ପଞ୍ଚଲିଙ୍ଗେଶ୍ୱର ପୀଠରେ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ
ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସି ମାଡ଼ର ଶିକାର ହୋଇଛନ୍ତି ପର୍ଯ୍ୟଟକ । ଏ ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଯାଜପୁର ଟାଉନ ବଉଳମୂଳ ଅଞ୍ଚଳର ପଞ୍ଚାନନ ବେହେରା(୬୦) ଗତ ମଙ୍ଗଳବାର ନିଜ ପରିବାର ସହିତ ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସିଥିଲେ । ବାବାଙ୍କ ଦର୍ଶନ ସାରି ତଳକୁ ଆସି ଈଶ୍ୱରପୁର ଫାଣ୍ଡି ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୋପ ଗ୍ରାମର ପଞ୍ଚଲିଙ୍ଗେଶ୍ୱର ପୀଠରେ ଦୋକାନ କରିଥିବା ବୁଲବୁଲ ସେଠୀ ନାମକ ଦୋକାନୀଙ୍କ ଦୋକାନରେ ଥଣ୍ଡା ପିଇଥିଲେ । ଥଣ୍ଡା ପିଇ ସରିବା ପରେ ପଇସା ଦେବାରୁ ଥଣ୍ଡା ପିଛା ୧୫ଟଙ୍କା ଦୋକାନୀ ଦାବି କରିବାରୁ ଥଣ୍ଡାର ମୂଲ୍ୟ ୧୦ଟଙ୍କା ଥିବାରୁ ୧୫ଟଙ୍କା କାହିଁକି ନେବ ବୋଲି ଉଭୟ ଦୋକାନୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପର୍ଯ୍ୟଟକଙ୍କ ପକ୍ଷରୁ ୧୪୫ଟଙ୍କା ଅର୍ଥାତ୍ ଦୋକାନୀ ଦାବି କରିଥିବା ସମସ୍ତ ଟଙ୍କା ପୈଠ କରିଥିଲେ ହେଁ ଉଭୟଙ୍କ ବଚସା ମଧ୍ୟରେ ଦୋକାନୀ ଓ ପାଖରେ ଦୋକାନ କରିଥିବା ଅନ୍ୟ କିଛି ଦୋକାନୀ ସଂଘବଦ୍ଧ ଭାବରେ ଠେଙ୍ଗା ଓ ବିଧାରେ ଆକ୍ରମଣ କରିଥିବା ନେଇ ପଞ୍ଚାନନ ବେହେରାଙ୍କ ପୁଅର ବୋହୂ ସଂଘମିତ୍ରା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଦୀର୍ଘସମୟ ଧରି ଦୋକାନୀମାନେ ପର୍ଯ୍ୟଟକଙ୍କୁ ଅଟକାଇ ଧମକ ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଆକ୍ରମଣରେ ପଞ୍ଚାନନ ବେହେରାଙ୍କ ସମେତ ସ୍ତ୍ରୀ କବିତା, ବଡ଼ପୁଅ ଶଙ୍କର୍ଷଣ, ସ୍ତ୍ରୀ ରଞ୍ଜିତା, ସାନପୁଅ ଶିବପ୍ରସାଦ, ସ୍ତ୍ରୀ ସଂଘମିତ୍ରା, ମାଉସୀ ସବିତା, ଶିବପ୍ରସାଦଙ୍କ ପୁଅ ଅତୁଲ୍ୟ, ୨ବର୍ଷର ଝିଅ ସୌମଶ୍ରୀ ଏହି ଆକ୍ରମଣରେ ଶିକାର ହୋଇଛନ୍ତି ।
- ଥାନାରେ ମାମଲା ରୁଜୁ
ଖବରପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ôଚ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଚିକିତ୍ସା କରାଇବା ପରେ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ନୀଳଗିରି ଥାନାରେ ୧୭୦/୨୫ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡିଛି । ଉଲ୍ଲେଖ ଯେ, ବାରମ୍ବାର ପୀଠରେ ଏଭଳି ଘଟୁଥିବା ନେଇ ଅଭିଯୋଗ ହୋଇଥିଲେ ହେଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଦୋକାନୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାରୁ ନୀଳଗିରି ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ନିନ୍ଦା କରିଛନ୍ତି । ଏ ନେଇ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି ।