ପଚ୍ଛିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର  : ଆୟୁଷ ଡାକ୍ତରରେ ଚାଲିଛି ରୋଗୀ ସେବା 

ରଗଡି: କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ପଛିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷରୁ ଉର୍ଦ୍ଧ୍ୱ ହେବ ଏଲୋପାଥିକ ଡାକ୍ତର ନାହାଁନ୍ତି । ଆୟୁଷ ଡାକ୍ତରରେ ରୋଗୀସେବା ଚାଲିଛି । ୧୯୯୭ମସିହାରେ ସ୍ଥାପିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମୟରେ ଡାକ୍ତର ସମସ୍ୟା ଦେଖିବାକୁ ମିଳୁଛି । ଯେଉଁ ଏଲୋପାଥିକ ଡାକ୍ତର ଆସୁଛନ୍ତି ଅତି ବେଶିରେ ବର୍ଷେ କି ୬ମାସ ରହି କିଏ ଉଚ୍ଚ ଶିକ୍ଷା ପାଇଁ ତ ଆଉ କିଏ ଅନ୍ୟତ୍ର ବଦଳି ହୋଇ ଚାଲି ଯାଉଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ହୋଇ ପଡୁଛି ଡାକ୍ତର ଶୂନ୍ୟ । ଆଉ ତାଙ୍କ ସ୍ଥାନରେ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଉନାହିଁ । ଏହା ଗ୍ରାମାଞ୍ଚଳରେ ରହିଥିବାରୁ ବହୁ ଗରିବ ଗୁରୁବା ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏଥିସହିତ ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ କେନ୍ଦ୍ରଟି ରହିଛି । ଏହା ବ୍ୟତୀତ ପଡୋଶୀ କେନ୍ଦୁଝର ଜିଲ୍ଲାର ୨/୩ ପଞ୍ଚାୟତର ଲୋକେ ମଧ୍ୟ ଏହା ଉପରେ ନିର୍ଭର କରନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ୨୦ନମ୍ବର ଜାତୀୟ ରାଜପଥ ଓ ରଗଡି-ପାଣିକୋଇଲି ଆରଆଣ୍ଡବି ରାସ୍ତା ଯାଇଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣାରେ ଆହତ ମାନେ ମଧ୍ୟ ପ୍ରାଥମିକ ଚିକିତ୍ସା ନିମନ୍ତେ ଏଠାକୁ ଆସିଥାନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ରଣପୁର, ଅସନଝର, କନ୍ତୋର, କାଚରାସାହି, ପଛିକୋଟ, ଅନ୍ଧାରୀ, ପାଟରଙ୍ଗା ତଥା ତଳଗଡ଼ ପ୍ରଭୃତି ପଞ୍ଚାୟତ ରହିଛି । ପୂର୍ବରୁ ଅଧିକ ପରୀକ୍ଷା ର ସୁବିଧାଏଠାରେ ନଥିବାରୁ ଦୈନନ୍ଦିନ ରୋଗୀ ସଂଖ୍ୟା ୨୦/୩୦ଥିବା ବେଳେ ବର୍ତ୍ତମାନ ବିଭିନ୍ନ ପରୀକ୍ଷାର ସୁବିଧା ଉପଲବ୍ଧ ଥିବାରୁ ରୋଗୀ ସଂଖ୍ୟା ବୃଦ୍ଧି ପାଇ୭୦/୮୦ରେ ପହଁଚିଛି । ଯଦ୍ଦ୍ୱାରା ଜଣେ ମାତ୍ର ଆୟୁଷ ଡାକ୍ତରଙ୍କ ପକ୍ଷରେ ରୋଗୀ ଦେଖିବାରେ ସମସ୍ୟା ଉପୁଜିଛି । ଛୁଟି ସମୟ ହୋଇ ଯାଇଥିଲେ ମଧ୍ୟ ରୋଗୀ ନସରିବା ପର୍ଯ୍ୟନ୍ତ ଡାକ୍ତରଙ୍କୁ ରହିବାକୁ ପଡୁଛି । ଲୋକଙ୍କୁ ଠିକ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ତୁରନ୍ତ ଏଠାରେ ଜଣେ ଏଲୋପାଥି ଡାକ୍ତର ନିଯୁକ୍ତି କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।