ପଞ୍ଚମ ଦିନରେ ପଞ୍ଚ ଠାକୁରାଣୀ ଯାତ୍ରା
ବୁଗୁଡ଼ା : ବୁଗୁଡ଼ା ଠାକୁରାଣୀ ଯାତ୍ରାର ପଞ୍ଚମ ଦିବସରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା ମିତା ନାୟକ, ଯାଜ୍ଞସେନୀ ସ୍ୱାଇଁ, ପୂର୍ଣ୍ଣିମା ରାଣୀ ପ୍ରଧାନ, ପି.ରନôମାଳା ପ୍ରଧାନ ଓ ମଣି ମହାରଣା ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଆସ୍ଥାନରୁ ବାହାରି ବଳଦେବ ମନ୍ଦିର, ପୋଲସରା ରୋଡ, ମଦନ ମୋହନ ଛକ, ପରିବା ମାର୍କେଟ୍, ଶାସ୍ତ୍ରୀ ନଗର, ଅନ୍ନପୂର୍ଣ୍ଣା ନଗର, କାଳି ମନ୍ଦିର ସାହି, ମହିମା ନଗର, ଅମିତ ନଗର, ବ୍ଲକ୍ ଛକ, ମେଡିକାଲ ଛକ, ପୋଲସରା ରୋଡ, ସୋମନାଥ ନଗର, ବଳଦେବ ମନ୍ଦିର ପଥ ଦେଇ ଆସ୍ଥାନକୁ ଫେରିଥିଲେ । ପରିକ୍ରମା କାଳରେ ସାହି ବାସିନ୍ଦାମାନେ ନିଜ ନିଜର ଘର ଆଗରେ ପୂଜା ସାମଗ୍ରୀ ଏବଂ ପୂର୍ଣ୍ଣ କୁମ୍ଭ ବାଢି ପ୍ରଦୀପ ପ୍ରଜ୍ୱଳନ ସହକାରେ ପଞ୍ଚ ଠାକୁରାଣୀଙ୍କୁ ସ୍ୱାଗତ କରିଥିଲେ । ଶ୍ରଦ୍ଧାଳୁଙ୍କ ଗହଣରେ ମା'ଙ୍କ ଘଟ ପରିକ୍ରମା କାଳରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ ।