ଠାକୁରମୁଣ୍ଡା-ରୁପ୍ସା ରାସ୍ତା ନିର୍ମାଣରେ ଅନିୟମିତତା
ବୈଶିଙ୍ଗା : ଗମନାଗମନ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛୁନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ ପାଇଁ ଅଯଥାରେ ଅର୍ଥ ଶ୍ରାଦ୍ଧ ହେଉଛି ସତ କିନ୍ତୁ ଜନସାଧାରଣରଙ୍କୁ ସୁଫଳ ମିଳିପାରୁ ନଥିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । କଲିକତାରୁ କେନ୍ଦୁଝରକୁ ଯୋଗାଯୋଗର ଦୂରତା କମ୍ ପାଇଁ ଠାକୁରମୁଣ୍ଡାରୁ ରୁପ୍ସା ନିକଟସ୍ଥ ୬୦ ନଂ ଜାତୀୟ ରାଜପଥର ବରହମପୁର ଠାରେ ସଂଯୋଗ କରାଯିବାର ପରିକଳ୍ପନା କରାଯାଇ ଚାରିବର୍ଷ ତଳେ କାର୍ଯ୍ୟାରମ୍ଭ କରାଯାଇଥିଲା । କାର୍ଯ୍ୟର ଗତିଶୀଳତାରୁ ଯାହା ଅନୁମାନ କରାଯାଏ ଆଉ ଚାରି ବର୍ଷ ପରେ ମଧ୍ୟ କାର୍ଯ୍ୟ ସମାପ୍ତ ହୋଇ ନ ପାରେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ରାସ୍ତା କାମର ଟେଣ୍ଡର ନେଇଥିବା ଠିକାଦାର କାର୍ଯ୍ୟ ସାଇଟ୍କୁ କେବେ ଆସୁ ନ ଥିବାରୁ ପେଟି ଠିକାଦାର ନିଜ ମନ ଇଚ୍ଛା କାର୍ଯ୍ୟ କରୁଥିବାର ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।
- ଗଛ ନକଟି ହେଉଛିି ପିଚୁ
- ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ
ଏହି ରାସ୍ତାର ବଡ କ୍ଷୀରପାଦା ଠାରୁ ପଦ୍ମପୁର ପର୍ଯ୍ୟନ୍ତ ଦୁଇ କିମି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗଛ ଗୁଡିକୁ ନ କାଟି ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଥିବାରୁ ପରବର୍ତ୍ତୀ ସମୟରେ ରାସ୍ତାର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି ଚୋରା କାଠ ମାଫିଆ ଏଠାରେ ଥିବା ମୂଲ୍ୟବାନ ଶାଳ ଓ ଆକାଶିଆ ଗଛ କାଟି ନେବା ପାଇଁ ମସୁଧା କରୁଥିବା ବେଳେ ଗ୍ରାମବାସୀ ମାନେ ବିରୋଧ କରି ଜଙ୍ଗଲ ବିଭାଗକୁ ଜଣାଇଥିଲେ । ସେଥିପାଇଁ ୨/୩ ମାସ ରାସ୍ତା କାର୍ଯ୍ୟ ବନ୍ଦ ରହିଥିଲା । ପୁଣି ଏହି ଏପ୍ରିଲ ପ୍ରଥମ ସପ୍ତାହରୁ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ପୂର୍ବବତ ଗଛ ଗୁଡିକୁ ନ କାଟି ନୂଆ ପିଚୁ କରାଯାଉଥିବା ରାସ୍ତା ମଝିରେ ଗଛକୁ ରଖି ରାସ୍ତା କାର୍ଯ୍ୟ କରାଯାଇଛି । କାହିଁକି ଗଛ କଟାଯାଉ ନାହିଁ ବୋଲି ବେତନଟୀ ରେଞ୍ଜର ମନୱର ଖାଁଙ୍କୁ ଯୋଗାଯୋଗ କରିବା ପରେ ସେ କହିଲେ ଗଛ କାଟିବା ପାଇଁ ଡ଼ିଏଫ୍ଓଙ୍କ ନିକଟରୁ ସଂପୃକ୍ତ ଠିକାଦାର ଅନୁମତି ନେଇ ନାହାନ୍ତି । ଫଳରେ ଗଛ କଟାଯାଇପାରୁ ନାହିଁ । ଠିକାଦାର କହିଲେ ଆମେ ସେହିପରି ରାସ୍ତା ନିର୍ମାଣ କରି ଚାଲିବୁ । ଏସବୁ ପରେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ମଧ୍ୟ ଉଚିତ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ଏହ ଭଳି କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରାଯିବା ଏବଂ ପରବର୍ତ୍ତୀ ସମୟରେ ପୁଣି ଗଛ କାଟିବା ଏବଂ ରାସ୍ତାକୁ ପ୍ୟାଚ୍ ପକାଇବା ପରେ ଅଯଥା ଟଙ୍କା ଖର୍ଚ୍ଚ ହେବା ତଥା ରାସ୍ତାର ସ୍ଥାୟୀତ୍ୱ କ’ଣ ରହିବ ଏହା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।