଉପରେ ଚଢାଉ କରି ଚାରୋଟି ବାଲି ବୋଝେଇ ଗାଡ଼ିକୁ ଜବତ କରିଥିଲେ । ପଙ୍କପାଳ ବାଲି ଘାଟ-୧ର ଦିଲ୍ଲୀପ ସାହୁ ନାମକ ଠିକାଦାର ଲିଜ ନେଇଛନ୍ତି । ଲିଜ ନେଇଥିବା ସତ୍ୱେ ଠିକାଦାର ବାଲି ଘାଟରୁ ବାଲି ଉଠାଣ ପାଇଁ ଆବଶ୍ୟକ ଅନୁମତି ପାଇ ନାହାନ୍ତି । କିନ୍ତୁ ଠିକାଦାର ବେଆଇନ ଭାବରେ ଘାଟରୁ ବାଲି ଉଠାଉଥିବାର ଅଭିଯୋଗ ହେଉଛି । ଖାତା ନମ୍ବର ୨୯୪ ପ୍ଲଟ ନମ୍ବର ୧୦୮୯ରୁ ବାଲି ଉଠାଣ ପାଇଁ ଲିଜଧାରିଙ୍କୁ ଅନୁମତି ମିଳିଥିବା ସତ୍ୱେ ଠିକାଦାର ନିଜର ପରିସୀମା ଠାରୁ ବାହାରକୁ ଯାଇ ବାଲି ଖନନ କରୁଛନ୍ତି । ଏହା ଏକ କୃଷି ଭିତିକ ଘାଟ ହୋଇଥିବାରୁ ଘାଟରୁ କୌଣସି ମେସିନ ଦ୍ୱାରା ବାଲି ଉଠାଣ ପାଇଁ ହୋଇଥିବା ଚୁକ୍ତିରେ ସ୍ପଷ୍ଟ ଉଲ୍ଲେଖ ଥିବା ସତ୍ତ୍ୱେ ଘାଟରୁ ବଡ଼ବଡ ମେସିନ ଦ୍ୱାରା ବାଲି ଉଠାଣ ହେଉଥିବାର ଦେଖିବାକୁ ମିଳୁଛି । ପୁଣି ଘାଟରୁ ସର୍ବାଧିକ ଦୁଇ ଫୁଟ ଗଭୀରରୁ ବାଲି ଉଠାଣ ପାଇଁ ଅନୁମତି ଥିବାବେଳେ ଠିକାଦାର ସାତରୁ ଆଠ ଫୁଟ ଗଭିରରୁ ବାଲି ଖୋଲୁଥିବାର ଦେଖାଯାଏ । ପ୍ରାୟ ଦୁଇରୁ ତିନି ମାସ ଧରି ଠିକାଦାର ବାଲି ଘାଟରୁ ବେନିୟମ ଭାବରେ ବାଲି ଉଠାଇ ଚାଲିଛନ୍ତି । ଯାହାକୁ ନେଇ ପଙ୍କପାଳ ଗ୍ରାମର କିଛି ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ବେ-ଆଇନ ଭାବରେ ଚାଲୁଥିବା ଘାଟରୁ ବାଲି ବୋଝେଇ ଗାଡ଼ି ସବୁ ତାଙ୍କ ଜମି ଉପରେ ଯିବା ଆସିବା କରୁଥିବାରୁ ଏହାକୁ ନେଇ ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ଗ୍ରାମବାସୀ ତରଫରୁ ଆଜି ଘାଟରୁ ବାଲି ନେଇ ଆସିଥିବା ଗାଡ଼ି ସବୁକୁ ଅଟକ କରି ରଖିଛନ୍ତି । ଜମାବନ୍ଦୀ ଜାଗା ଉପରେ ବାଲି ବୋଝେଇ ଗାଡ଼ି ସବୁକୁ ଯିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ତା ସହିତ ସର୍ବସାଧାରଣ ରାସ୍ତା ଉପରେ ବାଲି ବୋଝେଇ ଗାଡ଼ି ଯିବା ଦ୍ୱାରା ରାସ୍ତା ସବୁ ନଷ୍ଟ ହେଉଛି । ବାଲି ବୋଝେଇ ଗାଡ଼ିରୁ ବାହାରୁଥିବା ପାଣି ସବୁ ରାସ୍ତା ଉପରେ ପଡ଼ି ରାସ୍ତାକୁ କାଦୁଅ କରୁଛି । ଫଳରେ ରାସ୍ତାରେ ଯିବା ଆସିବା କଷ୍ଟ ହେଉଛି ବୋଲି ଅଭିଯୋଗ କରିଛନ୍ତି । ବାଲି ବୋଝେଇ ଗାଡ଼ିକୁ ଅଟଳ ରଖିବା ଦ୍ୱାରା ଘାଟରେ କିଛି ସମୟରେ ଉତେଜନା ପ୍ରକାଶ ପାଇଥିଲା ।