ପ୍ରହସନ ପାଲଟିଛି  ସ୍ୱତନ୍ତ୍ର ଗ୍ରାମସଭା 

ବୈଶିଙ୍ଗା : ପ୍ରତି ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯିବା ପାଇଁ ପଲ୍ଲୀସଭା ଏବଂ ପରେ ଗ୍ରାମସଭା କରାଯାଇ ବିଭିନ୍ନ ପ୍ରକଳ୍ପ ମଞ୍ଜୁରୀ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁମୋଦନ ପ୍ରାପ୍ତ କରାଯାଇଥାଏ । ପଲ୍ଲୀ ସଭାର ସିଦ୍ଧାନ୍ତ ଅନୁଯାୟୀ ଗ୍ରାମରେ ବଛା ଯାଇଥିବା ବ୍ୟକ୍ତିବିଶେଷ କ୍ରମାନ୍ୱୟରେ କାର୍ଯ୍ୟାଦେଶ ପାଇ ପ୍ରକଳ୍ପ କାର୍ଯ୍ୟ କରିଥାନ୍ତି । ମାତ୍ର ବିଡମ୍ବନାର ବିଷୟ ଯେ, ଗତ ପଞ୍ଚାୟତ ନିର୍ବାଚନ ପର ଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମମାନଙ୍କରେ ପଲ୍ଲୀସଭା ଅନୁଷ୍ଠିତ ହୋଇ ପାରିଲାନାହିଁ । କେବଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତବାସୀଙ୍କ ଅଗୋଚରରେ ନିଜ ଇଚ୍ଛା ମୁତାବକ ପ୍ରକଳ୍ପ ଦିଆଯାଉଥିବାର ଅଭିଯୋଗ ହୋଇ ଆସୁଛି । କେବଳ ଗାନ୍ଧି ଜୟନ୍ତୀ ଏବଂ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା କରାଯିବା ସହ ପ୍ରକଳ୍ପ ଗୁଡ଼ିକର ସିଦ୍ଧାନ୍ତ ନିଆଯିବା ସହ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଡେଙ୍ଗୁରା ଦିଆଯିବାର ସରକାରୀ ବ୍ୟବସ୍ଥା ରହିଛି । ମାତ୍ର ଡେଙ୍ଗୁରା ନ ଦେବା ଯୋଗୁଁ କୌଣସି ଗ୍ରାମବାସୀ ଜାଣି ପାରୁନଥିବାର ଅଭିଯୋଗ ମଧ୍ୟ ରହିଛି । ଏଥିପାଇଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଉନ୍ନତିମୂଳକ କାର୍ଯ୍ୟରେ ଫଳକ ନ ଲଗାଇ ମନଇଚ୍ଛା କାର୍ଯ୍ୟ କରାଯିବାକୁ ପ୍ରଶାସନର ଅବହେଳା ବୋଲି ମତ ପ୍ରକାଶ ପାଇଛି । ସ୍ଥାନୀୟ ସରପଞ୍ଚ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।